ଶିକ୍ଷା ବିକାଶ ସମିତି, ଓଡ଼ିଶାର ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ସମାପିତ

ଭୁବନେଶ୍ବର: ଶିକ୍ଷା ବିକାଶ ସମିତି, ଓଡ଼ିଶା ଆନୁକୂଲ୍ୟରେ ଗତ ଜୁନ୍ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ସାମୁହିକ ଆଚାର୍ଯ୍ୟ ବିକାଶ ବର୍ଗ ସମାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅଧ୍ୟକ୍ଷ ତଥା ବିଦ୍ୟାଭାରତୀଙ୍କ ମନ୍ତ୍ରୀ ଡଃ. କିଶୋରଚନ୍ଦ୍ର ମହାନ୍ତି ଯୋଗଦେଇ କହିଥିଲେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ଆସନ୍ତା ପୀଢ଼ିର ଯୁବକ ନିର୍ମାଣର ସଂକଳ୍ପ ନେଇଛନ୍ତି, ଯେଉଁମାନେ କି ସମାଜରୁ ଅନ୍ୟାୟ ଅନୀତି, କୁସଂସ୍କାର, ଶୋଷଣକୁ ଦୂର କରି ଏକ ସମରସ, ସୁସମ୍ପନ୍ନ, ସୁସଂସ୍କାର, ଆତ୍ମନିର୍ଭର ସମାଜ ନିର୍ମାଣ ପାଇଁ ସମର୍ଥ ହେବେ। ଭାଷାବାଦ, ଜାତିବାଦ, ସମ୍ପ୍ରଦାୟବାଦଠୁ ଊର୍ଦ୍ଧ୍ୱରେ ରହି ରାଷ୍ଟ୍ରବାଦର ମହାମନ୍ତ୍ରରେ ଦୀକ୍ଷିତ ହେବେ। ଶ୍ରୀଗୁରୁଜୀ, ଗାନ୍ଧିଜୀ, ସ୍ୱାମୀ ବିବେକାନନ୍ଦ, ଦୟାନନ୍ଦ, ଦୀନଦୟାଲ ଆଦି ସାମାଜିକ ସମରସତାର ବାର୍ତ୍ତା ଦେଇ ଯାଇଛନ୍ତି । ବସୁଧୈବ କୁଟୁମ୍ବକମ୍ ଆମର ଧେୟ । ସାମାଜିକ ସମରସତା ନବ ଭାରତ ଗଠନର ଚାବିକାଠି, ଆଜି ସରସ୍ୱତୀ ଶିଶୁ ମନ୍ଦିର ସାମାଜିକ ଚେତନାର କେନ୍ଦ୍ରବିନ୍ଦୁ ଭାବେ ସେହି କାର୍ଯ୍ୟ କରିଚାଲିଛି।

ଦୀର୍ଘ ଏକ ସପ୍ତାହ ବ୍ୟାପୀ ଚାଲିଥିବା ପ୍ରଶିକ୍ଷଣରେ ନୂତନ ଶିକ୍ଷାନୀତି, ଇ-କଣ୍ଟେଟ, ଶୈକ୍ଷିକ ବିକାଶ ଓ ବୈଚାରିକ ଅଧିଷ୍ଠାନ ଉପରେ ଗୁରୁଜୀ ଗୁରୁମାମାନେ ପ୍ରଶିକ୍ଷଣ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟା ଭାରତୀଙ୍କ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତ, ବିଦ୍ୟା ଭାରତୀ ପୂର୍ବକ୍ଷେତ୍ରର ଅଧ୍ୟକ୍ଷ ଡା. ଲକ୍ଷ୍ମୀକାନ୍ତ ମହାରଣା, ମନ୍ତ୍ରୀ ଡଃ. ସରୋଜକୁମାର ହାତୀ, ସଦସ୍ୟ ବିଜୟଗଣେଶ କୁଲକର୍ଣ୍ଣୀ, ସଂଗଠନ ମନ୍ତ୍ରୀ ଦିବାକର ଘୋଷ, ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଂଗଠନ ମନ୍ତ୍ରୀ, ରମାକାନ୍ତ ମହାନ୍ତ, ସମ୍ପାଦକ କମଳାକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ଦାସ, ଡଃ. ତରୁଲତା ଦେବୀ, ଖଗେଶ୍ୱର ଦାଶ, ଦୁର୍ଲଭଚରଣ ବେହେରା, କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ, ଉପସଭାପତି ଗାୟତ୍ରୀ ବାହିନୀପତି, ସମସ୍ତ ସମ୍ଭାଗ କାର୍ଯ୍ୟକର୍ତ୍ତା, ବିଭାଗ ପ୍ରମୁଖ, ସଂକୁଳ ପ୍ରମୁଖ, ସଂକୁଳ ସଂଯୋଜକ, ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନକୁମାର ବିଶ୍ୱାଳ ସର୍ବପ୍ରଥମେ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିମନ୍ତେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ପ୍ରାନ୍ତ ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ କାର୍ଯ୍ୟକ୍ରମର ସଂଚାଳନ କରିବା ସହ ସ୍ୱଦେଶୀ ସ୍ୱାକ୍ଷର ଅଭିଜାନ, ବିଦ୍ୟା ଭାରତୀ ପୂର୍ବଛାତ୍ର ପୋର୍ଟାଲ ପଞ୍ଜିକରଣ ଅଭିଜାନ, କରୋନାର ତୃତୀୟ ଲହର ନିମନ୍ତେ ସତର୍କତା ଓ ସଚେତନତା ଏବଂ ସେବାକାର୍ଯ୍ୟ ସମ୍ବନ୍ଧିତ ସୂଚନା ପ୍ରଦାନ କରିଥିଲେ । ପ୍ରାନ୍ତ ପ୍ରଶିକ୍ଷଣ ସଂଯୋଜକ ନରେନ୍ଦ୍ରକୁମାର ରାଉଳ କାର୍ଯ୍ୟକର୍ତ୍ତାଙ୍କ ପରିଚୟ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର