ଆଜିଠୁ ଓଡ଼ିଶା ଭିତରେ ଗଡ଼ିବ ଟ୍ରେନ୍‌; ୮ରୁ ୩୦ ମଧ୍ୟରେ ୬ଟି ଟ୍ରେନ୍‌ ଚାଲିବ, ଶନିବାର ଓ ରବିବାର ଚାଲିବନି

ଭୁବନେଶ୍ବର : ସୋମବାରଠାରୁ ଓଡ଼ିଶା ଭିତରେ ଗଡ଼ିବ ଟ୍ରେନ୍‌। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୬ଟି ଟ୍ରେନ୍‌ ଚଲାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଜୁନ୍‌ ୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଏହି ଦୁଇ ଦିନ ଟ୍ରେନ୍ ଚାଲିବ ନାହିଁ। ତେବେ କୋରାପୁଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ରବିବାର କୋରାପୁଟ ଛାଡ଼ିବ।

ପୂର୍ବତଟ ରେଳପଥ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୯୩/୦୮୪୯୪) ପ୍ରତିଦିନ ସକାଳ ୬ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ବେଳେ ଅପରାହ୍ନ ୨ଟା ୪୫ରେ ବଲାଙ୍ଗୀର ଛାଡ଼ିବ। ଏହା ମଞ୍ଚେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମୁଣ୍ଡଳି, ତାଳଚେର ରୋଡ, ଅନୁଗୁଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର ରୋଡ, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଂହା ଷ୍ଟେସନରେ ଅଟକିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୬ଟାରେ ଭୁବନେଶ୍ବର ଓ ଜୁନ୍‌ ୯ରୁ ଜୁଲାଇ ୧ ମଧ୍ୟରେ ସକାଳ ୭ଟା ୩୦ରେ ଭଦ୍ରକରୁ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍‌ କେବଳ କଟକ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Image Source: Zee Business

ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ଓ ସକାଳ ୭ଟାରେ ବ୍ରହ୍ମପୁର ଷ୍ଟେସନ(ଜୁନ୍‌ ୯ରୁ ଜୁଲାଇ ୧ ପର୍ଯ୍ୟନ୍ତ) ଛାଡ଼ିବ। ଏହା ଖୋର୍ଦ୍ଧାରୋଡ, ନିରାକାରପୁର, ଭୁଷଣ୍ଡପୁର, କାଳୁପଡାଘାଟ, ବାଲୁଗାଁ, ଖଲ୍ଲିକୋଟ ଓ ଛତ୍ରପୁର ଷ୍ଟେସନରେ ଅଟକିବ। ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌(୦୮୩୦୩/୦୮୩୦୪) ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ଟା ୫୫‌ରେ ଖୋର୍ଦ୍ଧାରୋଡ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍‌ ସମ୍ବଲପୁର ରୋଡ, ଜୁଜୁମରା, ରେଢାଖୋଲ, ବାମରା, ବଇଣ୍ଡା, ଜରପଡ଼ା, ଅନୁଗୁଳ, ତାଳଚେର ରୋଡ, ‌ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ବର, ଭୁବନେଶ୍ବର ଷ୍ଟେସନରେ ରହିବ।

ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ୍‌(୦୮୪୪୭/୦୮୪୪୮) ସପ୍ତାହକୁ ୩ ଥର ଚାଲିବ। ଜୁନ୍‌ ୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସୋମବାର, ବୁଧବାର ଓ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ଛାଡ଼ିବ ଏବଂ ଜୁନ୍‌ ୯ରୁ ଜୁନ୍‌ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଓ ରବିବାର ସନ୍ଧ୍ୟା ୫ଟା ୩୦ରେ କୋରାପୁଟରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ସେହିପରି ରାଉରକେଲା-ଭୁବନେଶ୍ବର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌ ସକାଳ ୫ଟା ୧୦ରେ ରାଉରକେଲା ଓ ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ିବ। ଏହି ଟ୍ରେନ୍‌ ରାଜଗାଙ୍ଗପୁର, ବାମରା, ଝାରସୁଗୁଡ଼ା, ରେଙ୍ଗାଲି, ସମ୍ବଲପୁର ସିଟି, ରେ‌ଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଓ ନରାଜ ମାର୍ଥାପୁର ଷ୍ଟେସନରେ ରହିବ। ଯାତ୍ରୀମାନେ ସଂରକ୍ଷଣ କାଉଣ୍ଟର ଓ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ରେ ଟିକେଟ୍ କରିପାରିବେ। କେବଳ କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର