ବିସ୍ଫୋରଣ କରି ଅଜ୍ଞାତ ଯୁବକ ରୋକିଲେ ଟ୍ରେନ୍‌, ମୁମ୍ବାଇ-ହାୱଡା ଲାଇନ୍‌ରେ ୨ ଘଣ୍ଟା ରେଳ ସେବା ବାଧାପ୍ରାପ୍ତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା କାରୋ ପୋଲ ନିକଟରେ ଅଜଣା ବ୍ୟକ୍ତି ଡେଟୋନେଟର ବିସ୍ଫୋରଣ କରିଥିଲେ। ଲାଲ ପତାକା ଦେଖାଇ ଟ୍ରେନ୍‌ ରୋକିଥିଲେ। ଅଜ୍ଞାତ ଯୁବକ ଜଣକ ଏଭଳି ଘଟଣା ଘଟାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏହାର ଟେର୍‌ ପାଇ ପାରି ନଥିଲେ। ଗତକାଲି ଏମିତି ଘଟଣା ପରେ ନକ୍ସଲ ଅଞ୍ଚଳରେ ରେଳଯାତ୍ରାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତ ପରେ ରେଳବାଇ ଇଞ୍ଜିନିୟରିଂ ବିଭାଗ କାରୋ ପ‌ୋଲ ନିକଟରେ କୌଣସି ରେଳ କର୍ମଚାରୀ ଏଭଳି ବିସ୍ଫୋରଣ କରି ନାହାନ୍ତି ବୋଲି ସୂଚନା ଦେବାପରେ ବିଭାଗରେ ହଡକମ୍ପ ସୃଷ୍ଟି ହୋଇଛି। କାରଣ ରେଳ ଲାଇନ୍‌ରେ ଫାଟ ସୃଷ୍ଟିରେ ହେଲେ ମରାମତି ଦାୟିତ୍ବରେ ଥିବା କର୍ମଚାରୀମାନେ ଏପରି ବିସ୍ଫୋରଣ କରିବା ଦ୍ବାରା ନିକଟସ୍ଥ ଷ୍ଟେସନ ଅଧିକାରୀ ସୂଚନା ମିଳିଥାଏ।

ସୂଚନା ପାଇବାପରେ ଷ୍ଟେସନ ଅଧିକାରୀ ସେହି ଲାଇନରେ ଯାଉଥିବା ଟ୍ରେନ୍‌ଗୁଡିକୁ ରୋକିଥାନ୍ତି। ମରାମତି ସରିବା ପରେ ସବୁଜ ସଙ୍କେତ ମିଳିବା ପରେ ଟ୍ରେନ୍‌ ଯାତାୟତ କରିଥାଏ। ଗତକାଲିର ଘଟଣା କିନ୍ତୁ ରେଳବାଇ କର୍ମଚାରୀଙ୍କ ପକ୍ଷରୁ କରାଯାଇନଥିଲା ବୋଲି ଟେକ୍ନିକାଲ ଟିମ୍‌ ସୂଚନା ଦେଇଛନ୍ତି। ତେବେ ଅଜଣା ବ୍ୟକ୍ତି ଜଣକ ଏପରି କାଣ୍ଡ ଭିଆଇବା ପୂର୍ବରୁ ରେଳ ଗୁଇନ୍ଦା ବିଭାଗ କିପରି ଏହାର ସୂଚନା ପାଇପାରିଲେ ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ସେପଟେ ଏହି ଘଟଣାରେ ପରେ ରାଉରକେଲା- ଚକ୍ରଧରପୁର ମଧ୍ୟରେ ଯାତାୟତ କରୁଥିବା ଟ୍ରେନ୍‌ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲି ଏହି ବିସ୍ଫୋରଣ ସୂଚନା ମାଲଗାଡି ଓ ଉତ୍କଳ ଏକ୍ସପ୍ରେସ୍‌ ଚାଳକ ନିକଟସ୍ଥ ଷ୍ଟେସନ ଅଧିକାରୀଙ୍କୁ ଜଣାଇଥିଲେ। ଗୀତାଞ୍ଜଳି ଏକ୍ସପ୍ରେସ୍‌ ପ୍ରାୟ ୧ ଘଣ୍ଟା ବିଳମ୍ବରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଚକ୍ରଧରପୁର ପାସେଞ୍ଜର ସମେତ ୨/୩ ମାଲ୍‌ ଗାଡି ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକ ରହିଥିଲା। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ? ଏଥି ପାଇଁ ‌କେଉଁ ଅଧିକାରୀମାନେ ଦାୟୀ ? ଏହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର