ଟ୍ରେନ୍‌ ସେବା ଉପରେ ‘କରୋନା’ର ପ୍ରଭାବ : ୬ ଦିନରେ ଲକ୍ଷେ ରେଳ ଟିକଟ୍‌ ବାତିଲ, ୧୦ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଟ୍ରେନ୍‌ ସେବା ଉପରେ ପଡ଼ିଛି ‘କରୋନା’ର ପ୍ରଭାବ। ପୂର୍ବତଟ ରେଳପଥ ସମେତ ଦେଶର ସମସ୍ତ ରେଳପଥ ଏହାଦ୍ବାରା ପ୍ରଭାବିତ ହୋଇଛି। ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନ୍‌ ଟିକଟ୍‌ ବାତିଲ୍‌ କରୁଥିବା ନଜରକୁ ଆସିଛି। ଗତ ସପ୍ତାହକ ମଧ୍ୟରେ ଟ୍ରେନ୍‌ ଟିକଟ୍‌ ବାତିଲ୍‌ ସଂଖ୍ୟା ଶୀର୍ଷରେ ପହଞ୍ଚିଛି। ପୂର୍ବତଟ ରେଳପଥରେ ଗତ ୬ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯାତ୍ରୀ ଟିକଟ୍‌ ବାତିଲ୍‌ କରିଛନ୍ତି। ଏହି ବାତିଲ୍‌ ସ˚ଖ୍ୟା ଗତବର୍ଷ ବାତିଲ୍‌ ହୋଇଥିବା ଟିକଟ ସ˚ଖ୍ୟାଠାରୁ ୬୭ ପ୍ରତିଶତ ଅଧିକ। ଏଭଳି ସ୍ଥିତି ପୂର୍ବରୁ କେ‌ବେ ବି ଦେଖିବାକୁ ମିଳି ନ ଥିଲା।

ସାରା ଦେଶରେ ସ୍ଥିତି ଆହୁରି ସଙ୍ଗୀନ। ଭାରତୀୟ ରେଳପଥରେ ଟିକଟ୍‌ ବାତିଲ ସ˚ଖ୍ୟା ଗତବର୍ଷ ଅପେକ୍ଷା ୮୦ ପ୍ରତିଶତ ପହଞ୍ଚିଲାଣି। ଯାତ୍ରୀ ସ˚ଖ୍ୟା କମିବା ଦୃଷ୍ଟିରୁ, ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୫ ଯୋଡ଼ା(୧୦ଟି ଟ୍ରେନ୍‌) ସ୍ବତନ୍ତ୍ର ଟ୍ରେନ୍‌କୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି। ଯାତ୍ରୀ ଟିକଟ୍‌ ବୁକି˚ ଉପରେ ନିୟମିତ ଭାବେ ବିଶ୍ଳେଷଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟ୍ରେନ୍‌ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ। ପୂର୍ବତଟ ରେଳପଥର ଭୁବନେଶ୍ବର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନ୍‌ଗୁଡ଼ିକରୁ ଚାଦର(ବ୍ଲାଙ୍କେଟ୍‌) ଓ ପରଦାକୁ ବାହାର କରି ଦିଆଯାଇଛି। ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ସାଲ୍, ବେଡ୍‌ସିଟ୍‌ ଇତ୍ୟାଦି ସାଙ୍ଗରେ ନେଇପାରିବେ। ସେମାନେ ରେଲୱେ ଦ୍ବାରା ପ୍ରଦାନ କରାଯାଇଥିବା ଚାଦର କି ବେଡ୍‌ସିଟ୍‌ ବ୍ୟବହାର କରିପାରିବେ କିମ୍ବା ନିଜର ବ୍ୟବହାର କରିପାରିବେ।

କରୋନା ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ସ୍ବତନ୍ତ୍ର ଟ୍ରେନ୍‌ ସେବାକୁ ଅସ୍ଥାୟୀ ରୂପେ ବାତିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ବିଶାଖାପାଟଣା-ସିକନ୍ଦରାବାଦ୍‌-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୧/୦୮୫୦୨)କୁ ବିଶାଖାପାଟଣାଠାରୁ ଆସନ୍ତା ୧୭, ୨୪ ଓ ୩୧ ତାରିଖ ଏବଂ ସିକନ୍ଦରାବାଦ୍‌ଠାରୁ ମାର୍ଚ୍ଚ ୧୮, ୨୫ ଓ ଏପ୍ରିଲ ୧ ତାରିଖରେ ବାତିଲ୍‌ କରାଯିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୭୩/୦୮୫୭୪)କୁ ମାର୍ଚ୍ଚ ୨୩ ଓ ୩୦ରେ ବିଶାଖାପାଟଣାଠାରୁ ଓ ମାର୍ଚ୍ଚ ୨୪ ଓ ୩୧ରେ ତିରୁପତିଠାରୁ ବାତିଲ୍‌ କରାଯିବ। ସମ୍ବଲପୁର-ବନସ୍‌ୱାଡି-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌(୦୮୩୦୧/୦୮୩୦୨) ମାର୍ଚ୍ଚ ୧୮, ୨୫ରେ ସମ୍ବଲପୁରଠାରୁ ଏବ˚ ବନସ୍‌ୱାଡିଠାରୁ ଆସନ୍ତା ୧୯, ୨୬ ତାରିଖରେ ବାତିଲ୍‌ ହେବ। ଭୁବନେଶ୍ବର-ସିକନ୍ଦରାବାଦ୍‌-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌(୦୮୪୦୭/୦୮୪୦୮) ଭୁବନେଶ୍ବରଠାରୁ ଆସନ୍ତା ୧୯ ଓ ୨୬ ତାରିଖ ଏବ˚ ସିକନ୍ଦରାବାଦ୍‌ଠାରୁ ମାର୍ଚ୍ଚ ୨୦ ଓ ୨୭ ତାରିଖ ଦିନ ବାତିଲ୍‌ ରହିବ। ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍‌(୦୮୪୦୩/୦୮୪୦୪)ମାର୍ଚ୍ଚ ୨୦ ଓ ୨୭ରେ ପୁରୀଠାରୁ ଓ ସାନ୍ତ୍ରାଗାଛିଠାରୁ ମାର୍ଚ୍ଚ ୨୧ ଓ ୨୮ ତାରିଖ ଦିନ ଚଳାଚଳ କରିବ ନାହିଁ।

ସମ୍ବନ୍ଧିତ ଖବର