ଭୁବନେଶ୍ବର : ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସହ ବାତ୍ୟା ପରେ ପରେ ତୁରନ୍ତ ରେଳ ସେବା ଆରମ୍ଭ ହୋଇଛି। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ଗୁଡ଼ିକ ଆଜି ଅପରାହ୍ଣରୁ ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରିଛି। ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ୍, ବ୍ରିଜ୍ଗୁଡ଼ିକର ପାଟ୍ରୋଲିଂ, ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବର ତର୍ଜମା ବୈଠକରେ ସଠିକ ଯୋଜନା ଦ୍ବାରା ଟ୍ରେନ୍ ସେବା ଶୀଘ୍ର ପୁନରୁଦ୍ଧାର ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ବାତ୍ୟା ପୂର୍ବରୁ ସିଗନାଲିଂ ଆଣ୍ଡ ଟେଲିକମ୍ୟୁନିକଟନ୍ ବିଭାଗ ଦ୍ବାରା ବାତ୍ୟା ପାଇଁ ନିୟୋଜିତ କର୍ମଚାରୀଙ୍କୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ରଖାଯାଇଥିଲା, ଯାହାଦ୍ବାରା ଶୀଘ୍ର ସିଗନାଲିଂ ସିଷ୍ଟମ୍ ଓ ପ୍ୟାନେଲ୍ ୱାର୍କସ ଯାଞ୍ଚ କରାଯାଇ ତ୍ବରିତ ପଦକ୍ଷେପ ନିଆଯାଇଥିଲା। ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, ପାରାଦୀପ ବନ୍ଦର ଓ ଧାମରା ବନ୍ଦର ରେଳ ଷ୍ଟେସନ୍ରେ ଗତକାଲି ରାତି ସୁଦ୍ଧା ଲୋଡିଂ ଓ ଅନଲୋଡିଂ ଯନ୍ତ୍ରପାତି, ଟ୍ରାକ୍ର ଯାଞ୍ଚ ସମାପ୍ତ ହେବା ପରେ ପୁଣିଥରେ ଆରମ୍ଭ ହୋଇଥିଲା। ବାତ୍ୟା ପରେ ବିଶେଷ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବାତ୍ୟା ପୂର୍ବରୁ ବାତିଲ ଟ୍ରେନ୍ଗୁଡ଼ିକ ଏବେ ଚଳାଚଳ କରିବ ନାହିଁ। ବାତ୍ୟାକୁ ନଜରରେ ରଖି ଯେଉଁ ଟ୍ରେନ୍ଗୁଡ଼ିକ ବାତିଲ୍ କରାଯାଇଥିଲା, ସେଗୁଡ଼ିକ ପୁଣିଥରେ ଚଳାଚଳ କରିବ।