ଜୀବନରେଖାରେ ନାଲି ପତାକା: ଯାଉନି ଟ୍ରେନ୍ ଯାତନା
କେବେ ଚାଲିବ ଲୋକାଲ, ମେମୁ? ରେଳରୁ କେବେ ହଟିବ ଶୂନ? ସ୍ବତନ୍ତ୍ର ନାଁରେ ଶୋଷଣ ସହିହେଉନି
ଭୁବନେଶ୍ୱର/ସମ୍ବଲପୁର : କୋଭିଡ୍ ସଂକ୍ରମଣ କମିଲାଣି। ଓଡ଼ିଶାରେ କରୋନା କଟକଣା ହଟିଲାଣି। ଜୀବନଯାତ୍ରା ଚଳଚଞ୍ଚଳ ହୋଇଥିଲେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇପାରୁନି। ମାସେ କି ବର୍ଷେ ନୁହେଁ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ୧୮ଟି ପାସେଞ୍ଜର ତଥା ମେମୁ ଟ୍ରେନ୍ ବନ୍ଦ ରହିଛି। ଏବେ ମାତ୍ର ୬ଟି ଟ୍ରେନ୍ ଚଳାଚଳ କରୁଛି। ସମସ୍ତ ଟ୍ରେନ୍ ଚଳାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଏନେଇ କୌଣସି କର୍ଣ୍ଣପାତ କରୁନାହାନ୍ତି। ବରଂ ସବୁ ଜାଣି ଚୁପ୍ ରହୁଛନ୍ତି। ଆଉ ସ୍ବତନ୍ତ୍ର ଟ୍ରେନ୍ ନାମରେ ଯାତ୍ରୀଙ୍କୁ ଶୋଷଣ ଜାରି ରହିଛି। ଯାତ୍ରୀଙ୍କଠାରୁ ନିୟମିତ ଭଡ଼ାରୁ ୩୦% ଅଧିକ ଭଡ଼ା ଆଦାୟ କରାଯାଉଛି।
ଯାତ୍ରୀଙ୍କ ମାସିକିଆ ପାସ୍ ବ୍ୟବସ୍ଥାକୁ ଦେଢ଼ ବର୍ଷ ହେଲା ବନ୍ଦ କରି ଦିଆଯାଇଥିଲା। ଏନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଏବେ ଅଳ୍ପ କିଛି ସ୍ବତନ୍ତ୍ର ଟ୍ରେନ୍ରେ ପାସ୍ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଇଛି। ପୁରୀ-ଅନୁଗୁଳ-ପୁରୀ ଟ୍ରେନ, ଖୋର୍ଦ୍ଧାରୋଡ୍-କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍ ଟ୍ରେନ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ଟ୍ରେନ, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ଟ୍ରେନ, ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ଟ୍ରେନ୍ ଓ ବିଶାଖାପାଟଣା-କାକିନଡ଼ା ବନ୍ଦର-ବିଶାଖାପାଟଣା ଟ୍ରେନଗୁଡ଼ିକରେ ମାସିକ ସିଜିନ ଟିକେଟ୍(ଏମ୍ଏସ୍ଟି)/ତୈମାସିକ ସିଜିନ ଟିକେଟ୍(କ୍ୟୁଏସ୍ଟି) ସହ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି। ତେବେ କରୋନା ପୂର୍ବରୁ ଟ୍ରେନ୍ ଯାତ୍ରୀଙ୍କୁ ୫୩ଟି ବର୍ଗରେ ରିହାତି ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଏବେ ସେଥିମଧ୍ୟରୁ ୩୮ଟି ବର୍ଗର ରିହାତି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହାଦ୍ବାରା ମାସିକିଆ ପାସ୍ଧାରୀ, ବରିଷ୍ଠ ନାଗରିକ, ଖେଳାଳି, ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି। କୌଣସି ପର୍ବପର୍ବାଣୀରେ ସ୍ବତନ୍ତ୍ର ଟ୍ରେନ୍ ଚଲାଯିବା ବେଳେ ଅଧିକ ଦର ଆଦାୟ କରାଯାଇଥାଏ। ମାତ୍ର କୋଭିଡ୍ ଆଳରେ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।
