ଓଡ଼ିଶାରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରି ସମସ୍ୟାକୁ ନେଇ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ  ବିରୋଧୀ ସରକାରଙ୍କୁ ଘେରିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତର ସମୟରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି।ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। ୨୦୧୪ରେ ବିଜେଡି ତା ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ଜଣଙ୍କୁ ଚାକିରି ଦେଵ। ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରି ବୋଲି ପ୍ରଶ୍ନ କରିଛନ୍ତି ତାରା। ବିଦ୍ୟାଳୟ ଖୋଲାଯାଉଛି ହେଲେ ଶିକ୍ଷକ ନିଯୁକ୍ତି ହେଉନାହିଁ। ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହିତ କରିଛନ୍ତି ସରକାର। ଗାଁ ଗାଁ ରେ ମଦ ଦୋକାନ ଖୋଲିଛନ୍ତି।

ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି,  ସେଇଭଳି ମନ୍ତ୍ରୀ ବହାସ୍ପୋଟ ମାରିଛନ୍ତି, ପାଣିଚିଆ ଉତ୍ତର ରଖିଛନ୍ତି। ବେରୋଜଗାରୀକୁ ସରକାର ପ୍ରାଥମିକତା ଦେଇନାହାଁନ୍ତି। ନିର୍ବାଚନ ବୈତରଣୀ ପାର ହେବାକୁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ସର୍ବାଙ୍ଗୀନ ବିକାଶ କଥା ଯାହା କହୁଛନ୍ତି ତାହା ହାସ୍ୟାସ୍ପଦ।୧୯୯୯ରୁ ୨୦୦୮ ମଧ୍ୟରେ ୪୫, ୫୧୩ ମୂଳ ପଦବୀ ଉଛେଦ ହୋଇଛି।

ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଆଧାରରେ ୨ ଲକ୍ଷ ୨୬,୫୧୩ ପଦବୀ ଖାଲି ପଡ଼ିଛି। ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। ବେକାରୀ ସମସ୍ୟା ରହିବାରେ ସରକାରଙ୍କ ଭୂମିକା ରହିଛି। ଅମଲାତନ୍ତ୍ର, ଅହଂକାର, ଦୁର୍ନୀତିରେ ସରକାର ଡୁବି ରହିଛନ୍ତି। ବେକାରିକୁ ଭସ୍ମାସୁର ଭାବେ ତିଆରି କରୁଛନ୍ତି। ଯେଉଁଦିନ ଭସ୍ମାସୁର ଛୁଇଁବ ସେଦିନ ସରକାର ଭସ୍ମ ହୋଇଯିବେ।୨୨ ବର୍ଷ ଭିତରେ ଅପାରଗତା ଓ ସ୍ଥାଣୁତା ପାଇଁ ବେକାରି ବଢିଛି।

ଏଣେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି, ଓଡ଼ିଶାରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି। ୨୦୧୧-୧୨ରୁ ୨୦୨୧-୨୨ ପର୍ଯ୍ୟନ୍ତ ୧ ଲକ୍ଷ ୫୬୪ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ୮୨ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।୨୦୦୮-୦୯ରୁ ୨୦୨୧-୨୨ ବର୍ଷ ଭିତରେ ୩୦ଟି ଜିଲ୍ଲାରେ ୨୯୬ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି।ମୋଟ ୫ ଲକ୍ଷ ୬୦ ହଜାର ୪୫ ଯୁବବର୍ଗ ଅଂଶ ଗ୍ରହଣ କରିଥିଲେ। ୧,୪୮,୬୪୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୪୦ ଜଣ ଯୁବକଯୁବତୀ ତାଲିମ ନେଉଛନ୍ତି। ଗତ ୩ ବର୍ଷ ଭିତରେ ୫ ଲକ୍ଷ ୬ ହଜାର ୯୬୫ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତି କ୍ଷମ କରାଯାଇଥିବା ଗୃହରେ ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେଉଁଝର, କୋରାପୁଟରେ ମଡେଲ କ୍ୟାରିଅର ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏଥିରେ ନିଯୁକ୍ତି ଓ ତାଲିମ ଦିଆଯାଉଛି।

ସମ୍ବନ୍ଧିତ ଖବର