ଟନେଲରେ ଫସିଲା ମାଲବାହୀ ଟ୍ରେନ୍ : ଇଞ୍ଜିନ୍ ଫେଲ୍ ଯୋଗୁ ୬ ଘଣ୍ଟା ରେଳ ଚଳାଚଳ ବ୍ୟାହତ, ବିଳମ୍ବରେ ଚାଲିଲା ସମଲେଶ୍ବରୀ ସମେତ ୨ ଡିଏମୟୁ ଟ୍ରେନ୍

ରାୟଗଡା/କଲ୍ୟାଣସିଂହପୁର/ଟିକିରି : ଇଞ୍ଜିନ୍ ଫେଲ୍ ଯୋଗୁ ଆଜି ଏକ ମାଲବାହୀ ଟ୍ରେନ୍ ଶିକରପାଇ-କେଉଟଗୁଡା ରେଳ ଷ୍ଟେସନ ମଧ୍ୟରେ ଥିବା ଟନେଲ ଭିତରେ ଅଟକି ଯାଇଥିଲା। ନୂତନ ଇଞ୍ଜିନ୍ ସଂଯୋଗ ପରେ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ବିଭାଗକୁ ପାଖାପାଖି ୬ ଘଣ୍ଟା ସମୟ ଲାଗିଥିଲା। ଫଳରେ ଉକ୍ତ ରୁଟ୍ ଦେଇ ଯାତାୟତ କରୁଥିବା ୩ଟି ଯାତ୍ରୀବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ୬ ଘଣ୍ଟା ବିଳମ୍ବରେ ଯାତ୍ରା କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ରାୟଗଡାରୁ ଦାମନଯୋଡି ଅଭିମୁଖେ ଯାତ୍ରା କରିଥିଲା। ସାଢ଼େ ୯ଟାରେ ଟ୍ରେନ୍ କେଉଟଗୁଡା ଷ୍ଟେସନ ଛାଡି ଶିକରପାଇ ଅଭିମୁଖେ ଯାଉଥିବା ବେଳେ ଶିକରପାଇ ପୂର୍ବ ଟନେଲରେ ଟ୍ରେନ୍ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇ ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଞ୍ଜିନ୍ ଷ୍ଟାର୍ଟ ନ ହେବା ପରେ ଟ୍ରେନ୍ ଆଗକୁ ବଢ଼ି ପାରିନଥିଲା। ଟ୍ରେନ୍ ଡ୍ରାଇଭର୍ ଏ ସଂପର୍କରେ ଶିକରପାଇ ଷ୍ଟେସନ ଅଧିକାରୀଙ୍କୁ ସୂଚନା ଦେବା ପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଅନ୍ୟ ଏକ ଇଞ୍ଜିନ୍ ଘଟଣାସ୍ଥଳକୁ ପଠାଇବା ବ୍ୟବସ୍ଥା କରିଥିଲେ। ସିଙ୍ଗଲ୍ ଲାଇନ୍ ଯୋଗୁ ଏହି ସମୟ ମଧ୍ୟରେ ଜଗଦଲପୁରରୁ ହାୱଡା ଅଭିମୁଖେ ଯାଉଥିବା ସମଲେଶ୍ବରୀ ଏକ୍ସପ୍ରେସ୍ ସିଗନାଲ୍ ନ ପାଇ ଶିକରପାଇ ଷ୍ଟେସନରେ ଅଟକି ରହିଥିଲା। ସେହିପରି ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଏବଂ କୋରାପୁଟରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନ୍ ଭାଲୁମାସ୍କା ଓ କେଉଟଗୁଡା ଷ୍ଟେସନରେ ଅଟକି ରହିଥିଲେ। ଅପରାହ୍ନ ୩ଟାରେ ନୂଆ ଇଞ୍ଜିନ୍ ସଂଯୋଗ ପରେ ମାଲବାହୀ ଟ୍ରେନ୍ ଟନେଲରୁ ବାହାରିବା ପରେ ଅଟକି ରହିଥିବା ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥିଲା। ୬ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ଯୋଗୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର