ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର

ପାଣିକୋଇଲି : ଶେଷରେ ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର ହୋଇଛି। ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ଆଲୋଚନା ପରେ ବୁଧବାର ସକାଳ ୮ଟାରେ ଏହି ଟୋଲ୍‌ପ୍ଲାଜାଟି ଏଠାରୁ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ବ୍ଲକର ନେଉଳିଆକୁ ସ୍ଥାନାନ୍ତର ହୋଇଛି। ୬୦ କିଲୋମିଟର ଭିତରେ ବେଆଇନ ଭାବେ ଥିବା ଏହି ଟୋଲ୍‌ପ୍ଲାଜା ସ୍ଥାନାନ୍ତର ସମ୍ବନ୍ଧରେ ‘ସମ୍ବାଦ’ରେ ଲଗାତର ତଥ୍ୟଭିତ୍ତିକ ଖବର ପ୍ରକାଶନ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ଜାତୀୟ ରାଜପଥ ବିଭାଗ ସହିତ ଆଲୋଚନା କରି ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ଯଦିଓ ଗତ ମାସ ୨୭ ତାରିଖ ସ୍ଥାନାନ୍ତର ପାଇଁ ସୂଚନା ଦିଆଯାଇଥିଲା କିନ୍ତୁ ତାହା ହୋଇନଥିଲା। ବହୁ ପ୍ରତୀକ୍ଷା ପରେ ଆଜି ତାହା କାର୍ଯ୍ୟକାରୀ ହୋଇଛି। ଟୋଲପ୍ଲାଜା ସ୍ଥାନାନ୍ତର ପରେ ସ୍ଥାନୀୟ ଗାଡ଼ି ମାଲିକ, ବ୍ୟବସାୟୀ ଓ ବୁଦ୍ଧିଜୀବୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ମୁତାବକ ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର କଟକ ମଙ୍ଗୁଳିରେ ଥିବା ଟୋଲ୍‌ପ୍ଲାଜା ବନ୍ଦାଳୋ ନିକଟକୁ ସ୍ଥାନାନ୍ତର ହୋଇଛି। ସେହି ନିଷ୍ପତ୍ତି ଅନୁସାରେ ବନ୍ଦାଳୋରୁ ୬୦ କିଲୋମିଟର ଦୂର ଭଦ୍ରକ ଜିଲ୍ଲା ଡାହାଲା (ନେଉଳିଆ) ନିକଟକୁ ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର ହେବା କଥା। ମାତ୍ର ତାହା କରାଯାଇନଥିଲା। ପ୍ରତିଦିନ ବେଆଇନ ଭାବେ ଲକ୍ଷଲକ୍ଷ ଟଙ୍କାର ଟୋଲ ଶୋଷଣ ହେଉଥିଲା। ସବୁ ସରକାରୀ ନିୟମକୁ ଉଲ୍ଲଂଘନ କରି ଟୋଲ ଆଦାୟ ହେଉଥିଲା। ଏହାକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା।

ସମ୍ବନ୍ଧିତ ଖବର