-ପରିବାର ଏକ ମାତ୍ର ରୋଜଗାରିଆ ଥିଲେ ଭାଗିରଥି
-ଟ୍ରଲି ଚଲେଇ ପୋଷୁଥିଲେ ପରିବାର

Advertisment

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ରଙ୍ଗାମାଟିଆ ଛକ ନିକଟରେ ଶନିବାର ରାତି ପ୍ରାୟ ୧୦ଟା ସମୟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଧକ୍କାରେ ଜନୈକ ଟ୍ରଲି ଚାଳକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ହେଲେ ସ୍ଥାନୀୟ ବିଦୁକୁଡ଼ିଆ ଗ୍ରାମର ଭାଗିରଥି ସିଂ(୪୫) l 

ପ୍ରାପ୍ତ ସୂଚନା ଅନୁଯାଇ ଭାଗିରଥି ରଙ୍ଗାମାଟିଆ ଛକ ପଟୁ ନିଜ ଟ୍ରଲି ନେଇ ବୈଶିଙ୍ଗା ଅଭିମୂଖେ ଆସୁଥିବା ବେଳେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଅଜଣା ଗାଡି ତାଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲାl ଫଳରେ ଭାଗିରଥି ଟ୍ରଲି ଉପରୁ ଛିଟିକି ଯାଇ ଜାତୀୟ ରାଜପଥ ଉପରେ ମୁହଁ ମାଡି ପଡ଼ିଥିଲେ। ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ  ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିଲାl

ସ୍ଥାନୀୟ ଲୋକ ଦୁର୍ଘଟଣା ଜନିତ ଶବ୍ଦ ପାଇ ଘଟଣାସ୍ଥଳରେ ପହଞ୍ଚି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl ରାସ୍ତା ମଝିରେ ମୃତକଙ୍କ ଶବ ପଡି ରହିବା ଯୋଗୁଁ କିଛି ସମୟ ଧରି ରାଜପଥର ଗୋଟିଏ ପାର୍ଶ୍ୱରେ ଗାଡିଗୁଡିକର ଯାତାୟତ ବାଧାପ୍ରାପ୍ତ ହୋଇଥିଲାl

ଖବର ପାଇ ତତକ୍ଷଣାତ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ଉପରୁ ଶବକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଯିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲାl ଉକ୍ତ ଦୁର୍ଘଟଣାରେ ଜଡିତ ଗାଡିକୁ ଧରିବା ପାଇଁ ବୈଶିଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଥିଵା ନେଇ ଥାନା ଅଧିକାରୀ ତପନ ପ୍ରଧାନ ସୂଚନା ଦେଇଛନ୍ତିl ତେବେ ଭାଗିରଥିଙ୍କ ପରିବାରର ସେ ଏକ ମାତ୍ର ରୋଜଗାରିଆ ହୋଇଥିବାରୁ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l