ଏସ୍‌ସିବିରେ ଜନ୍ମିତ ୪ ଶିଶୁକନ୍ୟାଙ୍କ ଭିତରୁ ୩ ମୃତ, ଜଣଙ୍କ ଜୀବନ ବଞ୍ଚାଇବା ପାଇଁ କସରତ

ଗ୍ରିନ କରିଡର୍‌ରେ ଶିଶୁକୁ ଏମ୍‌ସ ସ୍ଥାନାନ୍ତର

କଟକ : କଟକ ବଡ଼ ଡାକ୍ତରଖାନା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଗତ ଶନିବାର ୪ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ଭଞ୍ଜନଗର ଡିହପଡ଼ା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତା। ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୩ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣକୁ ବୁଧବାର ଶିଶୁଭବନରୁ ଭୁବନେଶ୍ୱରର ଏମ୍‌ସକୁ ଗ୍ରିନ କରିଡର୍‌ ବ୍ୟବସ୍ଥା ଭିତରେ ସ୍ଥାନାନ୍ତର କରାଯାଇଛି। ମାତ୍ର ୨୦ ମିନିଟରେ ନବଜାତକକୁ ଏମ୍‌ସରେ ପହଞ୍ଚାଯାଇଥିଲା ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି। ସ୍ଥାନାନ୍ତର ହୋଇଥିବା ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ଓ ଡାକ୍ତରୀଦଳର ପରାମର୍ଶ କ୍ରମେ ତାକୁ ଏମ୍‌ସ ପଠାଯାଇଛି ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଜନ୍ମଲାଭ କରିଥିବା ୪ଜଣ ଶିଶୁଙ୍କ ନିକଟରେ ଅପରିପକ୍ୱତା ଦେଖିବାକୁ ମିଳିଥିଲା। ପ୍ରଥମ ଶିଶୁର ଓଜନ ୧କିଲୋଗ୍ରାମ ଥିବାବେଳେ ଦ୍ୱିତୀୟ ଶିଶୁର ଓଜନ ୮୦୦ ଗ୍ରାମ, ତୃତୀୟ ଶିଶୁର ଓଜନ ୬୫୦ ଗ୍ରାମ ଓ ଚତୁର୍ଥ ଶିଶୁର ଓଜନ ୪୦୦ ଗ୍ରାମ ରହିଥିଲା। ଶନିବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ସକାଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା। ଜୀବିତ ଦୁଇଶିଶୁଙ୍କୁ ପ୍ରଥମେ ଶିଶୁଭବନର ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଘଟିବାରୁ ପରେ ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ। ଗତ ୯ ତାରିଖ ତଥା ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ତେଣୁ ଜୀବିତ ଏକମାତ୍ର ଶିଶୁର ଜୀବନ ବଂଚାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ଶିଶୁଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ଡ. ଅମ୍ରିତ ପାଟଯୋଶୀଙ୍କ ତତ୍ତ୍ବାବଧାନରେ ଶିଶୁ ସହ ଡ. ଉଦୟ ମାଝୀ ଓ ଡ. ସୁମିରଣ ରାଉତ ଆମ୍ବୁଲାନ୍ସରେ କଟକରୁ ଏମ୍‌ସ ଆସିଥିଲେ। ଏମ୍‌ସର ସହକାରୀ ପ୍ରଫେସର ଡା. ପଙ୍କଜ ମହାନ୍ତି ଶିଶୁର ଚିକିତ୍ସା ଦାୟିତ୍ବ ନେଇଥିବା ବେଳେ ଲଣ୍ଡନରୁ ଡ. ପ୍ରକାଶ ଦେ ଓ ଡ. ରବିନ୍‌ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର