ବାତ୍ୟା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତି : ଭୁବନେଶ୍ୱର-ଖଡ଼ଗପୁର ମଧ୍ୟରେ ଟ୍ରେନ୍ ଚାଲିବନି

ଭୁବନେଶ୍ବର : ବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛି। ରେଳପଥର ମୁଖ୍ୟାଳୟ(ରେଳ ସଦନ), ବିଶାଖାପାଟଣା, ଖୋର୍ଦ୍ଧାରୋଡ ଓ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ମୁଖ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ସେଲ୍ ଦିନରାତି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଯଦି ବିଦ୍ୟୁତ୍ ଯୋଗାଣ ବନ୍ଦ ହୁଏ, ତେବେ ନିରାପଦ ଟ୍ରେନ୍ ପରିଚାଳନା ପାଇଁ ରେଳପଥ କୌଣସି ରିସ୍କ ନ ନେଇ ଟ୍ରାକ୍‌, ସିଗ୍‌ନାଲିଙ୍ଗ୍ ପଦ୍ଧତି, ବିଦ୍ୟୁତ୍ କାର୍ଯ୍ୟ ଆଦି ପୁନରୁଦ୍ଧାର କରିବାକୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ରଖିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ୍ ଯୋଗାଣ ବନ୍ଦ ହେଲେ ଡିଜେଲ୍ ଇଞ୍ଜିନ୍‌ ମହଜୁଦ ରଖାଯାଇଛି। ଭୁବନେଶ୍ୱର-ଖଡ଼ଗପୁର ମେନ୍‌ ଲାଇନ୍‌ରେ କୌଣସି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ ନାହିଁ।

ଉପକୂଳ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି ହୋଇଥିବାରୁ ଭୁବନେଶ୍ୱର-ଖଡ଼ଗପୁର ରେଳ ଶାଖାର ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ କଡ଼ା ନଜରରେ ରହିଛି। ରେଳ ଟ୍ରାକ୍ ନିକଟରେ ବନ୍ୟା ପାଣି ଜମିବା ଓ ଟ୍ରେନ୍ ପରିଚାଳନାରେ ନିରାପତ୍ତା ଆଦି ପରିସ୍ଥିତି ପାଇଁ ସଜାଗ ରହିବାକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଖ ଡ୍ରେନ୍‌ରୁ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି। ରେଳ ବ୍ରିଜ୍‌ର ଜଳ ନିଷ୍କାସନ ପଥରେ ଗଛ ଓ ଅନ୍ୟାନ୍ୟ ବାଧାକୁ ସଫା କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ସରିଛି। ପାଟ୍ରୋଲ୍‌ ମ୍ୟାନ୍‌, ଚୌକିଦାର ଓ ଡ୍ରାଇଭରଙ୍କ ଦୃଷ୍ଟିରେ ପଡ଼ିଲା ଭଳି ବ୍ରିଜ୍ ନିକଟସ୍ଥ ସ୍ତମ୍ଭଗୁଡ଼ିକରେ କେନାଲ୍ ହୋଇଥିଲେ ପୂରା ସପ୍ଲାଏ ଲେଭେଲ୍(ଏଫ୍‌ଏସ୍‌ଏଲ୍‌) ଓ ବ୍ରିଜ୍ ହୋଇଥିଲେ ବିପଦ ଲେଭେଲ୍(ଡିଏଲ୍‌) ଉଜ୍ଜ୍ୱଳ ଲାଲ୍ ବ୍ୟଣ୍ଡ୍‌ରେ ପେଣ୍ଟିଂ କରାଯିବ। ଟ୍ରାକ୍ ଉପରେ ଯେମିତି ପାଣି ଜମି ନ ରହିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ପାଣି ନିଷ୍କାସନ ନିମନ୍ତେ ଷ୍ଟେସନ୍‌ୟାର୍ଡ଼, କ୍ରସ୍ ଡ୍ରେନ୍ ଓ ଲମ୍ବା ଡ୍ରେନ୍ ପାଇଁ ଆବଶ୍ୟକ ପର୍ଯ୍ୟାୟଭୁକ୍ତ ଭାବେ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଦୁର୍ବଳ ସ୍ଥାନରେ ନିଯୁକ୍ତ ପାଟ୍ରୋଲ୍‌ ମ୍ୟାନ୍ ଓ ଚୌକିଦାର ସହ ଭ୍ରାମ୍ୟମାଣ ପାଟ୍ରୋଲ୍‌ ମ୍ୟାନ୍‌ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହେବ, ସେହି ଶାଖାର ଗ୍ୟାଙ୍ଗ୍‌ମ୍ୟାନ୍‌ମାନେ ନିଜେ ଟ୍ରାକ୍‌ରେ ପହରା ଦେବାର ବନ୍ଦୋବସ୍ତ କରିବାକୁ କୁହାଯାଇଛି।

ଟ୍ରାକ୍ ଓ ବ୍ରିଜ୍ ମରାମତି ନିମନ୍ତେ ପ୍ରଚୁର ପରିମାଣର ଆବଶ୍ୟକୀୟ ସାମଗ୍ରୀ ଯଥା ବୋଲଡର୍‌, ବାଲି, ଅଙ୍ଗାର, ପଥରଗୁଣ୍ଡ, ବାଲାଷ୍ଟ୍ ଆଦି ସ୍ଥାନରେ ରଖାଯିବାର ବ୍ୟବସ୍ଥା ହୋଇଛି। ଇଜିନିୟରିଂ ରିଲିଫ୍‌ ଭ୍ୟାନ୍ ଓ ଏହାର ଯନ୍ତ୍ରପାତିଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ଉଦ୍ଧାରକାରୀ ଗାର୍ଡଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ପଡ଼ିଲେ ବ୍ୟବହାର କରାଯାଇପାରିବ। ଲକ୍‌ ଡାଉନ୍‌ ପାଇଁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ ହୋଇଛି। ଏବେ ‌କେବଳ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌, ଗୋଟିଏ ଏସି ସ୍ୱତନ୍ତ୍ର ଟ୍ରେନ୍‌, ମାଲବାହୀ ଓ ପାର୍ସେଲ୍ ଏକ୍ସପ୍ରେସ୍ ଚଳାଚଳ କରୁଛି। ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ୍‌କୁ ହିଜ୍‌ଲି(ଖଡ଼ଗପୁର)-ଭୁବନେଶ୍ୱର ରୁଟ୍ ପରିବର୍ତ୍ତେ ଭାୟା ଅନୁଗୁଳ-ଝାରସୁଗୁଡ଼ା-ରାଉରକେଲା-ଟାଟା ଦେଇ ୪ ଦିନ ପାଇଁ ଚଳାଚଳ କରିବ। ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସବୁକୁ ବାତିଲ କରି ଦିଆଯାଇଛି। ଭଦ୍ରକ-ଖଡ଼ଗପୁର ରୁଟ୍‌ରେ ଏହି ଟ୍ରେନ୍ ଚଳାଚଳ କରିବ ନାହିଁ।

ସମ୍ବନ୍ଧିତ ଖବର