ଫନିର ପ୍ରଭାବ : ବିଭିନ୍ନ ସ୍ଥାନରେ ଅଟକିଲା ୬ ଦୂରଗାମୀ ଟ୍ରେନ୍ ,୫ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ

ସମ୍ବଲପୁର: ସାମୁଦ୍ରିକ ବାତ୍ୟା ଫନି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିନାହିଁ। କିନ୍ତୁ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନରେ ୬ଟି ଟ୍ରେନ୍ ଅଟକି ରହିବା ଫଳରେ ବହୁ ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

୧୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପରିବର୍ତ୍ତିତ ମାର୍ଗରେ ସମ୍ବଲପୁର ଦେଇ ଆସୁଥିଲା। ହେଲେ ତାକୁ ଭୋର ୫ଟାରେ ସମ୍ବଲପୁର ସିଟି ଷ୍ଟେସନରେ ଅଟକାଇ ଦିଆ ଯାଇଥିଲା। ତେବେ ସିଟି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ନଥିବାରୁ ଟ୍ରେନ୍ଟିକୁ ସକାଳ ୮ଟା ୨୦ ମିନିଟରେ ସମ୍ବଲପୁର ଜଂକସନ୍ ଷ୍ଟେସନକୁ ଅଣା ଯାଇଥିଲା। ଟ୍ରେନ୍ରେ ୫୫୦ ଜଣ ସଂରକ୍ଷିତ ଟିକେଟଧାରୀ ଯାତ୍ରୀ ଥିବା ବେଳେ ପ୍ରାୟ ୬ଶହ ଜଣ ସାଧାରଣ ବଗିର ଯାତ୍ରୀ ଅଛନ୍ତି।

ସେହିପରି ଟ୍ରେନ୍ ସଂଖ୍ୟା ୧୮୪୦୨ ଓଖା-ପୁରୀ ଏକ୍ସପ୍ରେସ୍ ସକାଳ ୯ଟା ୪୦ରୁ କେସିଙ୍ଗା ଷ୍ଟେସନରେ ଅଟକି ରହିଛି। ଫଳରେ ଟ୍ରେନ୍ରେ ଥିବା ୧ ହଜାର ସଂରକ୍ଷିତ ଟିକେଟଧାରୀ ଯାତ୍ରୀ ଓ ପ୍ରାୟ ୭ଶହ ସାଧାରଣ ଟିକେଟଧାରୀ ଯାତ୍ରୀ ଷ୍ଟେସନରେ ଅଟକି ରହିଛନ୍ତି। ଟ୍ରେନ୍ ସଂଖ୍ୟା ୨୨୯୭୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ ସକାଳ ୮ଟା ୨୫ରୁ ଟିଟିଲାଗଡ଼ ଷ୍ଟେସନରେ ଅଟକି ରହିଛି। ଉକ୍ତ ଟ୍ରେନ୍ରେ ୭୬୫ ଜଣ ସଂରକ୍ଷିତ ଓ ପ୍ରାୟ ୪ଶହ ଜଣ ଅଣସଂରକ୍ଷିତ ଯାତ୍ରୀ ଥିବା ଜଣା ପଡ଼ିଛି।

ସେହିପରି ଟ୍ରେନ୍ ସଂଖ୍ୟା ୨୨୮୬୫ ଏଲଟିଟି-ପୁରୀ ଏକ୍ସପ୍ରେସ୍ ଭୋର ୪ଟା ବେଳେ ସମ୍ବଲପୁର ରେଳ ଷ୍ଟେସନରେ ପହଞ୍ଚି ୨ ଘଣ୍ଟା ଅଟକି ରହିବା ପରେ ତାକୁ ଆଗକୁ ଛାଡ଼ି ଦିଆ ଯାଇଥିଲା। ତେବେ ଟ୍ରେନ୍ଟି ରେଢ଼ାଖୋଲ ପର୍ଯ୍ୟନ୍ତ ଯିବା ପରେ ଆଉ ଆଗକୁ ନଯାଇ ପୁଣିଥରେ ଅପରାହ୍ଣ ୪ଟା ବେଳେ ସମ୍ବଲପୁର ଜଙ୍କସନ୍ ଷ୍ଟେସନକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି। ଏହି ଟ୍ରେନ୍ରେ ୯୭୦ ଜଣ ସଂରକ୍ଷିତ ଓ ପ୍ରାୟ ୫ଶହ ଅଣସଂରକ୍ଷିତ ଟିକେଟଧାରୀ ଯାତ୍ରୀ ଅଛନ୍ତି। ଟ୍ରେନ୍ ସଂଖ୍ୟା ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ସମ୍ବଲପୁର ରେଳ ଷ୍ଟେସନରୁ ଭୋର ୪ଟା ୫ ମିନିଟରେ ଛାଡ଼ିବା ପରେ ତାକୁ ଅନୁଗୁଳ ଷ୍ଟେସନରେ ଅଟକା ଯାଇଛି। ଟ୍ରେନ୍ ସଂଖ୍ୟା ୧୮୪୭୮ ଉତ୍କଳ ଏକ୍ସପ୍ରେସ୍ ରାଉରକେଲା ଷ୍ଟେସନରେ ଅଟକି ରହିଛି।

ସମ୍ବନ୍ଧିତ ଖବର