ଭୁବନେଶ୍ବର : ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ସହ ଲୋକପ୍ରତିନିଧି ଆଇନ ୧୯୫୦/୫୧ରେ କରାଯାଇଥିବା ସଂଶୋଧନ ସମ୍ପର୍କରେ ଗୁରୁବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୬ଟି ଜିଲ୍ଲାର ମାଷ୍ଟର ଟ୍ରେନରଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମଧୁସୂଦନ ଏକାଡେମି ଠାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତ୍ରୁଟି ଶୂନ୍ୟ ଭୋଟର ତାଲିକାର ପ୍ରସ୍ତୁତି ଓ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସମ୍ପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ।
ଜିଲ୍ଲାସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରି ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ନୂତନ ଭୋଟରମାନଙ୍କଠାରୁ ଫର୍ମ ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ୍ କରିବା, ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ସଂଶୋଧିତ ହୋଇଥିବା ନୂତନ ଫର୍ମ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ୪ଟି ଯୋଗ୍ୟତାସୂଚକ ତାରିଖ , ଭୋଟର ତାଲିକାରେ ସ୍ବେଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ନିମନ୍ତେ ନୂତନ ଫର୍ମ ନଂ ୬(ଖ) ଆଦି ସମ୍ପର୍କରେ ତାଲିମ୍ ଦିଆଯାଇଥିଲା। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରଘୁରାମ ଆର୍. ଆୟାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଭୁବନେଶ୍ବର ଆସିଷ୍ଟାଣ୍ଟ କଲେକ୍ଟର ସମୀର ଦାସ, କଳାହାଣ୍ଡିର ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଏଏସ୍ଇ ଇଦ୍ରିଶ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ରହି ଏହି ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୬ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/CEO-1.jpg)