ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍ବିବି ମହାବିଦ୍ୟାଳୟ ଓ କେଏମ୍ବିବି ପବ୍ଲିକ୍ ସ୍କୁଲ୍ର ମିଳିତ ଆନୁକୂଲ୍ୟରେ ଏକ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ବିଶ୍ବରଞ୍ଜନ ରଥଙ୍କ ଦ୍ବାରା ଯୋଗ ଶିବିର ଆୟୋଜିତ ହୋଇଥିଲା। ଇଞ୍ଜିନିୟର ସଂଗ୍ରାମଜିତ ଦାସ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସମ୍ବନ୍ଧରେ ଅବତାରଣା କରିଥିଲେ। ରେଭେନ୍ସା କଲେଜର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପକ ଅଲେଖ ଚନ୍ଦ୍ର ନାୟକ ଯୋଗ ଦେଇ ଅଧ୍ୟାପକ ଅଧ୍ୟାପିକାଙ୍କୁ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା ଏବଂ ଗୁରୁଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ବୁଝାଇଥିଲେ। ଶିଶୁ ମନୋବିଜ୍ଞାନୀ ନିବେଦିତା ମହାନ୍ତି ଶିଶୁମାନଙ୍କ ମାନସିକତା, ଅନୁକରଣ ପ୍ରଭାବ ଓ ବିକାଶ ବିଷୟରେ ଆଲୋଚନା କରିଥିଲେ।
ଦ୍ବିତୀୟ ଦିବସରେ ଶିକ୍ଷାବିତ୍ ଉଦୟନାଥ ଦାଶ ଅଧ୍ୟାପନାର ଅଭିଜ୍ଞତାକୁ ନେଇ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ତଥା ମନୋବିଜ୍ଞାନୀ ପ୍ରଫେସର ଶରତ କୁମାର କଣ୍ଠ ପୁରାଣ ଯୁଗରୁ ପରମାଣୁ ଯୁଗ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଶାରୀରିକ ପ୍ରଶିକ୍ଷଣରେ ଫିରୋଜ ଖାଁଙ୍କ ଦ୍ବାରା କ୍ରୀଡ଼ାକୌଶଳ ପ୍ରଦର୍ଶନ କରାଯାଇଥିଲା।ଏଥିରେ କ୍ରିଷ୍ଣାମୂର୍ତ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଡିପିଏସ୍ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ମରଣିକା ପଣ୍ଡା ଯୋଗ ଦେଇଥିଲେ। ଇଂରାଜୀ ବିଭାଗରେ ମୁଖ୍ୟ ପ୍ରାଧ୍ୟାପିକା ମୋନାଲିସା ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଶିକ୍ଷାନୁଷ୍ଠାନ ସମୂହର ଶିକ୍ଷା ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପିକା ରୋମାଲି ସୋନମ ସମର୍ପିତା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ, ନିର୍ଦ୍ଦେଶକ (ପ୍ରଶାସନ) ସରୋଜ ପଣ୍ଡା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଥିଲେ।