ଜେଟଲିଙ୍କ ବିୟୋଗ ଯୋଗୁଁ ଧର୍ମେନ୍ଦ୍ର ଆସିଲେନି : ଉଦଘାଟନ ଉତ୍ସବ ବାତିଲ, ଜୁନାଗଡ଼-ଭୁବ‌ନେଶ୍ବର ଟ୍ରେନ୍‌ ଚା‌ଲିଲା

ଉପସ୍ଥିତ ଥିଲେ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସାଂସଦ, ଟ୍ରେନର ସମୟସାରଣୀ ନେଇ ସାଧାରଣରେ ଅସନ୍ତୋଷ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରୁ ଜୁନାଗଡ ରୋଡ- ଭୁବନେଶ୍ବର ଏକ୍ସ‌େପ୍ରେସ ଟ୍ରେନ ନଂ ୧୮୪୩୮ର ଉଦ୍‌ଘାଟନ ଉତ୍ସବ ଶନିବାର ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ତିରୋଧାନ ଯୋଗୁଁ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଛି। ଭୁବନେଶ୍ବରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଧର୍ମେନ୍ଦ୍ର ନ ଆସିବାରୁ ଭୁବନେଶ୍ବରରେ ଉତ୍ସବ କାର୍ଯ୍ୟକ୍ରମ ବାତିଲ ହୋଇଥିଲେ ମଧ୍ୟ ଜୁନାଗଡ଼ ଷ୍ଟେସନରେ ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ପହଞ୍ଚିଥିଲେ। ଅ‌ାଉ ଅପରାହ୍ନ ସାଢ଼େ ୪ଟାରେ ଜୁନାଗଡ଼ ରୋଡ଼- ଭୁବନେଶ୍ବର ଏକ୍ସ‌ପ୍ରେସ ଟ୍ରେନ ନଂ ୧୮୪୩୮ ଜୁନାଗଡ଼ ଷ୍ଟେସନରୁ ଛାଡ଼ିଥିଲା।

ବହୁଦିନରୁ ଦାବି ହୋଇ ଆସୁଥିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବରେ ହେଲେ ମଧ୍ୟ ଲିଙ୍କ ପରିବର୍ତ୍ତେ ସିଧାସଳଖ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ପୂର୍ବରୁ ଜୁନାଗଡ଼- ଭୁବ‌ନେଶ୍ବର ଟ୍ରେନ୍‌ ନଂ ୧୮୪୩୮ ସନ୍ଧ୍ୟା ୬ଟା ୧୫ ମିନିଟରେ ଜୁନାଗଡ଼ରୁ ଛା‌ଡୁଥିଲା। ଏହି ଗାଡ଼ି ପରଦିନ ଭୁବନେଶ୍ବରଠାରେ ସାଢ଼େ ୮ଟା ପରିବର୍ତ୍ତେ ସାଢ଼େ ୬ଟାରେ ପହଞ୍ଚିବ। ସେହିଭଳି ଭୁବନେଶ୍ବର- ଜୁନାଗଡ଼ ରୋଡ ଟ୍ରେନ ନଂ ୧୮୪୩୭ ରାତି ୭ଟା ୩୫ ପରିବର୍ତ୍ତେ ରାତି ୧୦ଟା ୩୫ରେ ଭୁବନେଶ୍ବରରୁ ଛାଡ଼ି ତହିଁ ପରଦିନ ଜୁନାଗଡଠାରେ ସକାଳ ୯ଟା ୦୫ ପରିବର୍ତ୍ତେ ସାଢେ ୧୧ଟାରେ ପହଞ୍ଚିବ। ବର୍ତ୍ତମାନ ଏହି ଗାଡିରେ ୧୦ଟି ବଗିରୁ ୧୮ଟି ବଗିକୁ ସଂପ୍ରସାରଣ କରାଯାଇଛି। କିନ୍ତୁ ଆଜି ଜୁନାଗଡରୁ ଭୁବନେଶ୍ବର ଅଭିମୁଖେ ୧୦ଟି ବଗି ନେଇ ଯାତ୍ରା ଆରମ୍ଭ କରିଥିଲା। ପୁରୁଣା ସମୟ ସାରଣୀରେ ୧୪ ଘଣ୍ଟା ଲାଗୁଥିବା ବେଳେ ବର୍ତ୍ତମାନ ମଧ୍ୟ ୧୪ ଘଣ୍ଟା ଲାଗିବା ନେଇ ଯାତ୍ରୀମାନଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରେନ୍ ସକାଳ ସାଢ଼େ ୧୧ଟାରେ ଜୁନାଗଡ଼ରେ ପହଞ୍ଚି‌େ‌ଲ ଳୋକେ ଅଫିସ କାମ କରିବା ପାଇଁ ସକ୍ଷମ ହୋଇ ପାରିବେ ନାହିଁ। ସେହିଭଳି ଜୁନାଗଡରୁ ଭୁବନେଶ୍ବର ଯାଉଥିବା ଟ୍ରେନ ପୂର୍ବରୁ ସନ୍ଧ୍ୟା ୬ଟା ୧୫ରେ ଛାଡୁଥିବା ବେଳେ ନୂଆ ସମୟ ସାରଣୀରେ ସାଢେ ୪ଟାରେ ଟ୍ରେନ ଛାଡିବ। ଅଫିସ କାମ ସାରି ଯାଉଥିବା ଯାତ୍ରୀମାନେ ଏବେ ହଇରାଣ ହେବାକୁ ପଡ଼ିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ୧୪ ଘଣ୍ଟା ପରିବର୍ତ୍ତେ ସମୟସୀମାକୁ ହ୍ରାସ କରିବା ଏବଂ ଅଫିସ ନିର୍ଘଣ୍ଟକୁ ଆଖି ଆଗରେ ରଖି ସମୟ ସାରଣୀ ରେଳବାଇ ବିଭାଗ ପ୍ରସ୍ତୁତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆଜି ଏଠାରେ ଜେଟଲୀଙ୍କ ବିୟୋଗରେ ଉଦ୍‌ଘାଟନ ଉତ୍ସବ ବାତି‌ଲ ହେଲେ ବି ତାଙ୍କ ପାଇଁ ଶୋକସଭା କରା ନ ଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଥିଲା। ଏ ସଂପର୍କରେ ଡିଆରଏମ ଡ. ଜୟଦୀପ ଗୁପ୍ତାଙ୍କୁ ପଚାରିବାରୁ ଜେଟଲୀଙ୍କ ତିରୋଧାନ ବିଷୟରେ ଚର୍ଚ୍ଚା ହୋଇଥିଲା ଏବଂ ଅତିଥମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ବୋଲି କହିଥିଲେ। କିନ୍ତୁ, ସାଧାରଣ ଲୋକଙ୍କ ପାଇଁ ଶୋକସଭା ହୋଇ ନଥିଲା ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର