୮ ଜିଲ୍ଲାପାଳ ବଦଳିଲେ

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି କେନ୍ଦୁଝର, କୋରାପୁଟ, ଗଜପତି, ଢେଙ୍କାନାଳ, ବଲାଙ୍ଗୀର, ମାଲକାନଗିରି, ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସେମାନଙ୍କୁ ତୁରନ୍ତ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦେଶ ଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଧାରରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପ୍ରଶାସନିକସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।ବିଜ୍ଞପ୍ତି ଅନୁସାରେ, ୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଶାଳିନୀ ପଣ୍ଡିତଙ୍କର ପୂର୍ବ ବଦଳିକୁ ରାଜ୍ୟ ସରକାର ଆଜି ବାତିଲ୍‌ କରିଛନ୍ତି। ସେ ପୂର୍ବଭଳି ଜାତୀୟ ସ୍ୱାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଭାବେ କାର୍ଯ୍ୟ କରିବେ। ନିକଟରେ ରାଜ୍ୟ ସରକାର ତାଙ୍କୁ ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। ଅନ୍ତଃରାଜ୍ୟ ଡେପୁଟେସନ୍‌ରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ତାମିଲନାଡୁ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ମେଡିକାଲ କର୍ପୋରେସନ୍‌ର ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କୁ ରାଜ୍ୟ ସରକାର ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତିି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ଲେଙ୍କାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ଭୁପେନ୍ଦ୍ର ଏସ୍‌. ପୁନିଆଙ୍କୁ ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେ ରାମ୍‌ସା, ଓ଼ଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦାୟିତ୍ୱରେ ବି ରହିବେ।କେନ୍ଦୁଝର ଜିଲ୍ଲାପାଳ ଏନ୍‌. ତିରୁମାଲା ନାୟକଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ସ୍ମାର୍ଟ ସିଟି ରାଉରକେଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ମିଳିଛି। ସେ ରାଉରକେଲା ମହାନଗର ନିଗମର କମିସନର ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗଜପତି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଉଦ୍ୟାନ କୃଷି ନିର୍ଦେଶକ (ଇନ୍‌ଚାର୍ଜ) ଭାବେ ବଦଳି କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ କେନ୍ଦୁଝର, ମାଲକାନଗିରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ କୋରାପୁଟ, କୋରାପୁଟ ଜିଲ୍ଲାପାଳ ଅନୁପମ୍‌ ସାହାଙ୍କୁ ଗଜପତି, ବ୍ରହ୍ମପୁର ମହାନଗର ନିଗମ କମିସନ ନିଖିଲ ପବନ କଲ୍ୟାଣଙ୍କୁ ଢେଙ୍କାନାଳ, ସିଏମ୍‌ଜିଆଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ମନିଷ ଅଗ୍ରଓ୍ଵାଲଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ଫେବ୍ରୁଆରି ମାସରେ ଅବସର ଗ୍ରହଣ କରୁଥିଲେ ହେଁ, ତା ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କୁ ସରକାର ବଦଳି କରି ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରିଛନ୍ତି। ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ଅକ୍ଷୟ କୁମାର ପରିଡାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ରମେଶ ଚନ୍ଦ୍ର ରାଉତଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ଅଜିତ କୁମାର ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ସରକାର ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର