ରକ୍ତମୁଖା ‘ସୁନ୍ଦରୀ’ : ଚକ୍ରବ୍ୟୂହରୁ ଖସିଗଲା

ଟ୍ରାଙ୍କୁଲାଇଜର୍‌ ଲକ୍ଷ୍ୟଚ୍ୟୁତ, ଛେଳି ଥୋପରେ ପଡ଼ିଲାନି, କୁମୁରୀରୁ ମାରିଲା ଡିଆଁ, ନୂଆସାହିରେ ଲୁଚି ବାଘମୁଣ୍ଡକୁ ଫେରିଲା

ଅନୁଗୁଳ/ବନ୍ତଳା/ପାଇକସାହି : ଛେଳି ଥୋପ ବି କାମ ଦେଲାନି। ମଞ୍ଚା ତଳେ ଛେଳି ବାନ୍ଧି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଗତକାଲି ଯେଉଁ ଚକ୍ରବ୍ୟୂହ ରଚା ଯାଇଥିଲା, ତାକୁ ଭୁଲ ପ୍ରମାଣିତ କରି ଆଜି ବିଶେଷଜ୍ଞଙ୍କ ଆଖି ସାମ୍ନାରୁ ଖସି ଯାଇଛି ‘ସୁନ୍ଦରୀ’। ଏମିତିକି, ‘ସୁନ୍ଦରୀ’ ଆଡ଼କୁ ହୋଇଥିବା ପ୍ରଥମ ନିଶ୍ଚେତକ ନିକ୍ଷେପ ବି ଲକ୍ଷ୍ୟଚ୍ୟୁତ ହୋଇଛି। ସବୁ ପ୍ରକାର କୌଶଳକୁ ମାତ୍‌ ଦେଇ ବାଘୁଣୀ କୁମୁରୀ ଗାଁରୁ ସିଧା ନୂଆସାହି ଅଞ୍ଚଳକୁ ଡିଆଁ ମାରିଛି। ରାତିରେ ଏହି ରିପୋର୍ଟ ଲେଖାଯିବା ବେଳକୁ ନୂଆସାହି ନିକଟସ୍ଥ ଏକ ପଥର ଖୋଲ ଲତାବୁଦାରେ ‘ସୁନ୍ଦରୀ’ ଲୁଚିଥିଲା। ତା’ ପରେ ବାଘମୁଣ୍ଡା ନେଚର କ୍ୟାମ୍ପ୍‌ ନିକଟ ଜଙ୍ଗଲରେ ବାଘୁଣୀ ବୁଲୁଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଓୟୁଏଟି, ଶିମିଳିପାଳ ଏବ˚ ନନ୍ଦନକାନନର ତିନୋଟି ଟିମ୍‌ ମଙ୍ଗଳବାର ଦିନ ସାରା କସରତ କରିଥିଲେ। ବାଘୁଣୀ ଚାରିପାଖେ ବୁଲି ବୁଲି ସୁଯୋଗ ଉଣ୍ତିଥିଲେ। କିନ୍ତୁ ଚାଲାକ ବାଘୁଣୀ ପଦାକୁ ବାହାରିଲା ନାହିଁ। ଲତାବୁଦା ଭିତରେ ଲୁଚକାଳି ଖେଳିଥିଲା। ତେଣୁ ସୁନ୍ଦରୀକୁ ବନ୍ଦୀ କରିବା ପାଇଁ ବିଶେଷଜ୍ଞ ଚକ୍ରବ୍ୟୁହ ରଚିଥିଲେ। ବାଘୁଣୀକୁ ଛେଳି ଶିକାରର ଲୋଭ ଦେଖାଯାଇଥିଲା। ଗୋଟିଏ ପାର୍ଶ୍ବରେ ଗଛରେ ମଞ୍ଚା ତିଆରି କରି ତଳେ ଜୀବନ୍ତ ଛେଳି ବନ୍ଧା ଯାଇଥିବା ବେଳେ ଅନ୍ୟ ପାର୍ଶ୍ବରେ ସୋମବାରଠାରୁ ନିଜେ ଶିକାର କରିଥିବା ବଳଦ ମଢ଼ ପଡ଼ିଥିଲା। ଛେଳି କିମ୍ବା ବଳଦ କାହାକୁ ବି ଖାଇବାକୁ ଆସିଲେ ଟ୍ରାଙ୍କୁଲାଇଜ୍‌ ନିକ୍ଷେପ କରିବାକୁ ବିଶେଷଜ୍ଞ ଦଳ ଜଗି ବସିଥିଲେ। ମଙ୍ଗଳବାର ରାତି ସାରା ଏହି ସୁଯୋଗକୁ ଅପେକ୍ଷା କରାଯାଇଥିଲା, କିନ୍ତୁ ଚାଲାକ ବାଘୁଣୀ ମଣିଷ ଚକ୍ରବ୍ୟୁହରେ ପଡ଼ିଲା ନାହିଁ। ତଥାପି ସୁଯୋଗ ଉଣ୍ତି ବିଶେଷଜ୍ଞମାନେ ଗୋଟିଏ ରାଉଣ୍ତ୍‌ ଟ୍ରାଙ୍କୁଲାଇଜ୍‌ ‘ସୁନ୍ଦରୀ’ ଆଡ଼କୁ ନିକ୍ଷେପ କରିଥିଲେ। ଦୁର୍ଭାଗ୍ୟକୁ ତାହା ବି ଲକ୍ଷ୍ୟଚ୍ୟୁତ ହୋଇଛି। ସବୁ ପ୍ରକାର ପ୍ରସ୍ତୁତିକୁ ପାଣିରେ ପକାଇ ଆଜି ଅପରାହ୍‌ଣରେ ସୁନ୍ଦରୀ କୁମୁରୀ ଜଙ୍ଗଲରୁ ସିଧା ନୂଆସାହି ଜଙ୍ଗଲ ଆଡ଼କୁ ଡିଆଁ ମାରିଥିଲା। ସେଠାରୁ ପୁଣି ବାଘମୁଣ୍ଡା ନେଚର କ୍ୟାମ୍ପ୍‌ ନିକଟସ୍ଥ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି। ଅପରପକ୍ଷେ ସାତକୋଶିଆକୁ ଆସିଥିବା ଏହି ଟ୍ରାଙ୍କୁଲାଇଜ୍‌ ଟିମ୍‌ ଉପରେ ସାତକୋଶିଆ ବନବାସୀଙ୍କ ଭରସା ପାଉନି। ବାନ୍ଧବଗଡ଼ କିମ୍ବା ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପର ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ପଠାଇବାକୁ ବନବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର