୨୨ ତାରିଖରେ ଟ୍ରେନ୍‌ ଗଡ଼ିବନି, ଭୋର୍‌ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମୂଳ ଷ୍ଟେସନ୍‌ ଛାଡ଼ିବେନି

ସ୍ଥଗିତ ରହିଲା ମେଡିକାଲ୍‌ ପି.ଜି କାଉନ୍‌ସେଲିଂ, ୨୩ରୁ ଲୋକାୟୁକ୍ତଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ବର : ମାର୍ଚ୍ଚ ୨୨ ତଥା ରବିବାର ଭୋର୍‌ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦେଶର କୌଣସି ବି ଟ୍ରେନ୍ ମୂଳ ଷ୍ଟେସନ୍‌ ଛାଡ଼ିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ଟ୍ରେନ୍‌ ଭୋର୍‌ ୪ଟା ପୂର୍ବରୁ ଛାଡ଼ିଥିବେ ଓ ରାତି ୧୦ଟା ପରେ ଛାଡ଼ିବାକୁ ଥିବା ଟ୍ରେନ୍‌ ଲକ୍ଷ୍ୟସ୍ଥଳକୁ ଯାତ୍ରା କରିପାରିବେ। ଏହି ୧୮ଘଣ୍ଟା ସମୟ ମଧ୍ୟ‌ରେ ପୂର୍ବତଟ ରେଳପଥର କେତେ ଟ୍ରେନ୍‌ ବାତିଲ୍‌ ରହିବ, ସେନେଇ ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ରେଳପଥ ପକ୍ଷରୁ ସୂଚନା ଦିଆଯିବ। ଏଥିସହ ଶନିବାର ଅପରାହ୍‌ଣ ସୁଦ୍ଧା ଟ୍ରେନ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜଣାଇଛନ୍ତି।

ସ୍ଥଗିତ ରହିଲା ମେଡିକାଲ୍‌ ପି.ଜି କାଉନ୍‌ସେଲିଂ
ଭୁବନେଶ୍ବର : କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲରେ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୦୨୦ ମସିହା ପାଇଁ ମେଡିକାଲ ପି.ଜି ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରବର୍ତ୍ତୀ ସ୍ଥିତିରେ ସୁଧାର ଆସିଲେ ପୁଣି ଥରେ କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

୨୩ରୁ ଲୋକାୟୁକ୍ତଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୩ରୁ ୩୧ତାରିଖ ପର୍ଯ୍ୟନ୍ତ ଲୋକାୟୁକ୍ତ କାର୍ଯ୍ୟାଳୟରେ କୌଣସି ଅଭିଯୋଗର ଶୁଣାଣି ହେବ ନାହିଁ। ଉକ୍ତ ତାରିଖ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ମତେ ଶୁଣାଣି ହେବାକୁ ଥିବା ସମସ୍ତ ଅଭିଯୋଗଗୁଡ଼ିକ ସ୍ଥଗିତ ରହିବ। ସମ୍ପୃକ୍ତ ପକ୍ଷମାନଙ୍କୁ ପରବର୍ତୀ ଶୁଣାଣି ତାରିଖ ଜଣାଇ ଦିଆଯିବ ବୋଲି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ସଚିବ ମାନସ ରଞ୍ଜନ ତ୍ରିପାଠୀ ଏକ ପ୍ରେସ୍‌ ବିଜ୍ଞପ୍ତି‌ରେ କହିଛନ୍ତି।

ସମ୍ବନ୍ଧିତ ଖବର