ମାଲକାନଗିରି: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ବଦଳିକୁ ନେଇ ଜିଲ୍ଲାରେ ଏବେ ବେଶ ଚର୍ଚ୍ଚା। ସରକାର ଶୁକ୍ରବାର ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀଙ୍କୁ ୧୨ଟା ବେଳେ ବଦଳି ଆଦେଶ କରାଯାଇଥିବା ବେଳେ ୪ ଘଣ୍ଟା ପରେ ପୁଣି ଏହି ନିର୍ଦେଶକୁ ବାତିଲ କଲେ। ଏହା ତାଂକର ପ୍ରଥମ ବଦଳି ନୁହଁ।ନିର୍ବାଚନ ପୂର୍ବରୁ ମଧ୍ୟ ବଦଳି ହୋଇଥିଲା ପୁଣି ପରେ ବାତିଲ ହେଲା। ମେଡମଙ୍କ ପାରିବା ପଣିଆ ଓ ଲମ୍ବା ହାତକୁ ନେଇ ଏବେ ଚର୍ଚ୍ଚା ଧରିଛି। କିଛି ଦିନ ତଳେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଶାସିକାଙ୍କ ବିରୋଧରେ ପୂର୍ବତନ ଯନ୍ତ୍ରୀ ଦୁର୍ନୀତି ଅଭିଯୋଗ କରିଥିଲେ। ଏହାର ତଦନ୍ତ ସରିଥିବା ବେଳେ ପରେ ମାଲକାନଗିରି ଆଇଟିଡିଏର ଚେୟାର ଲୋଭ ଏବେ ଅନେକ ସଂଦେହ ସୃଷ୍ଟି କରୁଛି।

Advertisment

ପତ୍ର ସଂଖ୍ୟା ୧୬୩୭୫ରେ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାର ମାଲକାନଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କୁ ସମ୍ବଲପୁର ଆରଡିସି ଅଫିସକୁ ବଦଳି ଆଦେଶ ଦେଇଥିଲେ। ଅପରାହ୍ନରେ ପତ୍ର ସଂଖ୍ୟା ୧୬୪୮୨ରେ ବଦଳି ଆଦେଶକୁ ବାତିଲ କଲେ। ମ୍ୟାଡମଙ୍କୁ ବଦଳି ପ୍ରଥମ ନୁହେଁ। ପୂର୍ବତନ ସରକାର ମଧ୍ୟ ନିର୍ବାଚନ ପୂର୍ବରୁ ବଦଳି ଆଦେଶ କାଢିଥିବା ବେଳେ ଅଳ୍ପ କିଛି ଦିନ ପରେ ପୁଣି ବାତିଲ କଲେ। ବାରମ୍ବାର ବଦଳି ହେବା ଏବଂ ବାତିଲ ହେବା ପଛର କାରଣ କଣ।ଆଟିଡିଏରେ କଣ ରହିଛି ରହସ୍ୟ। ତାହା ଏବେ ଲୋକଙ୍କ ସଂଦେହ ଘେରରେ ଆଣିଛି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ।କିଛି ଦିନ ତଳେ ଚଳିତ ସରକାରଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଅଭିଯୋଗ ପ୍ରକୋଷ୍ଠରେ ପୂର୍ବତନ ଆଇଟିଡିଏ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀ ଦୁର୍ନୀତି କରିବା ସହ ତାଂକୁ ହଇରାଣ କରି ଟଂକା ମାଗୁଥିବାର ଅଭିଯୋଗ କରିଥିଲେ। ପରେ ଯନ୍ତ୍ରୀ ଓ ପ୍ରଶାସିକା ମୁହାଁମୁହିଁ ହୋଇଥିଲେ।

ପ୍ରଶାସିକା ଜୟଶ୍ରୀ କହିଥିଲେ ଯନ୍ତ୍ରୀ ଅନେକ ଫେକ୍ କାମ କରି ବିଲ କରିବା ପାଇଁ ବାଧ୍ୟ କରୁଛନ୍ତି। ଏନେଇ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ମଧ୍ୟ କରାଯାଇଛି। ଏହାସହ ସରକାରୀ କାଗଜପତ୍ର ଯନ୍ତ୍ରୀ ନିଜ ପାଖରେ ରଖିଥିବା ନେଇ ଥାନାରେ ମାମଲା ମଧ୍ୟ ଦାୟର କରିଥିଲେ ପ୍ରଶାସିକା। ଏଠି ପ୍ରଶ୍ନ ଉଠୁଛି ବର୍ଷକ ମଧ୍ୟରେ ବାରମ୍ବାର କିପରି ହେଉଛି ବଦଳି ଓ କାହିଁକି ହେଉଛି ବାତିଲ। ତାର ଅନୁଧ୍ୟାନ କରିବା ନିହାତି ଆବଶ୍ୟକ ହୋଇପଡିଛି।

ଏନେଇ ବିଜେଡିର ଜିଲ୍ଲା ସଭାପତି ମାନସ ମାଡକାମୀଙ୍କୁ ପଚାରିବାରୁ ସରକାରଙ୍କର ଏଭଳି ନୀତି ବୁଝାପଡୁନାହି। ଜଣେ ଅଧିକାରୀଙ୍କୁ ବଦଳି କରିବା ଏବଂ ବାତିଲ କରିବାରେ କିଛି ରହସ୍ୟ ରହିଛି।ପ୍ରଶାସିକା ଜଣକ କୌଣସି କ୍ଷେତ୍ର ପରିଦର୍ଶନକୁ ନଯାଇ କେବଳ ଅଫିସରେ ବସି କାମ କରୁଥିବା କୁହାଯାଉଛି।ପୁଣି ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମିଳିତ ମଧୁଚନ୍ଦ୍ରିକା କାମଗୁଡିକର ଅବସ୍ଥାକୁ ଦେଖିଲେ ସହଜରେ ବାରି ହୋଇପଡୁଛି ବୋଲି ସେ କହିଥିଲେ।ଅନ୍ୟଦିଗରେ ବିଧାୟକ ନରସିଂହ ମାଡକାମୀଙ୍କୁ ପଚାରିବାରୁ ସେ ଏନେଇ ଅବଗତ ନଥିବା କହିବା ସହ ସେ ଜିଲ୍ଲା ବାହାରେ ଥିବାରୁ କିଛି ଜାଣିନଥିବା କହିଥିଲେ।ତେବେ ଏନେଇ ନିଶ୍ଚିତ ଭାବେ ତଦନ୍ତ କରାଯିବ ବୋଲି କହିଥିଲେ।