ଶୁଣ୍ଢ କଟା ହାତୀର ଚିକିତ୍ସା ପ୍ରୟାସ : ଟ୍ରାଙ୍କୁଲାଇଜର୍ ପରେ ହାତୀ ଉଗ୍ର

ବାମରା/ଗଡ଼ପୋଷ : କିଛି ମାସ ହେବ ଶୁଣ୍ଢରେ ଆଘାତ ଲାଗି କ୍ଷତ ହୋଇଥିବା ହାତୀଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା, ରାଜଗାଂଗପୁର, ବଡ଼ଗାଁ ଏବଂ ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଘୂରି ବୁଲିବା ସହ କ୍ଷୟକ୍ଷତି କରୁଥିଲା। ଅଞ୍ଚଳରେ ଦନ୍ତା ହାତୀଟିକୁ ବାରମ୍ବାର ଦେଖିବା ପରେ ‘ଶୁଣ୍ଢକଟା’ ହାତୀ ‌ବୋଲି ଲୋକେ କହୁଛନ୍ତି। ଉକ୍ତ ଦନ୍ତାଟି ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳରେ ଥିଲା। ଏକ ଜେସିବି ମେସିନ ଆଘାତରେ ଏହାର ଶୁଣ୍ଢ କଟି କ୍ଷତି ହୋଇଛି। ଶୁଣ୍ଢରେ କିଛି ଖାଇପାରୁନାହିଁ। ଜମିରେ ବସି ପଡ଼ି ମୁହଁ ଲଗାଇ ଖାଦ୍ୟ ଖାଉଛି। ଏହି ହାତୀଟି ବାମରା ବ୍ଲକ ସମ୍ବଲପୁର-ସୁନ୍ଦରଗଡ଼ ସୀମା ମହାବୀର ପାହାଡ଼କୁ ପଳାଇ ଆସିଛି। ଉଭୟ ଜିଲ୍ଲାର ବନ ବିଭାଗ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି।

ହାତୀର ଚିକିତ୍ସା ପାଇଁ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ନରସିଂହ ଚରଣ ମିଶ୍ର ନନ୍ଦନକାନନ ବିଶେଷଜ୍ଞ ଦଳ ସହ ଯୋଗାଯୋଗ କରିଥ‌ିଲେ। ବନ କର୍ମଚାରୀ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲେ। ଶୁକ୍ରବାର ବିଶେଷଜ୍ଞ ଦଳ ଆସିବା ପରେ ଦନ୍ତା ହାତୀଟି ରାତିରେ ବଡ଼ଗାଁ ବ୍ଲକ ୍କୁରେଇବଗା ଏବଂ ଛେମେଣ୍ଡା ଗାଁରେ ପଶିଥିଲା। ଛେମେଣ୍ଡା ଗାଁକୁ ଲାଗି ରହିଥିବା ଜଙ୍ଗଲ ଏବଂ ପାହାଡ଼ ନିକଟରେ ହାତୀଟିକୁ ଠାବ କରାଯାଇଥିଲା। ଶହ ଶହ ଗ୍ରାମବାସୀଙ୍କ ସହାୟତାରେ ସୁନ୍ଦରଗଡ଼, ବଡ଼ଗାଁ ଓ ବାମରା ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ବଳ ସହ ହାତୀଟିକୁ ଟ୍ରାଙ୍କୁଲାଇଜର୍ ଦେଇ ଚିକିତ୍ସା କରିବା ପାଇଁ ପ୍ରୟାସ କରାଯାଇଥିଲା। ସୂଚନା ଅନୁସାରେ, ୪୫ ମିନିଟରୁ ୧ ଘଣ୍ଟା ମଧ୍ୟରେ ହାତୀଟି ଅଚେତ୍ ହେବା କଥା। କିନ୍ତୁ, ଏହା ଅଧିକ ଉଗ୍ର ଓ ହିଂସ୍ର ହୋଇଉଠିଥିଲା। ସଂଧ୍ୟା ପର୍ଯ୍ୟନ୍ତ ଟ୍ରାଙ୍କୁଲାଇଜର୍ କୌଣସି ପ୍ରଭାବ ପକାଇ ପାରି ନଥିଲା। ଆଉ ଦୁଇଟି ହାତୀ ବୃବୁଡ଼ା ମହାବୀର ଧାମ ମନ୍ଦିର ନିକଟରେ ଥିବା ଗ୍ରାମବାସୀ କହିଛନ୍ତି। ଶନିବାର ପୁଣି ଥରେ ଟ୍ରାଙ୍କୁଲାଇଜର ପ୍ରୟାସ କରାଯାଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର