ଟ୍ରେନ୍‌ ରହଣି ଉପରେ ଲାଗିଥିବା କଟକଣା ହଟିଲା, ଏଣିକି ସବୁ ଷ୍ଟେସନରେ ରହିବ ଟ୍ରେନ୍‌

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ୍‌ ରହଣି ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ‌ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଆଜି ପୂର୍ବତଟ ରେଳପଥକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଦେଶ ଓ ରାଜ୍ୟରେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଓଡ଼ିଶା ମଧ୍ୟରେ ଏଣିକି ସମସ୍ତ ଷ୍ଟେସନରେ ଟ୍ରେନ୍ ରହଣୀ କରିବା ସହ ସମସ୍ତ ଅଞ୍ଚଳକୁ ଟ୍ରେନ୍ ଚଳାଚଳ କରିପାରିବ। ପର୍ଯ୍ୟାୟକ୍ରମେ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟ୍ରେନ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗଞ୍ଜାମ ସମେତ ଖୋର୍ଦ୍ଧା ଜିଲ୍ଲାର କେତେକ ଷ୍ଟେସନରେ ଟ୍ରେନ୍‌ ରହଣୀ ନ କରିବାକୁ କୁହାଯାଇଥିଲା। ପୁରୀକୁ ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଖୁବ୍‌ଶୀଘ୍ର ରାଜ୍ୟ ଭିତରେ ଅଧିକ ସଂଖ୍ୟାରେ ଟ୍ରେନ୍‌ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର