ନୂଆଗାଁକୁ ଗଡ଼ିଲା ଟ୍ରେନ୍‌, ପ୍ରତିଦିନ ନୂଆଗାଁରୁ ପୁରୀକୁ ରେଳ ଚଳାଚଳ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିପୁଳ ସ୍ବାଗତ ସମ୍ପର୍ଦ୍ଧନା

ନୂଆଗାଁ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କରକମଳରେ ଗୁରୁବାର ଦିନ ନୟାଗଡ଼ ଜିଲ୍ଲା ନୂଆଗାଁ ରେଳଷ୍ଟେସନରୁ ମହିପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନୂଆଗାଁ ଷ୍ଟେସନରୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେଉଥିବାରୁ ନେଇ ସ୍ଥାନୀୟ ଲୋକଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି।

ସୂଚନା ଅନୁସାରେ, ପୁରୀ ରଥଯାତ୍ରା ଉପଲକ୍ଷେ ଜୁଲାଇ ୧, ୮, ୯ ଏବଂ ୧୦ ତାରିଖରେ ଭୋର ୪.୧୦, ସକାଳ ୬.୧୦, ଏବଂ ମଧ୍ୟାହ୍ନ ୧୨.୧୦ ଘଟିକା ସମୟରେ ନୂଆଗାଁ ରେଳଷ୍ଟେସନରୁ ପୁରୀ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଜୁଲାଇ ୧, ୮, ୯ ଏବଂ ୧୦ ତାରିଖରେ ସକାଳ ୯.୩୦, ଅପରାହ୍ନ ୨.୫୫ ଏବଂ ସନ୍ଧ୍ୟା ୫ ଘଟିକା ସମୟରେ ପୁରୀ ରେଳ ଷ୍ଟେସନରୁ ନୂଆଗାଁ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଆସିବ। ସେହିଭଳି, ଜୁଲାଇ ୨ ଏବଂ ୭ ତାରିଖରେ ଭୋର ୪.୧୦, ଏବଂ ମଧ୍ୟାହ୍ନ ୧୨.୧୦ ଘଟିକା ସମୟରେ ନୂଆଗାଁ ରେଳଷ୍ଟେସନରୁ ପୁରୀ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ , ଜୁଲାଇ ୨ ଓ ୭ ତାରିଖରେ ଦିନ ୧୧.୪୫, ସନ୍ଧ୍ୟା ୬.୫୦ ଘଟିକା ସମୟରେ ପୁରୀ ରେଳ ଷ୍ଟେସନରୁ ନୂଆଗାଁ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଆସିବ। ତେବେ, ପ୍ରତିଦିନ ନୂଆଗାଁ ରେଳ ଷ୍ଟେସନରୁ ପୁରୀ ଅଭିମୁଖେ ନୂତନ ଟ୍ରେନ୍‌ ଚାଲିବ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀବୈଷ୍ଣବଙ୍କ ସହ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଇଷ୍ଟକୋଷ୍ଟ ରେଲୱ ଜେନେରାଲ ମ୍ୟାନେଜର ଶରଦ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧା ଡିଆର୍‌ଏମ୍‌ ରିନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ପୁରୀକୁ ସିଧାସଳଖ ଟ୍ରେନ୍‌ସେବାର ପୁନଃ ଆରମ୍ଭ ନେଇ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି କରିଥିଲେ। ନୟାଗଡ଼ ନାଗରିକ ମଞ୍ଚ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଓ ଜନସାଧାରଣଙ୍କ ପକ୍ଷରୁ ବି ଦାବି ହୋଇ ଆସୁଥିଲା।

ସମ୍ବନ୍ଧିତ ଖବର