ଧର୍ମଶାଳା: ଧର୍ମଶାଳା ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଏସ୍‌ଆଇ ରାଧାନାଥ ଦାସଙ୍କୁ ଯାଜପୁର ରୋଡ୍ ଥାନାକୁ ବଦଳି କରାଯାଇଛି। ଯାଜପୁର ଏସ୍‌ପିଙ୍କ ପତ୍ର ସଂଖ୍ୟା ୬୨୭/୧୦.୦୪.୨୩ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଆଇଆଇସିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏସ୍‌ଆଇ ରାଧାନାଥ ଦାସ ଚାକିରିରୁ ଇସ୍ତଫା ଦେବାପାଇଁ ଗତ ଫେବ୍ରୁଆରି ୨୧ ତାରିଖରେ ଏସ୍‌ପିଙ୍କ ନିକଟକୁ ଚିଠି ଲେଖିଥିଲେ। ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିଥିଲେ ବି ଘରକୁ ଯିବାକୁ ଛୁଟି ନମିଳିବା, ଛୁଟି ଦରଖାସ୍ତକୁ ହଜାଇଦେବା, ଇଏଲ୍ ଦରଖାସ୍ତ ହଜିଯିବା ସଂପର୍କରେ ତାଙ୍କୁ ନଜଣାଇବା, ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଅଧିକ ମାମଲା ବୁଝିବାକୁ ଦାୟିତ୍ବ ଦେବା, ଏଥିପାଇଁ ଅନିଚ୍ଛା ପ୍ରକାଶ କଲେ ହାତରେ ହ୍ୟାଣ୍ତକପ୍ ପକାଇ ଦେବେ ବୋଲି ଆଇଆଇସି ଧମକ ଦେଇଥିବା ଭଳି ଅଭିଯୋଗ ସେ ଆଣିଥିଲେ।

ଅଭିଯୋଗର ପରଦିନ ଯାଜପୁର ଏସ୍‌ପି ବିନିତ୍ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଯାଜପୁର ରୋଡ୍ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଧର୍ମଶାଳା ଥାନାକୁ ଯାଇ ଉଭୟ ପୁଲିସ୍‌ ଅଧିକାରୀଙ୍କୁ ପଚରାଉଚରା କରି ତଦନ୍ତ କରିଥିଲେ। ଏହାପରଠାରୁ ଶ୍ରୀ ଦାସଙ୍କୁ କୌଣସି କେସ୍‌ ଦାୟିତ୍ବ ଦିଆ ଯାଇନଥିଲା। ଏବେ ସେ ଛୁଟିରେ ରହିଥିବା ଜଣାପଡ଼ିଛି। ସେହିପରି ଏହି ଥାନାର ଅନ୍ୟତମ ଏସ୍‌ଆଇ ସ୍ମୃତିମଞ୍ଜରୀ ବଡ଼ଜେନାଙ୍କୁ ପାଣିକୋଇଲି ଥାନାକୁ ବଦଳି କରାଯାଇଛି। ଉଭୟ ଅଧିକାରୀଙ୍କ ସ୍ଥାନରେ ବିଂଝାରପୁର ଥାନାରେ ଥିବା ଏସ୍‌ଆଇ ଅସିତ୍ ରଞ୍ଜନ ବଳବନ୍ତରାୟ ଓ ମୁଖ୍ୟାଳୟରେ ଥିବା ଅନିତା ଜେନାଙ୍କୁ ବଦଳି କରାଯାଇଛି।