ରାଉରକେଲା: ଦିନ ରାତି ଯାତ୍ରୀଙ୍କ ଭିଡ ଓ କୋଳାହଳରେ ଫାଟି ପଡୁଥିବା ଷ୍ଟେସନର ପ୍ଲାଟଫର୍ମ ଖାଁ ଖାଁ। କେବଳ ହାତଗଣତି କେଇଜଣ ରେଳ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି। ଏସବୁ ଭିତରେ ଷ୍ଟେସନରେ ରାତି ଦିନ ଝାଳବୁହା ପରିଶ୍ରମ କରୁଥବା କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା। ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଏମାନଙ୍କ ଜୀବନଜୀବିକା ଦୁର୍ବିସହ ହୋଇ ପଡିଛି। ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୧୫୦ରୁ ଅଧିକ କୁଲି ହାତ ବାନ୍ଧି ବସିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୦୦ କୁଲି ପରିବାର ସହ ନିଜ ରାଜ୍ୟ ବିହାର ଓ ଉତ୍ତର ପ୍ରଦେଶକୁ ଚାଲି ଯାଇଛନ୍ତି। ଅନ୍ୟ ୫୦ଜଣ ଲକ୍ଡାଉନ୍ ପରେ ଗାଁକୁ ନଯାଇ ଫସି ରହିଛନ୍ତି। ରୋଜଗାର ଆଶାରେ ଦୈନନ୍ଦିନ ରାଉରକେଲା ଷ୍ଟେସନରେ ମାଲ୍ ଗାଡିକୁ ଚାତକ ପରି ଚାହିଁ ରହୁଛନ୍ତି। ମାଲ ଗାଡି ଆସିବ, ଦି’ ପଇସା ରୋଜଗାର ହେବ, ଏମିତି ଆଶା ନେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା କୁଲିଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡୁଛି। ଆଗକୁ ଟ୍ରେନ ଚଳାଚଳ ନେଇ ଅନିଶ୍ଚିତତା ଥିବାରୁ ଏମାନଙ୍କ ଭବିଷ୍ୟତ କ’ଣ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘର ଭଡା, ରାସନ ଚିନ୍ତା ଏମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
ଏଭଳି କଠିନ ସମୟରେ ରେଳବାଇ ସହାୟତାରେ ହାତ ବଢ଼ାଇବାକୁ ସେମାନେ କେନ୍ଦ୍ର ସରକାରଙ୍କୁ ଗୁହାରି ଜଣାଇଛନ୍ତି। ଜଣେ କୁଲି ଅଜୟ ଯାଦବ କହିଛନ୍ତି, ‘‘ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ହାତ ବାନ୍ଧି ବସିଛୁ। ଷ୍ଟେସନରେ ଯେଉଁ କେତେକ ମାଲ୍ଗାଡି ରହୁଛି, ସେଥିରୁ ଅଧିକାଂଶ କୁଲିକୁ କାମ କରିବାକୁ ଅନୁମତି ଦିଆଯାଉ ନାହିଁ। କରୋନା ଭୟରେ ରେଳବାଇ ବିଭାଗୀୟ ଅଧିକାରୀ ଷ୍ଟେସନ ଭିତରକୁ ପଶିବାକୁ ଦେଉ ନାହାନ୍ତି। କାମ ନ ମିଳିବାରୁ ପୂର୍ବରୁ ବର୍ଷ ବର୍ଷ ଧରି କାମ କରୁଥିବା ପ୍ରାୟ ୧୦୦ କୁଲି ପରିବାର ସହ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଅନ୍ୟ ଯେଉଁମାନେ ରହିଛନ୍ତି ସେମାନେ ଦିନକୁ ଦୁଇଓଳା ଖାଇବାକୁ ପାଉ ନାହାନ୍ତି। କେତେବେଳେ ଘର ମାଲିକ ଭଡା ଦେବାକୁ ଜୁଲୁମ କରୁଛି ତ ପୁଣି କେତେବେଳେ ରାସନ ଦୋକାନ ବାକି ସୁଝିବାକୁ ଧମକ ଦେଉଛି। ଏଭଳି ସ୍ଥିତିରେ ସରକାର କିମ୍ବା ରେଳବାଇ ଆମ ଦୁଃଖ ନ ଶୁଣିଲେ ଆମେ ମଧ୍ୟ ନିଜ ଗାଁକୁ ଚାଲିଯିବୁ।’’ ଅନ୍ୟ ଜଣେ କୁଲି ଦୁଲେଶ୍ବର ଯାଦବ ସେହି ସମାନ ଦୁଃଖ ବଖାଣିଛନ୍ତି, ‘‘ଯେଉଁ ଷ୍ଟେସନରେ ଆମେ ବର୍ଷ ବର୍ଷ ଧରି ଯାତ୍ରୀଙ୍କ ବୋଝ ବୋହୁଥିଲୁ, ରେଳବାଇ ଅଧିକାରୀଙ୍କୁ ବିଭିନ୍ନ ସମୟରେ ସହାୟତା କରୁଥିଲୁ। ଏବେ ଆମ ଦୁଃଖ ଶୁଣିବାକୁ ରେଳବାଇ ଅଧିକାରୀଙ୍କ ପାଖରେ ସମୟ ନାହିଁ। ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ କେତେ କ’ଣ ସହାୟତା କରୁଛନ୍ତି। ସେହିପରି ଆମକୁ କୌଣସି ସରକାରୀ ଯୋଜନାରେ ସାମିଲ କରନ୍ତୁ।’’