ଶୀତଳଭଣ୍ଡାରରେ ଅବକାରୀ ତାଲିମ୍ କଲେଜ ପ୍ରସ୍ତାବ: ବିନା ତାଲିମରେ ୧୬୬୧ ଜଣଙ୍କୁ ଚାକିରି

ଆଇନ ଜାଣୁ ନ ଥିବାରୁ ଅଡ଼ୁଆ

କଟକ: ଅବକାରୀ ବିଭାଗରେ ଆଇନ ଜାଣନ୍ତି ନାହିଁ କନଷ୍ଟେବଳରୁ ଏଏସ୍‌ଆଇ ପାହ୍ୟାର ଅଧିକାରୀ। ବିଭାଗରେ କାମ କରୁଥିବା କନଷ୍ଟେବଳରୁ ଏଏସଆଇ(ଆସିଷ୍ଟାଣ୍ଟ ସବ୍-ଇନସ୍ପେକ୍ଟର) ପାହ୍ୟା ଯାଏ କର୍ମଚାରୀଙ୍କ କୌଣସି ପ୍ରକାର ତାଲିମ୍ ବ୍ୟବସ୍ଥା ବିଭାଗ ଆରମ୍ଭରୁ ହିଁ ନାହିଁ। ତାଲିମ୍ ବ୍ୟବସ୍ଥା ନଥିବାରୁ ସିଆରପିସି, ଆଇପିସି ସଂକ୍ରାନ୍ତରେ ଦକ୍ଷତା ହାସଲରୁ ଏମାନେ ବଞ୍ଚିତ ହେଉଛନ୍ତି। ଏସ୍‌ଆଇଙ୍କ ପାଇଁ ତାଲିମ ବ୍ୟବସ୍ଥା ଥିଲେ ବି ୪ ବର୍ଷ ହେବ ସେମାନଙ୍କର ବି ତାଲିମ୍ କାର୍ଯ୍ୟକ୍ରମ ହୋଇନାହିଁ। ୧୨ ବର୍ଷ ତଳେ ଅବକାରୀ ବିଭାଗର ସ୍ବତନ୍ତ୍ର ତାଲିମ କଲେଜ ଖୋଲିବା ପ୍ରସ୍ତାବ ଆଜି ବି ଅନିଶ୍ଚିତତାରେ। ତାଲିମ ନହେବାରୁ ଆଇନ କାନୁନ ସମ୍ପର୍କିତ ମୌଳିକ ଜ୍ଞାନ ହାସଲରୁ ବଞ୍ଚିତ ଥିବାରୁ ବିଭାଗରେ କାମ କରୁଥିବା ୧୬୬୧ରୁ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏବେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।

ପୁଲିସ ବିଭାଗରେ କନଷ୍ଟେବଳ ଚାକିରି ସମୟରେ ୯ ମାସିଆ ତାଲିମ ଦିଆଯାଏ। କନଷ୍ଟେବଳରୁ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ସମୟରେ ଲିଖିତ ପରୀକ୍ଷା ଉତ୍ତୀର୍ଣ୍ଣ ପରେ ପୁଣି ୪ ମାସିଆ ତାଲିମ ଦିଆଯାଏ। ଏଏସଆଇରୁ ଏସଆଇକୁ ପଦୋନ୍ନତି ସମୟରେ ପୁଣି ୪ ମାସିଆ ତାଲିମ ହୁଏ। ତାଲିମ କଲେଜରେ ସର୍ବାଧିକ ସମୟ ଆଇନ କାନୁନ ସମ୍ପର୍କିତ ପାଠ ପଢ଼ାଯାଏ। ଅବକାରୀ ବିଭାଗରେ କନଷ୍ଟେବଳ ଚାକିରି ସମୟରେ କୌଣସି ତାଲିମ ବ୍ୟବସ୍ଥା ନଥିବା ବେଳେ କନଷ୍ଟେବଳରୁ ଏଏସଆଇ ପାହ୍ୟାକୁ ପଦୋନ୍ନତି କେବଳ ବରିଷ୍ଠତା ଭିତ୍ତିରେ ଚୟନ କରାଯାଏ। ଏଥିପାଇଁ ବି କୌଣସି ପ୍ରକାର ତାଲିମ ଏବଂ ଲିଖିତ ପରୀକ୍ଷା ବ୍ୟବସ୍ଥା ନାହିଁ। ବିନା ତାଲିମ୍ ଓ ଲିଖିତ ପରୀକ୍ଷାରେ ପଦୋନ୍ନତି କରାଯାଏ। ଏଏସଆଇରୁ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଁ ତାଲିମ ବ୍ୟବସ୍ଥା ଥିବା ବେଳେ ୨୦୧୮ ପରଠାରୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ କୌଣସିପ୍ରକାର ତାଲିମ ହୋଇ ନଥିବା କୁହାଯାଉଛି।

୨୦୦୬-୦୭ରେ କନଷ୍ଟେବଳ ନିଯୁକ୍ତି ଓ ଏଏସଆଇକୁ ପଦୋନ୍ନତି ପାଇଁ ତାଲିମ ବ୍ୟବସ୍ଥା ଲାଗୁ ପାଇଁ ଅବକାରୀ ବିଭାଗକୁ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତାବ ଯାଇଥିଲା। ଏଥିରେ ପୁଲିସ ଭଳି ଶାରୀରିକ ଯୋଗ୍ୟତା(ପିଟି) ସହିତ ଅବକାରୀ ଚଢ଼ଉ ସମୟରେ ସତର୍କତା ଅବଲମ୍ବନ, ଗୁଇନ୍ଦା ତଥ୍ୟ ସଂଗ୍ରହ କୌଶଳ, ଅବକାରୀ ଆଇନ, ସିଆରପିସି, ଆଇପିସି ସଂକ୍ରାନ୍ତରେ ତାଲିମ୍ ଦିଆଯାଇଥାନ୍ତା। କିନ୍ତୁ ଏହି ପ୍ରସ୍ତାବ ଅଧାରେ ଅଟକିଗଲା। ବ୍ରିଟିସ୍ ଅମଳରୁ ଏଭଳି ବିଚିତ୍ର ନିୟମରେ ପରିବର୍ତ୍ତନ ହୋଇନଥିବାରୁ ଏବେ ଅବକାରୀ ବିଭାଗରେ କାମ କରୁଥିବା ୩୨୪ ଏଏସଆଇ ଏବଂ ୧୩ଶହ ୩୭ କନଷ୍ଟେବଳଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ୨୦୧୮ ପରଠାରୁ ଏସଆଇ ତାଲିମ ହୋଇନଥିବା କୁହାଯାଉଥିବାରୁ ଏବେ ରାଜ୍ୟରେ ଥିବା ମୋଟ ଏସଆଇ ୨୭୮ରୁ ପଦୋନ୍ନତି ଓ ସିଧାସଳଖ ନିଯୁକ୍ତ ପାଇଥିବା ଅଧିକାରୀ ବି ଅଛନ୍ତି। ୪୦ ପ୍ରତିଶତ କେବଳ କନଷ୍ଟେବଳରୁ ପଦୋନ୍ନତି ପାଇ ଆସିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ତାଲିମ୍ ଆଜି ସୁଦ୍ଧା ମିଳିନାହିଁ। ତାଲିମରୁ ବଞ୍ଚିତ ସଂଖ୍ୟା ୧୬ଶହ ୬୧ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି।

ଅବକାରୀ ବିଭାଗର ନିଜସ୍ବ ତାଲିମ କଲେଜ ନଥିବାରୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି ଓ ଅନୁଗୁଳ ପୁଲିସ ତାଲିମ କଲେଜରେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିମ ପାଇଁ ଏକ ଚୁକ୍ତି ସ୍ବାକ୍ଷର ହେଇଥିଲା। ଅଦୃଶ୍ୟ କାରଣ ପାଇଁ ଅବକାରୀ ବିଭାଗକୁ ତାଲିମ ପାଇଁ ଅନୁମତି ମିଳୁ ନଥିବା କୁହାଯାଉଛି। ୨୦୧୦ରେ ଭୁବନେଶ୍ବରରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି ନିକଟରେ ଅବକାରୀ ବିଭାଗର ତାଲିମ କଲେଜ ଖୋଲିବା ପାଇଁ ପ୍ରସ୍ତାବ ଯାଇଥିଲା। ଏହି କଲେଜ ପାଇଁ କର୍ମଚାରୀ ପଦବି ସଂଖ୍ୟା ବି ଚୂଡ଼ାନ୍ତ ହୋଇଥିଲା। ଏକକାଳୀନ ୧୦୦ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବାର ଯୋଜନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ତାଲିମ କଲେଜ ପ୍ରକଳ୍ପ ଆଗକୁ ବଢ଼ିପାରିଲା ନାହିଁ। ବିନା କୌଣସି ପ୍ରକାର ତାଲିମରେ ଅବକାରୀ ଅଧିକାରୀ ଓ କର୍ମଚାରୀ କାମ କରୁଥିବାରୁ ବିଭିନ୍ନ ସମୟରେ ଅଡ଼ୁଆ ସ୍ଥିତି ସୃଷ୍ଟିହେଉଛି। ତେବେ, ବିନା ଆଇନଗତ ଦକ୍ଷତାରେ ଏଭଳି କେତେଦିନ ଅବକାରୀ କର୍ମଚାରୀ ରାଜ୍ୟରେ କାମ କରିବେ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର