ଭୁବନେଶ୍ବର: ଟ୍ରେନ୍‌ ଟିକେଟ୍‌ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଚାରି ମାସ ନୁହେଁ, ଏଣିକି ଦୁଇ ମାସ ପୂର୍ବରୁ ଆଡଭାନ୍ସ ବୁକିଂ କରିହେବ। ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସେମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ। ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ରେଲବାଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍‌ ଟିକେଟ୍‌ର ଆଡଭାନ୍ସ ସଂରକ୍ଷଣ ସମୟରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଅଗ୍ରୀମ ସଂରକ୍ଷଣ ଅବଧି ୩୦ ଦିନରୁ ୧୨୦ ଦିନ ମଧ୍ୟରେ ବଦଳିଛି। ଯାତ୍ରୀଙ୍କ ଚାହିଦା ଦୃଷ୍ଟିରୁ ବିଭିନ୍ନ ଅବଧିର ଅଭିଜ୍ଞତାକୁ ଆଧାର କରି ୬୦ ଦିନ ଅଗ୍ରୀମ ସଂରକ୍ଷଣ ଅବଧି ସର୍ବୋତ୍ତମ ସମୟ ଭାବେ ପାଳନ କରାଯାଇଛି।

Advertisment

ଆଗକୁ ୬୦ ଦିନ ଅଗ୍ରୀମ ସଂରକ୍ଷଣର ଲାଭ ଯାତ୍ରୀମାନଙ୍କୁ ମିଳିବ। ଟ୍ରେନ୍‌ ଯାତ୍ରା କରିବାକୁ ଯୋଜନା କରିଥିବା ବ୍ୟକ୍ତିଙ୍କ ପାଇଁ ୧୨୦ ଦିନ ବହୁତ ଲମ୍ବା ରହିଥିଲା। ପରିଣାମ ସ୍ବରୂପ ଯାତ୍ରୀମାନେ ଯାତ୍ରା ପାଇଁ ନ ଆସିବାରୁ ବାତିଲ୍ ଓ ସିଟ୍/ବର୍ଥର ଅପଚୟ ହେଉଥିଲା। ବର୍ତ୍ତମାନ ସ୍ଥିତି ଦେଖିଲେ ପ୍ରାୟ ୨୧% ଟିକେଟ୍ ଶେଷ ମୁହୂର୍ତରେ ବାତିଲ୍‌ ହେଉଥିବା ବେଳେ ୪ରୁ ୫% ଯାତ୍ରୀ ଯାତ୍ରା କରନ୍ତି ନାହିଁ। ଅନେକ କ୍ଷେତ୍ରରେ ଯାତ୍ରୀମାନେ ଟିକେଟ୍ ବାତିଲ୍ କରନ୍ତି ନାହିଁ କି ଯାତ୍ରା କରନ୍ତି ନାହିଁ। ଠକେଇର ଏହା ଏକ କାରଣ।  ଛଦ୍ମନାମ ଉପଯୋଗ କରି ଅଗ୍ରିମ ଟିକେଟ ବୁକ୍‌ କରିବା ଏବଂ ରେଳ ଅଧିକାରୀମାନେ ବେଆଇନ ଭାବରେ ଟଙ୍କା ନେଉଥିବା ପ୍ରସଙ୍ଗ ସବୁ ଏଇଥିରୁ ହିଁ ଜନ୍ମନିଏ। ଏବେ କିନ୍ତୁ ନୂଆ ନିୟମ ଲାଗୁ ଦ୍ବାରା ଏଭଳି ଠକେଇ ରୋକାଯାଇ ପାରିବ। ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବାର ଛୋଟ ଅବଧି ପ୍ରକୃତ ଯାତ୍ରୀମାନଙ୍କ ଦ୍ୱାରା ଅଧିକ ଟିକେଟ୍ ବୁକ୍‌ କରିବାକୁ ପ୍ରୋତ୍ସାହିତ କରିବ। ହେଲେ ସାଧାରଣ ଶ୍ରେଣୀର ଟିକେଟ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ସେମାନେ ଯାତ୍ରା ପୂର୍ବରୁ ଟ୍ରେନ୍‌ ଟିକେଟ କିଣନ୍ତି। 

ନଭେମ୍ବର ପହିଲାରୁ ଲାଗୁ ହେବ ନୂଆ ନିୟମ
ଉପକୃତ ହେବେ ଯାତ୍ରୀ, ଠକେଇ ରୋକିହେବ

୧୯୮୧ ଏପ୍ରିଲରୁ ୧୯୮୫ ଜାନୁଆରି ମଧ୍ୟରେ ଅଗ୍ରୀମ ସଂରକ୍ଷଣ ଅବଧି ୧୨୦ ଦିନ ରହିଥିଲା। ପରବର୍ତ୍ତୀ ସମୟରେ ୧୯୮୫ ଫେବ୍ରୁଆରି ପହିଲାରୁ ୧୯୮୮ ଅଗଷ୍ଟ ୩୧ ମଧ୍ୟରେ ୯୦ ଦିନ, ୧୯୮୮ ସେପ୍ଟେମ୍ବର ୧ରୁ ୧୯୯୩ ସେପ୍ଟେମ୍ବର ୩୦ ମଧ୍ୟରେ ୬୦ ଦିନ, ୧୯୯୩ ଅକ୍ଟୋବର ପହିଲାରୁ ୧୯୯୫ ଜୁନ୍‌ ୩୦ ମଧ୍ୟରେ ୪୫ ଦିନ, ୧୯୯୫ ସେପ୍ଟେମ୍ବର ୧ରୁ ୧୯୯୮ ଜାନୁଆରି ୩୧ ମଧ୍ୟରେ ୩୦ ଦିନ ଥିଲା। ୧୯୯୮ ଫେବ୍ରୁଆରି ୧ରୁ ୨୦୦୭ ଫେବ୍ରୁଆରି ୨୮ ମଧ୍ୟରେ ୬୦ ଦିନ, ୨୦୦୭ ମାର୍ଚ୍ଚ ୧ରୁ ଜୁଲାଇ ୧୪ ମଧ୍ୟରେ ୯୦ ଦିନ, ୨୦୦୭ ଜୁଲାଇ ୧୫ରୁ ୨୦୦୮ ଜାନୁଆରି ୩୧ ମଧ୍ୟରେ ୬୦ ଦିନ, ୨୦୦୮ ଫେବ୍ରୁଆରି ୧ରୁ ୨୦୧୨ ମାର୍ଚ୍ଚ ୯ ମଧ୍ୟରେ ୯୦ ଦିନ, ୨୦୧୨ ମାର୍ଚ୍ଚ ୧୦ରୁ ୨୦୧୩ ଏପ୍ରିଲ ୩୦ ମଧ୍ୟରେ ୧୨୦ ଦିନ, ୨୦୧୩ ମେ’ ପହିଲାରୁ ୨୦୧୫ ମାର୍ଚ୍ଚ ୩୧ ମଧ୍ୟରେ ୬୦ ଦିନ ଓ ୨୦୧୫ ଏପ୍ରିଲ ୧ରୁ ୨୦୨୪ ଅକ୍ଟୋବର ୩୧ ମଧ୍ୟରେ ୧୨୦ ଦିନ ରହିଛି। ଆସନ୍ତା ମାସରୁ ନୂଆ ନିୟମ ଲାଗୁ ହେବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି।