ରାୟଗଡ଼ା: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ‌ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ଉଦ୍ଧାର ପାଇଁ ଭୁବନେଶ୍ୱରରୁ ଏକ ଟିମ୍‌ ବିଶାଖାପାଟଣା ଅଭିମୁଖେ ବାହାରିଛି।

Advertisment

publive-image

ସୂଚନା ଅନୁସାରେ ବିଶାଖାପାଟଣା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍‌କୁ ପଛପଟରୁ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା। ଫଳରେ ବିଶାଖାପାଟଣା-ରାୟାଗଡା ଟ୍ରେନ୍‌ର ତିନୋଟି ବଗି ଯାହାକି ଭାଙ୍ଗି ଚୁର ମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଅନ୍ଧାର ଭିତରେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ି ଏଣେତେଣେ ଦୌଡ଼ି ପଳାଇଥିଲେ। ଏହି ଦୁର୍ଘଟଣାରେ ଶତାଧିକ ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଘଟିଥିବା ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା ନେଇ ପୂର୍ବତଟ ରେଳପଥ ପକ୍ଷରୁ  ୩ଟି ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ସେଗୁଡ଼ିକ ହେଲା ୦୬୭୪-୨୩୦୧୬୨୫, ୨୩୦୧୫୨୫ ଓ ୨୩୦୩୦୬୯। 

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ବିଜୟନଗରମ୍‌ ଟ୍ରେନ୍‌ ଦୁର୍ଘଟଣା ନେଇ ଅବଗତ ହୋଇଛନ୍ତି। ଦୁର୍ଘଟଣାରେ ପୀଡିତ ଲୋକଙ୍କ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।