ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକରୁ ମତ୍ସ୍ୟ, ପଶୁ ପାଳନ ନିର୍ଦ୍ଦେଶାଳୟ ସ୍ଥାନାନ୍ତରକୁ ବିରୋଧ

କଟକ : ଭୁବେନଶ୍ୱରରେ ତିଆରି ଚାଲିଛି ‘କୃଷକ ଭବନ’। ସେଠି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗକୁ ଏକାଠି ରଖିବା ପାଇଁ କଟକରେ ଥିବା ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ପଶୁ ପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟକୁ ଉଠାଇ ନେବାକୁ ଯୋଜନା କରାଯାଇଛି। ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନାନ୍ତରକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କଟକ ବଞ୍ଚାଅ କମିଟିର ଆବାହକ ଆଇନଜୀବୀ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ କଟକରୁ ଭୁବନେଶ୍ୱରକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ବନ୍ଦ ପାଇଁ ନିର୍ଦ୍ଦେଶ ପ୍ରଦାନ ଲାଗି ପ୍ରାର୍ଥନା କରାଯାଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ୨୦୧୬, ମାର୍ଚ୍ଚ ୩୦ ଠାରୁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବେଆଇନ ଘୋଷଣା ପାଇଁ ନିବେଦନ କରାଯାଇଛି। ଆବେଦନରେ ମତ୍ସ୍ୟ ଓ ପଶୁ ସଂପଦ ସଚିବ, ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଗୃହ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତାପସ କୁମାର ଦ୍ଵିବେଦୀ, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ଓ ତ୍ରିଲୋଚନ ଦାଶ ମାମଲା ପରିଚାଳନା କରୁଛନ୍ତି।

ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ କଟକ-ଭୁବନେଶ୍ୱର ଦେ୍ତ ନଗରୀ ମାନ୍ୟତା ପାଇଥିବା ବେଳେ କଟକରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ପଶୁ ପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ସ୍ଥାନାନ୍ତର ପାଇଁ ଗ୍ରହଣ କରାଯିବା ନିଷ୍ପତ୍ତି ଯଥାର୍ଥ ନୁହେଁ। କଟକ ହେଉଛି ହଜାରେ ବର୍ଷର ଐତିହ୍ୟ ସଂପନ୍ନ ସହର। ଏଥି ସହତ ରାଜ୍ୟର ପୁରାତନ ରାଜଧାନୀ। ଏକଦା ରେଭେନ୍‌ସା କଲେଜ ଆସେମ୍ବ୍ଲି ହଲ୍‌ରେ ବ୍ୟବସ୍ଥାପକ ସଭା ଚାଲିଥିଲା ଓ କ୍ୟାଣ୍ଟନ୍‌ମେଣ୍ଟ୍‌ ରୋଡ୍‌ ଅଞ୍ଚଳରେ ସଚିବାଳୟ ମଧ୍ୟ ଥିଲା। କଟକ ସହର ହେଉଛି ରାଜ୍ୟର ପ୍ରାଣକେନ୍ଦ୍ର। ସ୍ୱାସ୍ଥ୍ୟ, ଶିକ୍ଷା ଓ ସବୁ କ୍ଷେତ୍ରରେ କଟକ ଗରୁତ୍ଵପୂର୍ଣ୍ଣ। ଏପରି ପରିସ୍ଥିତିରେ କଟକରୁ ଗରୁତ୍ଵପୂର୍ଣ୍ଣ କାର୍ଯ୍ୟାଳୟ ସ୍ଥାନାନ୍ତର ପଛରେ ଅମଲାତନ୍ତ୍ରୀକ ଓ ରାଜନୈତିକ ଷଡଯନ୍ତ୍ର ରହିଛି। ପୂର୍ବରୁ ରାଜ୍ୟ ବନ୍ଦର ଯନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱତନ୍ତ୍ର ରିଲିଫ୍‌ କମିସନର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ଉଦ୍ୟମ ହୋଇଥିବା ବେଳେ ଏ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଏ ପ୍ରସଂଗରେ ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବା ବେଳେ ମାମଲା ଏବେ ବିଚାରାଧୀନ ରହିଛି। କଟକର ଜନସାଧାରଣଙ୍କ ଇଚ୍ଛା ବିରୋଧରେ ସରକାର ପୁଣି ପୁଲିସ ବିଭାଗର ଗୁରୁତ୍ୱପୂର୍ଣ୍ଣ ଅଫିସ ସହିତ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ। ଏ ନେଇ ଅକ୍ଟୋବର ୨୭ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆବେଦନକାରୀ ଏଭଳି ନିଷ୍ପତ୍ତି ବିରୋଧରେ ନିଜ ଲିଖିତ ଆପତ୍ତି ମଧ୍ୟ ଦାଖଲ କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆରମ୍ଭ ଦିନଠାରୁ କଟକରେ ରହିଥିବା ବେଳେ ଏ ଗୁଡିକୁ ଭୁବନେଶ୍ୱରକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯିବା ଉଦ୍ଦେଶ୍ୟମୂଳକ ଓ ଜନବିରୋଧୀ କାର୍ଯ୍ୟ। ସହରର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ଓ ସବୁ ବର୍ଗର ଲୋକମାନେ ଏପରି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। କଟକ ସହରର ଗୌରବ ହାନୀ ପାଇଁ ଏପରି ହୀନ ଉଦ୍ୟମ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇ ଏ କ୍ଷେତ୍ରରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିିଛନ୍ତି।

ସମ୍ବନ୍ଧିତ ଖବର