ଭୁବନେଶ୍ବର: ଜୁନ୍ ପହିଲାରୁ ଦେଶରେ ଗଡ଼ିବାକୁ ଥିବା ୨୦୦ ଟ୍ରେନ୍ ପାଇଁ ଆଜିଠାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୧ଟି ଟ୍ରେନ୍ର ୪ ଲକ୍ଷ ୨୩ ହଜାର ୫୫୦ ସିଟ୍ ପାଇଁ ବୁକିଂ ଆରମ୍ଭ ହୋଇଥିଲା। ଆଇଆରସିଟିସି ୱେବସାଇଟ୍ ଓ ଆପ୍ ଜରିଆରେ ପ୍ରଥମ ୩ ଘଣ୍ଟାରେ ୧.୭୯ ଲକ୍ଷ ଯାତ୍ରୀ ଟିକେଟ୍ କ୍ରୟ କରିଛନ୍ତି। ରାତି ସୁଦ୍ଧା ଏହି ସଂଖ୍ୟା ୩ ଲକ୍ଷ ଟପି ଯାଇଛି। ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବିଭିନ୍ନ ଷ୍ଟେସନ୍ରେ ଟିକେଟ୍ କାଉଣ୍ଟର୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଟ୍ରେନ୍ ଚଳାଚଳ କରିବା ପରେ ଷ୍ଟେସନ୍ଗୁଡ଼ିକରେ ଥିବା ଫୁଡ୍ ପ୍ଲାଜାଗୁଡ଼ିକ ଖୋଲିବ। ତେବେ ସେଠାରେ ଯାତ୍ରୀଙ୍କୁ କେବଳ ପାର୍ସଲ ଯୋଗାଣ ହେବ। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ଜଣାପଡ଼ିଛି।
ଉଭୟ ଏସି ଓ ନନ୍-ଏସି ବର୍ଗରେ ଏହି ଟ୍ରେନ୍ ଚଳାଚଳ କରିବ। ସାଧାରଣ ବଗିରେ ବସିବା ପାଇଁ ମଧ୍ୟ ସଂରକ୍ଷିତ ସିଟ୍ ରହିବ। ଟ୍ରେନରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ। ସାଧାରଣ ବଗି ଭଳି ଟିକେଟ୍ ଦର ମଧ୍ୟ ସାଧାରଣ ରହିବ। ସଂରକ୍ଷିତ, ଦ୍ବିତୀୟ ଶ୍ରେଣୀ ସିଟ ପାଇଁ ଭଡ଼ା ଆଦାୟ କରାଯିବ ଓ ସମସ୍ତ ଯାତ୍ରୀଙ୍କୁ ସିଟ୍ ମିଳିବ। ଅଗ୍ରିମ ସଂରକ୍ଷିତ ଟିକେଟ(ଏଆରପି) ର ଅବଧି ସର୍ବାଧିକ ୩୦ ଦିନ ରହିବ। ବର୍ତ୍ତମାନର ନିୟମ ଅନୁଯାୟୀ, ୱେଟିଂ ଲିଷ୍ଟ ଓ ଆରଏସି ପ୍ରସ୍ତୁତ କରାଯିବ। ତେବେ ୱେଟିଂ ଲିଷ୍ଟ ଟିକେଟ୍ଧାରୀ ଯାତ୍ରୀଙ୍କୁ ଟ୍ରେନ୍ରେ ଯାତ୍ରା ନିମନ୍ତେ ଅନୁମତି ମିଳିବ ନାହିଁ। କୌଣସି ଯାତ୍ରୀଙ୍କୁ ଅସଂରକ୍ଷିତ ଟିକେଟ୍ କିମ୍ବା ଯାତ୍ରା ସମୟରେ ଟିକେଟ ଜାରି କରାଯିବ ନାହିଁ। ଏହି ସବୁ ଟ୍ରେନ୍ରେ କୌଣସି ତତ୍କାଳ କିମ୍ବା ପ୍ରିମିୟମ୍ ତତ୍କାଳ ଟିକେଟ୍ ସୁବିଧା ଉପଲବ୍ଧ ହେବ ନାହିଁ। ଟ୍ରେନ୍ ଯାତ୍ରା କରିବାର ୪ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ କରାଯିବ ଓ ୨ ଘଣ୍ଟା ପୂର୍ବରୁ(ସାଧାରଣତଃ ୩୦ ମିନିଟ୍ ଆଗରୁ ପ୍ରସ୍ତୁତ ହୋଇଥାଏ) ଦ୍ବିତୀୟ ଚାର୍ଟ ପ୍ରସ୍ତୁତ କରାଯିବ। ପ୍ରଥମ ଓ ଦ୍ବିତୀୟ ଚାର୍ଟ ପ୍ରସ୍ତୁତି ମଧ୍ୟରେ କେବଳ ଅନ୍ଲାଇନ୍ କରେଣ୍ଟ ବୁକିଂକୁ ଅନୁମତି ମିଳିବ। ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ। ଲକ୍ଷଣ ନଥିବା ଯାତ୍ରୀଙ୍କୁ ଷ୍ଟେସନ୍ରେ ପ୍ରବେଶ ଓ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ।
ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିଲେ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ଲାଗି ଅନୁମତି ମିଳିବ। ପ୍ରବେଶ ଓ ଯାତ୍ରା ସମୟରେ ମୁହଁ ଘୋଡ଼ାଇବା ଓ ମାସ୍କ ପିନ୍ଧିବା ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ୯୦ ମିନିଟ୍ ପୂର୍ବରୁ ଷ୍ଟେସନ୍ରେ ପହଞ୍ଚିବେ। କୌଣସି ଲକ୍ଷଣ ନଥିଲେ ହିଁ ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ। ଉଭୟ ଷ୍ଟେସନ୍ ଓ ଟ୍ରେନରେ ଯାତ୍ରୀମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ଗନ୍ତବ୍ୟରେ ପହଞ୍ଚିବା ପରେ ସେଠାକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଅନୁମୋଦିତ ସ୍ବାସ୍ଥ୍ୟ ନିରାପତ୍ତା ନିୟମ ଯାତ୍ରୀଙ୍କୁ ପାଳନ କରିବାକୁ ହେବ। ଏସବୁ ସ୍ବତନ୍ତ୍ର ଟ୍ରେନ୍ରେ କେବଳ ତିନୋଟି ବର୍ଗର ଦିବ୍ୟାଙ୍ଗଜନ ରିହାତି ଓ ୧୧ଟି ବର୍ଗରେ ରୋଗୀ ରିହାତି ମିଳିବ।