କୋଭିଡ୍ ସଂକ୍ରମଣ ପୂର୍ବରୁ ଓଡ଼ିଶା ଭିତରେ ୩୨ଟି ଇଣ୍ଟରସିଟି, ମେମୁ ଓ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ମାର୍ଚ୍ଚ ୨୨ରୁ ଏପର୍ଯ୍ୟନ୍ତ ଅର୍ଧାଧିକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। କାରୋନା ସଂକ୍ରମଣ ପୂର୍ବରୁ ରାଜଧାନୀ ଭୁବନେଶ୍ବର ଦେଇ ପ୍ରତିଦିନ ୨୪ଟି ପାସେଞ୍ଜର ଟ୍ରେନ୍ ଚାଲୁଥିଲା। ଏବେ ମାତ୍ର ୬ଟି ପାସେଞ୍ଜର ଚାଲୁଛି। ଅର୍ଥାତ୍ ଆହୁରି ୧୮ଟି ପାସେଞ୍ଜର ଟ୍ରେନ୍ ଏବେ ବି ବନ୍ଦ ହୋଇ ରହିଛି। କେବେ ସ୍ବାଭାବିକ ହେବ ସେନେଇ କୌଣସି ବି ଅଧିକାରୀଙ୍କ ପାଖରେ ଖବର ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯାତ୍ରୀ ହେଉ ନଥିବା ଦର୍ଶାଇ ପୂର୍ବତଟ ରେଳପଥ ପକ୍ଷରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପୁରୀ-କଟକ-ପୁରୀ ଟ୍ରେନ, କଟକ-ଭଦ୍ରକ-କଟକ ଟ୍ରେନ, କଟକ-ପାରାଦୀପ-କଟକ ଟ୍ରେନ, କଟକ-ଭଦ୍ରକ-କଟକ ଟ୍ରେନକୁ ବାତିଲ୍ କରାଯାଇଛି।
ଅନ୍ୟପକ୍ଷରେ ଗତବର୍ଷ କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶରେ ଟ୍ରେନ୍ ସେବା ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ଯେବେ ପର୍ଯ୍ୟାୟ କ୍ରମେ ରେଳ ଗାଡ଼ି ଗୁଡ଼ିକ ଚାଲିଲା ସେଗୁଡ଼ିକର ମୂଳ ନମ୍ବରରେ କିଛିଟା ପରିବର୍ତ୍ତନ କରି ଓ ଆରମ୍ଭରୁ ଶୂନ ଲଗାଇ ସ୍ବତନ୍ତ୍ର ଟ୍ରେନ୍ଭାବେ ଚଳାଗଲା। କିନ୍ତୁ ଏହି ସମସ୍ତ ନିୟମିତ ଟ୍ରେନ୍କୁ ସ୍ବତନ୍ତ୍ର ଟ୍ରେନ୍ ଭାବେ ଚଳାଯିବା ପରେ ଏଗୁଡ଼ିକର ଯାତ୍ରୀ ଭଡ଼ା ୩୦% ବୃଦ୍ଧି ପାଇଥିଲା। ଏବେ କରୋନା ସ୍ଥିତି ସୁଧୁରିବା ପରେ ବି ଟ୍ରେନ୍ ନମ୍ବର ଆଗରୁ ଶୂନ ହଟୁ ନାହିଁ। ଅର୍ଥାତ୍ ନିୟମିତ ଟ୍ରେନ୍ଗୁଡ଼ିକ ଉପରୁ ସ୍ପେସାଲ୍ ଛାପ ହଟୁ ନାହିଁ କି ୩୦% ଅତିରିକ୍ତ ଭଡ଼ା ଆଦାୟ ବନ୍ଦ ହେଉନି। ଏହାବ୍ୟତୀତ କମ୍ ଲାଭଦାୟକ ମଧ୍ୟବର୍ତ୍ତୀ ଷ୍ଟେସନ୍ଗୁଡ଼ିକୁ ରହଣୀ ତାଲିକାରୁ ହଟାଇ ଦିଆଯାଇଛି। ମହାମାରୀ ପରିସ୍ଥିତିକୁ ଆଖିରେ ରଖି ଦେଶବାସୀ ଏହାକୁ ବି ଗ୍ରହଣ କରି ନେଇଥିଲେ। କୌଣସି ପ୍ରତିବାଦ ବା ବିରୋଧ ହୋଇ ନଥିଲା।

ଏହି ସୁଯୋଗରେ ରେଳବାଇ ଭିନ୍ନଭିନ୍ନ ପର୍ଯ୍ୟାୟରେ କେତେକ ଚାହିଦାଯୁକ୍ତ ଟ୍ରେନ୍ର ନାମ ଦେଇ ଚଳାଇଲା ଓ ଏହାର ଭଡ଼ାକୁ ସ୍ବତନ୍ତ୍ର ଟ୍ରେନ୍ ଭଡ଼ାର ଦୁଇଗୁଣ ପର୍ଯ୍ୟନ୍ତ ବଢ଼ାଇ ଦେଲା। ଯେମିତି କି ଭୁବନେଶ୍ବର-ଏଲ୍ଟିଟି ସୁପର୍ଫାଷ୍ଟ ଏକ୍ସପ୍ରେସ୍କୁ ପୂଜା ସ୍ପେସାଲ୍ ଭାବେ ଚଳାଗଲା ଏବଂ ଏଥିପାଇଁ ୨ ଗୁଣ ଭଡ଼ା ନିଆଗଲା। ଅନ୍ୟ ସୁପର୍ଫାଷ୍ଟ ସ୍ବତନ୍ତ୍ର ଟ୍ରେନ୍ରେ ଭୁବନେଶ୍ବରରୁ ସମ୍ବଲପୁର ପର୍ଯ୍ୟନ୍ତ ଦ୍ବିତୀୟ ଶ୍ରେଣୀ ସ୍ଲିପର୍ରେ ୨୨୫ ଟଙ୍କା, ଏସି-୩ରେ ୫୫୫ ଟଙ୍କା, ଏସି-୨ରେ ୭୬୦ ଟଙ୍କା ଭଡ଼ା ଥିଲାବେଳେ ପୂଜା ସ୍ପେସାଲ ଟ୍ରେନ୍ରେ ସମାନ ରାସ୍ତା ପାଇଁ ଉପରୋକ୍ତ ଶ୍ରେଣୀ ଗୁଡ଼ିକରେ ଭଡ଼ା ଯଥାକ୍ରମେ ୪୧୫ ଟଙ୍କା, ୧୧୦୦ ଟଙ୍କା ଓ ୧୪୯୦ ଟଙ୍କା ରଖାଗଲା। ଯାହା ବର୍ତ୍ତମାନ ଚାଲିଥିବା ସ୍ବତନ୍ତ୍ର ଟ୍ରେନ୍ ଦରର ଦୁଇଗୁଣ ଓ ମୂଳ ସାଧାରଣ ଭଡ଼ାର ପ୍ରାୟ ଅଢ଼େଇ ଗୁଣ। ଉପରୋକ୍ତ ଭଡ଼ା ବ୍ୟତୀତ ଅନ୍ଲାଇନ୍ରେ ଟିକଟ୍ କରୁଥିବା ଯାତ୍ରୀଙ୍କୁ ବିଭିନ୍ନ ଦେୟ ବାବଦକୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ୁଛି। କରୋନା କାଳରେ ଭୁବନେଶ୍ବର ବା ମୁମ୍ବାଇରେ ଏମିତି କେଉଁ ପୂଜା ବା ଉତ୍ସବ ହେଉଛି ଯେ ପୂଜା ସ୍ପେସାଲ୍ ନାଁରେ ରେଳ ବିଭାଗ ଅଢ଼େଇ ଗୁଣା ଭଡ଼ା ଅସୁଲ କରୁଛି ତାହା ଯାତ୍ରୀ ବୁଝି ପାରୁ ନାହାନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ଟ୍ରେନ୍ର ନାମ ବଦଳାଇ ହଲିଡେ’ ସ୍ପେସାଲ୍ ଓ ଏବେ ଫେଷ୍ଟିଭାଲ୍ ସ୍ପେସାଲ୍ କରାଯାଇଛି। କିନ୍ତୁ ଭଡ଼ା ସେହିଭଳି ଚଢ଼ା ଦରରେ ନିଆ ଯାଉଛି। ଏହା ଏକ ଉଦାହରଣ ମାତ୍ର। ଏଭଳି ବହୁ ଟ୍ରେନ୍ରେ ଭିନ୍ନଭିନ୍ନ ଦର ଧାର୍ଯ୍ୟ କରି ଅତ୍ୟଧିକ ଭଡ଼ା ଅସୁଲ କରାଯାଉଛି।
ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜଣାଇଛନ୍ତି ଯେ ବର୍ତ୍ତମାନ ସମସ୍ତ ଟ୍ରେନ୍ ସ୍ବତନ୍ତ୍ର ଟ୍ରେନ୍ ଭାବେ ଚାଲିଛି। ଏଥିରେ ଦ୍ବିତୀୟ ଶ୍ରେଣୀରେ ମୂଳ ଭଡ଼ା ଉପରେ ୧୦% ଓ ଅନ୍ୟ ସବୁ ଶ୍ରେଣୀରେ ୩୦% ଅତିରିକ୍ତ ଭଡ଼ା ନିଆଯାଉଛି। ଏହାବ୍ୟତୀତ ଏଲ୍ଟିଟି ଭଳି ଟ୍ରେନ୍ଗୁଡ଼ିକ ଫେଷ୍ଟିଭାଲ୍ ସ୍ପେସାଲ୍ ଭାବେ ଚଳାଯାଉଛି। ଏହି ଟ୍ରେନ୍ ଗୁଡ଼ିକରେ ସର୍ବନିମ୍ନ ଯାତ୍ରା ଦୂରତା ୫୦୦ କିଲୋମିଟର୍ ଧାର୍ଯ୍ୟ ହୋଇଛି। କେହି ଏଥିରୁ କମ୍ ଦୂରତା ପାଇଁ ଟିକଟ୍ କାଟିଲେ ବି ୫୦୦ କିମି ପର୍ଯ୍ୟନ୍ତ ଭଡ଼ା ଲାଗୁ କରାଯାଏ। ଅର୍ଥାତ୍ ଜଣେ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ସେହି ଟ୍ରେନ୍ରେ ଆସିବାକୁ ଚାହିଁଲେ ବି ପୂରା ୫୦୦ କିମି ଭଡ଼ା ଗଣିବାକୁ ପଡ଼େ। ମାତ୍ର ୨୮ କିମି ବାଟ ପାଇଁ ତାକୁ ସାଧାରଣ ଶ୍ରେଣୀରେ ୯୦ ଟଙ୍କା, ସ୍ଲିପର୍ରେ ୪୧୫ ଟଙ୍କା ଓ ଦ୍ବିତୀୟ ଶ୍ରେଣୀ ଏସିରେ ୧୪୯୦ ଟଙ୍କା ଦେବାକୁ ହୁଏ।