ଜିରୋ ବାଲାନ୍‌ସ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କାର କାରବାର

ଉପଭୋକ୍ତା ଜାଣିନାହାନ୍ତି, ନୋଟିସ୍‌ ପାଇବା ପରେ ଥାନାରେ ଅଭିଯୋଗ କଲେ ଖାତାଧାରୀ

ଜଳେଶ୍ବର : ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କା ନେଣଦେଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଜଳେଶ୍ବର କାହିଁକି, ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତଞ୍ଚକତା ପୂର୍ବକ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲାଯାଇ ସେହି ସବୁ ବ୍ୟାଙ୍କଖାତା ବା ଆକାଉଣ୍ଟରେ ଏଭଳି ଆର୍ଥିକ ନେଣଦେଣର ମାଷ୍ଟରମାଇଣ୍ଡ ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟି ଅଞ୍ଚଳର ଜଣେ ରିଟେଲର ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ପାଇବାପରେ ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସର ନିଦ ହଜି ଯାଇଛି।

ଏହିଭଳି ଏକ ତଞ୍ଚକତାର ଶିକାର ହୋଇଛନ୍ତି ଜଳେଶ୍ବର ମ୍ୟୁନିସିପାଲିଟି ଅଧୀନସ୍ଥ  ଝାଡ଼େଶ୍ବରପୁର ଗାଁର ଛୋଟୁ ବିନ୍ଧାଣୀଙ୍କ ପତ୍ନୀ ସୁମିତ୍ରା ବିନ୍ଧାଣୀ। ସୁମିତ୍ରାଙ୍କ ଅନୁଯାୟୀ, ନିଜ ଗ୍ରାମର ରିଟେଲର ସେକ୍ ଫାରୁକ ତାଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଆକାଉଣ୍ଟ ନ ଖୋଲିଲେ ଭ୍ୟାକସିନ ପାଇଁ ସରକାର ଦେବାକୁ ଥିବା ଟଙ୍କା ତାଙ୍କୁ ମିଳିପାରିବନି। ଏପରିକି ରାସନ ମିଳିବା ମଧ୍ୟ ବନ୍ଦ ହୋଇଯିବ ବୋଲି ଫାରୁକ କହିଥିଲେ। ସୁମିତ୍ରା ଫାରୁକଙ୍କ କଥାକୁ ବିଶ୍ବାସ କରି ତାଙ୍କ ସହ ଜଳେଶ୍ବରସ୍ଥିତ କାନାରା ବ୍ୟାଙ୍କ ଶାଖାକୁ ଯିବା ସହ ସେଠାରେ ଫାରୁକଙ୍କ ସହାୟତାରେ ୧୧୦୦୩୩୪୧୯୬୮ ନମ୍ବରର ଏକ ସେଭିଂ ଆକାଉଣ୍ଟ ଖୋଲିଥିଲେ। ସୁମିତ୍ରାଙ୍କ ନାଁରେ ବ୍ୟାଙ୍କରୁ ମିଳିଥିବା ଏଟିଏମ୍‌ କିନ୍ତୁ ଫାରୁକ୍ ନେଇଯାଇଥିଲେ। ତେବେ, ଗତ ୨୮ ତାରିଖରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ସୁମିତ୍ରାଙ୍କ ଠିକଣାରେ ଏକ ନୋଟିସ ପଠାଯାଇଥିଲା। ନୋଟିସ୍‌ରେ ସୁମିତ୍ରାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ନେଣଦେଣ ହୋଇଛି, ଯାହା ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଅଡିଟରୁ ଧରାପଡ଼ିଛି ବୋଲି ଉଲ୍ଲେଖ ଥିଲା।

ନୋଟିସ୍‌ ପାଇବା ପରେ ସୁମିତ୍ରା ସ୍ଥାନୀୟ ଜଣେ ଆଇନଜୀବୀଙ୍କ ସହାୟତାରେ ବ୍ୟାଙ୍କକୁ ଯାଇଥିଲେ। ଆଉ ସେଠାରେ ଜାଣିବାକୁ ପାଇଲେ ତାଙ୍କ ଅଜାଣତରେ ଆକାଉଣ୍ଟରେ ୪ ଲକ୍ଷ ୭୬୫୦୦ ଟଙ୍କା କାରବାର ହୋଇଛି। ଏହି ତଞ୍ଚକତା ପାଇଁ ଫାରୁକଙ୍କୁ ଦାୟୀ କରି ସୁମିତ୍ରା ଆଜି ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେବଳ ସୁମିତ୍ରା ନୁହନ୍ତି ଗାଁର ୧୨ଜଣ ଉପଭୋକ୍ତାଙ୍କ ସମାନ ଅବସ୍ଥା। ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ବିନ୍ଧାଣୀ, ସୁଭଦ୍ରା ବିନ୍ଧାଣୀ, ଜନ୍ଦୁରା ବିନ୍ଧାଣୀ, ସୁଜାତା ବିନ୍ଧାଣୀ ପ୍ରମୁଖ ଖାତାଧାରୀ ଆଜି ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଣ ଜଣେ ଖାତାଧାରୀଙ୍କ ଆକାଉଣ୍ଟରେ ସର୍ବନିମ୍ନ ୩ ଲକ୍ଷରୁ ସର୍ବାଧିକ ୨୭ ଲକ୍ଷ ଯାଏ କାରବାର ହୋଇଥିବା ସୂଚନା ମିଳିଛି। ଅର୍ଥାତ୍ ଏହି ୧୨ଜଣ ଖାତାଧାରୀଙ୍କ ଆକାଉଣ୍ଟରେ ସେମାନଙ୍କ ଅଜାଣତରେ ଯାହା କାରବାର ହୋଇଛି ଏହାକୁ ମିଶାଇଲେ ମୋଟ କାରବାର କୋଟିଏ ଟଙ୍କା ପାଖାପାଖି ହେବ ବୋଲି ଆକଳନ କରାଯାଇଛି।

ଏହି ଟଙ୍କା କେଉଁଠୁ ଆସୁଥିଲା ଏବଂ ପୁଣି କେଉଁଠି ଖର୍ଚ୍ଚ ହେଉଥିଲା, ତାହା ଏବେ ତଦନ୍ତ ସାପେକ୍ଷ। ଜଳେଶ୍ବର ବ୍ରାଉନସୁଗାର କାରବାରର ଭୂସ୍ବର୍ଗ ପାଲଟିଥିବା ବେଳେ ଏହି ଆକାଉଣ୍ଟରେ ଯେଉଁ କାରବାର ହୋଇଛି ତାହା ଡ୍ରଗ୍ସ ମାଫିଆଙ୍କ ଟଙ୍କା ନୁହେଁ ତ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର