୨୪୦ ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ବୈଷୟିକ ଦକ୍ଷତା ତାଲିମ୍‌

ସିପେଟ୍ ସହାୟତାରେ କୋରାପୁଟ ଡିଏମ୍ଏ‌ଫ୍‌ର ନିଯୁକ୍ତି ବ୍ୟବସ୍ଥା

ଭୁବନେଶ୍ବର: ମଞ୍ଚେଶ୍ୱରସ୍ଥିତ ସିପେଟ୍ ସିଏସ୍ ଟିଏସ୍ ଏବଂ ଜିଲ୍ଲା ଖଣିଜ ପାଣ୍ଠି କୋରାପୁଟର ମିଳିତ ଆନୁକୂଲ୍ୟରେ କୋରାପୁଟର ଖଣି ଖନନ ପ୍ରଭାବିତ ବ୍ଲକ ଗୁଡିକର ୨୪୦ ଜଣ ବେରୋଜଗାର ଯୁବକ-ଯୁବତୀ ମାନଙ୍କୁ ଛଅ ଗୋଟି ଟ୍ରେଡରେ ସିପେଟରେ ବୈଷୟିକ ଦକ୍ଷତା ତାଲିମ୍‌ ଦିଆଯିବାକୁ ସ୍ଥିର କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପାଣ୍ଠିର ସହାୟତାରେ ସିପେଟ୍‌ରେ ଏବେ ପାଞ୍ଚଗୋଟି ବ୍ୟାଚ୍ ଆରମ୍ଭ ହୋଇଥିବାବେଳେ ଅନ୍ୟ ଗୋଟିଏ ବ୍ୟାଚ୍ ଆରମ୍ଭ ହେବାକୁ ଯାଉଛି।

କୋରାପୁଟର ଖଣି ଖନନ ପ୍ରଭାବିତ ବ୍ଲକ ତଥା ଦୁଷ୍ମନ୍ତପୁର, ଶିମିଳିଗୁଡା, ଲଷ୍ମୀପୁର, ନାରାୟଣପାଟଣା, କୋରାପୁଟ, ପଟାଙ୍ଗୀ ଆଦି ଅଞ୍ଚଳରୁ ଜିଲ୍ଲା ଖଣିଜ ପାଣ୍ଠି କୋରାପୁଟର ସହାୟତାରେ ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ଚୟନକରି ସିପେଟ୍‌ରେ MOPP, MOTR, MOIM ଏଵଂ CNC-LATHE ଟ୍ରେଡ୍‌ରେ ଟ୍ରେନିଂ ଦିଆଯାଉଅଛି।

ସୂଚନାଯୋଗ୍ୟଯେ ଇତି ମଧ୍ୟରେ ଦୁଇଗୋଟି ଟ୍ରେଡ଼୍ ଯଥା MOPP ଏବଂ MOTR ଶେଷ ହୋଇଥିବାବେଳେ ଏହାର ୫୪ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସିପେଟ୍ ତରଫରୁ ଭାରତର ବିଭିନ୍ନ ଇଣ୍ଡଷ୍ଟ୍ରିରେ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ଏହି ଦୁଇଗୋଟି ଟ୍ରେଡର ପରିସମାପ୍ତି ଅବସରରେ ସିପେଟ୍‌ର ମୁଖ୍ୟ ତଥା ପ୍ରିନ୍ସିପାଲ ଡାରେକଟର ପିକେ. ସାହୁଙ୍କ ଉଦ୍ୟମରେ ଉଦ୍‌ଯାପନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସଫଳରୂପେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କପାଇଁ ପୁନେ ସ୍ଥିତ TATA AUTOCOMP, PRECISION SEALS PVT LTD. ଏଵଂ ଦାମନସ୍ଥିତ KABRA EXTRUSION PVT LTD. ରେ ନିଯୁକ୍ତିର ବ୍ୟବସ୍ଥା କରାଯାଇ ସେମାନଙ୍କୁ ମାନପତ୍ର ସହ ନିଯୁକ୍ତିପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।

ଏହି ପାଠ୍ୟକ୍ରମର ଉଦ୍‌ଯାପନୀ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି କୋରାପୁଟ ତରଫରୁ ହିମାଂଶୁ ଶତପଥୀ ଏବଂ ସିପେଟ୍‌ର ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ଶତପଥୀ ସିପେଟ୍‌କୁ ଧନ୍ୟବାଦ ଅର୍ପଣ କରିବା ସହ ସଫଳ ରୂପରେ ସିପେଟ୍ ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥା କରିପାରୁଥିବାରୁ ଆଗାମୀ ବର୍ଷରେ ବହୁ ସଂଖ୍ୟକ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସୁଯୋଗ ଦିଆଯିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡିଏମ୍ଏଫ୍‌ର ପ୍ରଶାନ୍ତ ପଟ୍ଟନାୟକ ଏବଂ ସିପେଟ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର