ଭୁବନେଶ୍ବର : ଜାନୁଆରି ୪ରୁ ୨୬ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। କେଉଁ ସମୟ ଅବଧି ମଧ୍ୟରେ ଛାତ୍ରୀମାନଙ୍କୁ ତାଲିମ ଦିଆଯିବ ତାହାର ରୂପରେଖ ବିଦ୍ୟାଳୟର ଅଧ୍ୟକ୍ଷମାନେ ପ୍ରସ୍ତୁତ କରିବେ। ପ୍ରତି ଜିଲ୍ଲା ନୋଡାଲ ସେଣ୍ଟରର ଅଧିକାରୀମାନେ ୮ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବାକୁ ଥିବା ଯୁକ୍ତ୨ କଲେଜ ପରିଦର୍ଶନ ସହ ତଦାରଖ କରିବେ। ପ୍ରଶିକ୍ଷଣ ପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ବିଲ୍କୁ ନୋଡାଲ ସେଣ୍ଟର ଅଧିକାରୀମାନେ ଅନୁମତି ପ୍ରଦାନ କରିବେ। ପ୍ରତିଦିନ ଘଣ୍ଟାଏ ଲେଖାଏ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯିବ। ପ୍ରଶିକ୍ଷଣର ୮ମ ଦିନରେ ଛାତ୍ରୀଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯିବ।
ଏନେଇ ନୋଡାଲ ସେଣ୍ଟର ଅଧୀନରେ ଥିବା ସମସ୍ତ ଯୁକ୍ତ୨ କଲେଜଗୁଡ଼ିକୁ ୩୦ତାରିଖରେ ସୂଚନା ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ବିଳମ୍ବ ହେବା ନେଇ ଗତ ସପ୍ତାହରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହ ଆଜି ୩୦ଟି ନୋଡାଲ ସେଣ୍ଟର ଅଧିକାରୀ ତଥା କଲେଜ ଅଧ୍ୟକ୍ଷଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।