କୋଭିଡ୍‌-୧୯ର ଚିକିତ୍ସା ପ୍ରକ୍ରିୟା ବିଷୟରେ ଡାକ୍ତର, ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ନିର୍ଦେଶ

ମେଡିକାଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବେ
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ବର : କରୋନା ବା କୋଭିଡ୍‌-୧୯ର ଚିକିତ୍ସା ପ୍ରକ୍ରିୟା ବିଷୟରେ ଡାକ୍ତର, ମେଜିକାଲ କର୍ମଚାରୀ ଓ ପାରା ମେଜିକାଲ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଦୁଇଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ସରକାର ଦାୟିତ୍ବ ପ୍ରଦାନ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ସମସ୍ତ ମେଡିକାଲ୍‌ କଲେଜ୍‌ରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା ୭ମ, ୮ମ ଓ ୯ମ ସେମିଷ୍ଟର ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବି ସାମିଲ କରିବା ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, କରୋନା ରୋଗର ଲକ୍ଷଣ, ଏହାର ଚିକିତ୍ସା ପଦ୍ଧତି ଓ ବିଶେଷକରି ରୋଗୀକୁ ଚିକିତ୍ସା କଲାବେଳେ କି କି ଧ୍ୟାନ ଦେବାକୁ ପଡ଼ିବ ସେଥିପାଇଁ ଚିକିତ୍ସା ସେବା ଯୋଗାଉଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଶିକ୍ଷଣ ପରେ ଆବଶ୍ୟକ ମୁତାବକ ଯେ କୌଣସି ସ୍ଥାନକୁ ସ୍ବାସ୍ଥ୍ୟ କର୍ମୀଙ୍କୁ ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ। ମହିଳା ଓ ଶିଶୁ ବିକାଶ ତଥା ଶ୍ରମ ଓ ଇଏସ୍‌ଆଇ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଓ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂପିନ୍ଦର ସିଂହ ପୁନିଆଙ୍କୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର