୨୪ଘଣ୍ଟାରେ ଚାଷୀଙ୍କ ଖାତାରେ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ଖରିଫ୍‌ ଧାନ ସଂଗ୍ରହ ସମୀକ୍ଷା

ଭୁବନେଶ୍ୱର : ଅଧିକରୁ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ। ଏଥିପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ପଞ୍ଜୀକୃତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଚାଷୀମାନଙ୍କୁ ସଂଗୃହୀତ ଧାନର ମୂଲ୍ୟ ତୁରନ୍ତ ପ୍ରଦାନ କରାଯିବ। ସମବାୟ ବ୍ୟାଙ୍କ କ୍ଷେତ୍ରରେ ୨୪ଘଣ୍ଟାରେ ଏବଂ ଅନ୍ୟାନ୍ୟ ବ୍ୟାଙ୍କ କ୍ଷେତ୍ରରେ ୭୨ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୭୩୬କୋଟି ଟଙ୍କାର ୧୭.୯୦ଲକ୍ଷ ଟନ୍‌ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀଙ୍କୁ ୨୩୫୬.୭୫କୋଟି ପ୍ରଦାନ କରାଯାଇଛି। ବାକି ଟଙ୍କା ତୁରନ୍ତ ପ୍ରଦାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଏହି ସଂଖ୍ୟା ଯେପରି ବଢ଼ିବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି। ୨୦୧୭ ଜାନୁଆରି ୯ ସୁଦ୍ଧା ୧୪.୧୧ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା।

ଅପରପକ୍ଷେ ଧାନ ସଂଗ୍ରହ ସମୟରେ ଯେପରି ସମସ୍ତ ମଣ୍ଡି ଖୋଲିବ ତାହା ବିଭାଗ ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ତାଗିଦ୍‌ କରିଛନ୍ତି। ସେହିଭଳି ମିଲରମାନେ ଧାନ ନେଇ ଠିକ୍‌ ସମୟରେ ଚାଉଳ ଦେବାରେ ଅବହେଳା କଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଧାନସଂଗ୍ରହ କେନ୍ଦ୍ରଗୁଡ଼ିକରେ ସମସ୍ତ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା କରି ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବିଧାରେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଖରିଫ ୨୦୧୬ରେ ଜାନୁଆରି ୯ ସୁଦ୍ଧା ୯.୭୬ଲକ୍ଷ ପଞ୍ଜୀକୃତ ହୋଇଥିବାବେଳେ ଖରିଫ ୨୦୧୭ରେ ବର୍ତ୍ତମାନ ସୁଦ୍ଧା ୧୧.୦୫ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଆସନ୍ତାବର୍ଷ ପଞ୍ଜୀକରଣ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ବିଭିନ୍ନ ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର