ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀ ଓ ଶ୍ରୀ ରାମଙ୍କ ଅଯୋଧ୍ୟାର ରୂପାନ୍ତର ପ୍ରକ୍ରିୟା ନିର୍ଣ୍ଣାୟକ ମୋଡ଼ରେ। ନବନିର୍ମିତ ଶ୍ରୀରାମଙ୍କ ମନ୍ଦିର ଜାନୁଆରି ୨୨ ତାରିଖରେ ଲୋକାର୍ପିତ ହେବ। କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା କରାଯାଉଛି। ଏପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ବକୁ ପୁରୀ ମନସ୍କ କରିବା ଲାଗି ମହାପ୍ରଭୁଙ୍କ ପାଇଁ ମହାଯୋଜନାର ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି,ତା’ର ପ୍ରଥମ ଫର୍ଦ୍ଦ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଜାନୁଆରି ୧୭ ତାରିଖରେ ଉନ୍ମୋଚନ କରିବାକୁ ଯାଉଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଭାରତର ସବୁ ପ୍ରମୁଖ ଧାର୍ମିକ ଅନୁଷ୍ଠାନମାନଙ୍କୁ ନୂଆବର୍ଷରେ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଭରପୂର ଉଦ୍ୟମରତ। ସେହିଭଳି ରାଜନୈତିକ ଦୃଷ୍ଟିରୁ ବିଚାର କଲେ ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭାରତବର୍ଷର ଏହି ଦୁଇ ପ୍ରମୁଖ କ୍ଷେତ୍ରର ବିକାଶ ଏବେ ଧାର୍ମିକ ଆନ୍ଦୋଳନର ରୂପ ନେଲାଣି। ଓଡ଼ିଶାର ଗାଁ ଗାଁେର ଶ୍ରୀରାମ ମନ୍ଦିରକୁ ପହଞ୍ଚାଇବାକୁ ଭାରତୀୟ ଜନତା ପାର୍ଟି ଢେର୍ ଦିନରୁ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ଧର୍ମନିରପେକ୍ଷତାର ସର୍ବଶ୍ରେଷ୍ଠ ଭିତ୍ତି ବା ଆଧାର ପରିପ୍ରେକ୍ଷୀରେ ଓଡ଼ିଶା ଭାରତ ରାଜନୀତିରେ ଭିନ୍ନ ଏକ ସଙ୍କେତ ରଖିବାକୁ ଚାହୁଁଛି। ଆଉ ପାଦେ ଆଗକୁ ଯାଇ କହିଲେ, ଓଡ଼ିଶା ଜାତିର ସବୁଠାରୁ ବଡ଼ ପରିଚୟ, ବିଶ୍ବାସ ତଥା ଓଡ଼ିଆ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରତି ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଅଦିନରେ ଓଡ଼ିଶାରେ ଶ୍ରୀଜଗନ୍ନାଥ ରଥ ଗଡ଼ିବ ଓ ଶ୍ରୀମନ୍ଦିର ବିକାଶ ସହିତ ପ୍ରତି ଓଡ଼ିଆ ଯୋଡ଼ିହେବ। ଶ୍ରୀଜଗନ୍ନାଥଙ୍କ ପୁରୀ ବିକାଶ ଲାଗି ଲକ୍ଷ୍ମୀଙ୍କ ଭଣ୍ଡାର ଖୋଲିିଦିଆଯାଇଛି।

Advertisment

ଏହି ଦୁଇ ପ୍ରମୁଖ କ୍ଷେତ୍ରର ବିକାଶ ଆଗକୁ କାହାକୁ କେତେ ରାଜନୈତିକ ଫାଇଦା ଦେବ, ସରକାରଙ୍କୁ ଯଶସ୍ବୀ କରିବ, ତାହା ଅଲଗା ପ୍ରସଙ୍ଗ। ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ୨୦୨୪ ସ୍ପର୍ଶ ପୂର୍ବରୁ ଯେଉଁ ସଙ୍କେତ ଦେଉଛନ୍ତି, ତାହା ହେଲା- ପୂରା ଭାରତବର୍ଷରେ ରାଜନୀତି ଭାଷାର ରୂପାନ୍ତର ହୋଇଛି। ସରକାରମାନେ ବିକାଶର ପରିଭାଷାକୁ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଅସ୍ମିତାର ସୁରକ୍ଷା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଗବେଷକମାନଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଚଳନ୍ତି ଭଗବାନ। ହଜାରେ ବର୍ଷର ଇତିହାସ ପୃଷ୍ଠାକୁ ତନ୍ନ ତନ୍ନ କରି ଦେଖିଲେ, ଦୁଇଟି କଥା ସ୍ବତଃ ସାମ୍ନାକୁ ଆସେ। ଗୋଟିଏ ହେଲା- ଭାରତବର୍ଷ ତଥା ବିଶ୍ବର କୋଣ ଅନୁକୋଣରୁ ଧର୍ମାଚାର୍ଯ୍ୟ, ଗବେଷକ ପରଂବ୍ରହ୍ମଙ୍କର ଅବସ୍ଥିତିର ପ୍ରମାଣ ଦେବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଏହା ଏବେ ବି ଜାରି ରହିଛି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, କବିର, ନାନକ ଯିଏ ଯେତେବେଳେ ପୁରୀ ଆସିଛନ୍ତି, ସେତେବେଳେ ମହାପ୍ରଭୁଙ୍କୁ ଅତିମାନବୀୟ ଠାକୁର ବୋଲି ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ, ଗାଣତାନ୍ତ୍ରିକ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ନିଦର୍ଶନ ମହାପ୍ରଭୁଙ୍କ ପାଖରେ ସନ୍ନିବେଶିତ ଅଛି। ଅନ୍ୟ ଦିଗଟି ହେଲା, ବାରମ୍ବାର ବିଧର୍ମୀଙ୍କ ଆକ୍ରମଣ, ପଥର ଖସିବା, ସେବାରେ ବିଶୃଙ୍ଖଳା ଆଦି କାରଣରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ପୁରୀ ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସିଛି।

ଏପରି ଏକ ପୃଷ୍ଠଭୂମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୁରୁତ୍ବ ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟ ସରକାର ଦାବି କରିଛନ୍ତି ଯେ ୧୭୩୯ ମସିହାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଯେଭଳି ସବୁଜ ଥିଲା, ଧୀରେଧୀରେ ଠିକ୍ ସେମିତି ପରିବେଶ ସୃଷ୍ଟି କରାଯିବ। ଶ୍ରୀମନ୍ଦିର ଚାରିପାଖକୁ ସବୁଜ ବଳୟ କରି ତା’ ଭିତରେ ଶ୍ରଦ୍ଧାଳୁ ପରିକ୍ରମା କରିବେ। କିନ୍ତୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପୂର୍ବରୁ ଯେଉଁ ଉଲ୍ଲେଖନୀୟ ଚିତ୍ରଟି ପ୍ରଣିଧାନ ଯୋଗ୍ୟ, ତାହା ହେଲା- ମଠ ମନ୍ଦିର ଭଙ୍ଗା ବିତର୍କଟି ଏହା ଭିତରେ ଆପାତତଃ ମଉଳିଯାଇଛି। ମଠମାନଙ୍କର ଛାପ ପରିକ୍ରମା ପ୍ରକଳ୍ପରେ ପରିଦୃଷ୍ଟ। ସେମାନଙ୍କ ମୂଳ ଶୈଳୀ ଅପରିବର୍ତ୍ତିତ ରହିଛି ଏବଂ ଐତିହ୍ୟର ଛାପ ସହିତ ଏହାର ପୁନଃ ନିର୍ମାଣ କରାଯାଇଛି। ଏକଥା ସତ ଯେ ଏେବ କି କେବେ ଏମାର ମଠର ଖ୍ୟାତିକୁ ଅଣଦେଖା କରାଯାଇପାରିବ ନାହିଁ। ଏକଦା ନ’ ଅଙ୍କ ଦୁର୍ଭିକ୍ଷ ସମୟର ଅନ୍ନଦାତା ଏହି ମଠ। ଧନ, ଦାନ, ଧର୍ମରେ ଅଗ୍ରଣୀମାନଙ୍କ ଠାରୁ ଢେର୍ ଆଗରେଥି ଥିଲା। ଅନ୍ୟମାନେ ଏହାର ଅନୁଗାମୀ ଥିଲେ। ଏପରିକି ରାଜା ଯେଉଁ ସମୟରେ ଶ୍ରୀମନ୍ଦିର ପରିଚାଳନାରେ ଅସହାୟ ହୋଇପଡ଼ିଥିଲେ, ସେ ସମୟରେ ସହାୟତାର ହାତ ବଢ଼ାଇ ଦେଇଥିଲା ଏହି ମଠ। ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ମୁଣ୍ଡାଇଥିଲା।। ଐତିହାସିକ ତଥା ଗବେଷକଙ୍କ ମତରେ ଓଡ଼ିଶାର ସବୁଠୁ ଧନୀ ମଠ ଥିଲା ଏମାର ମଠ। ଏମାର ସମେତ ଅନ୍ୟ ମଠର ପରିବର୍ଦ୍ଧିତ ଐତିହ୍ୟ ସଂରକ୍ଷିତ ରଖାଯାଇପାରିନାହିଁ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଏବେ ବି ଏମାର ସମେତ ୧୭ଟି ମଠ ଓ ୩ଟି ମନ୍ଦିରର ସଂକ୍ଷିପ୍ତ ବା ମୂଳ ସ୍ବରୂପର କିୟଦଂଶ ରହିଛି। କଳିଙ୍ଗର କଳା, ଐତିହ୍ୟକୁ ଏହି ମଠ ମନ୍ଦିରର କାନ୍ଥରେ ସାମଲ କରାଯାଇ ଏହାର ପୁନରୁଦ୍ଧାର ହୋଇଛି।

ଶ୍ରୀମନ୍ଦିରକୁ ଯବନଙ୍କ ଆକ୍ରମଣରୁ ଆଖଡ଼ାର ମଲ୍ଲ ଯୋଦ୍ଧାମାନେ ରକ୍ଷା କରୁଥିଲେ। ଏହାର ସ୍ମାରକୀ ରୂପେ ୧୪ଶହ ଶତାଦ୍ଦୀର ବଡ଼ଆଖଡ଼ା ମଠର ମୂଳସ୍ଥାନଟି ପରିକ୍ରମା ପ୍ରକଳ୍ପରେ ରହିଛି। ପ୍ରତିବର୍ଷ ରଥଯାତ୍ରାରେ ନାଗା ସାଧୁଙ୍କ ଉପସ୍ଥିତି ଭିନ୍ନ କୋଳାହଳ ସୃଷ୍ଟି କରୁଥିଲା। ଏହି ନାଗା ସାଧୁ ମାନଙ୍କ ସ୍ଥଳୀ ଲଙ୍ଗୁଳି ମଠର ସଂକ୍ଷିପ୍ତ ସ୍ବରୂପ ବିଦ୍ୟମାନ। ଏମାନଙ୍କ ବ୍ୟତୀତ ବଡ଼ଛତା ମଠ, ଛାଉଣୀ ମଠ, ମଙ୍ଗୁ ମଠ,,ପଞ୍ଜାବୀ ମଠ, ଉତ୍ତରପାର୍ଶ୍ବ ମଠର ଛାପ ରହିଛି। ସେହିଭଳି ମାଆ କାକୁଡିଖାଇ, ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ କପାଳ ମୋଚନଙ୍କ ଅବସ୍ଥିତି ଅନେକ ବିତର୍କରେ ପୂର୍ଣ୍ଣଛେଦ ଟାଣିଛି। ସରକାର ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ପୁରୀରେ ବହୁତଳ ବିଶିଷ୍ଟ କାର୍ ପାର୍କିଂ, ଅତ୍ୟାଧୁନିକ ମାର୍କେଟିଂ କଂପ୍ଲେକ୍ସ, ଦୋକାନମୁକ୍ତ ସମୁଦ୍ରକୂଳ, ଟ୍ରମ୍ଫେଟ୍‌ ସେତୁ ଭଳି ଅନେକ ପଦକ୍ଷେପ ନେଇ ଏହାକୁ ଅବଶିଷ୍ଟ ଭାରତର ପ୍ରମୁଖ କ୍ଷେତ୍ରସ୍ଥଳୀରେ ପରିଣତ କରିବା ଆଳରେ ରାଜନୈତିକ ରଣକୌଶଳର ନୂଆ ଧାରାରେ ସାମିଲ ହୋଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ମହାପ୍ରଭୁଙ୍କ ପ୍ରତି ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ସମର୍ପିତ, ଏଥିରେ ସନ୍ଦେହ ନାହିଁ। ହେଲେ ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଯେଉଁ ଆହ୍ବାନ ସରକାରଙ୍କ ପାଇଁ ଆଜି ବି ଅଡ଼ୁଆ ଆଣୁଛି, ତାହା ହେଲା- ମହାପ୍ରଭୁଙ୍କ ନୀତି, ସେବା ପୂଜା ଦାୟିତ୍ବ ନିର୍ବାହ ବେଳେ ପ୍ରଶାସନିକ କଳ ଦାୟିତ୍ୱ ନିର୍ବାହରେ ଇଚ୍ଛାଶକ୍ତିର ଯଥେଷ୍ଟ ଅଭାବ ଜଳ ଜଳ। ଏ କ୍ଷେତ୍ରରେ ଆଚରଣ ଓ ଉଚ୍ଚାରଣରେ ଶୁଦ୍ଧତା ଆଦୌ ପ୍ରକଟିତ ହେଉନାହିଁ। ଆହୁରି ସ୍ପଷ୍ଟ ଭାବେ କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଧର୍ମୀୟ ଉଦାରତାର ବିସ୍ତାରିତ ସ୍ୱରୂପ। ରାଷ୍ଟ୍ର ଧର୍ମରେ ଉଦାରତା ଅତ୍ୟନ୍ତ ଗୁରୁତ୍ୱ ରଖେ। କିନ୍ତୁ ଭକ୍ତର ଭାବାବେଗ ସହିତ ଖେଳ, ଓଡ଼ିଶାର ଅସ୍ମିତା ପ୍ରତି କୁଠାରଘାତ ଓ ଓଡ଼ିଆ ଜାତିର ପରିଚୟ ଓ ସଂସ୍କୃତିର ମହନୀୟତାକୁ ସଂକୁଚିତ କରିଦେବା ଲାଗି ଗୋଟିଏ ବର୍ଗର ଉଦ୍ୟମକୁ ସରକାର ରୋକିପାରିନାହାନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବକ ସମାଜ ମଧ୍ୟରେ ସମନ୍ବୟର ଅଭାବ ଦୂର ହୋଇପାରିନାହିଁ। ପାରସ୍ପରିକ ସହଯୋଗିତା ଓ ବୁଝାମଣା ଭିତ୍ତିରେ କର୍ତ୍ତବ୍ୟ ସଂପାଦନ ବଦଳରେ ମୁହାଁମୁହିଁ େହାଇ ବଳ କଷା କଷି େହବା ଦ୍ବାରା ଶ୍ରୀଜଗନ୍ନାଥ ସେବା ପୂଜା ସହିତ ଘଟଣା, ଅଘଟଣ ଯୋଡ଼ି ହୋଇଯାଉଛି। ଏସବୁ ଓଡ଼ିଆ ଜାତିର ସମ୍ମାନ ଓ ପରିଚୟରେ ଆଞ୍ଚ ଆଣିଛି। ସେଯାଏ ରୂପାନ୍ତରର ଶେଷ ନାହିଁ।