‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟଠାରେ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକମାନଙ୍କୁ ଡିଜିଟାଲ ତଥା ସ୍ମାର୍ଟବୋର୍ଡ ମାଧ୍ୟମରେ କିଭଳି ଶିକ୍ଷାଦାନ କରିବେ ସେନେଇ ଅବଗତ କରାଯାଇଥିଲା ।

ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀ ସାହୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବହାର କରି ଉତ୍ତମାମନର ଶିକ୍ଷାଦାନ ଲାଗି ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେବା ଉଚିତ୍ ବୋଲି ସେ କହିବା ସହ ସ୍ମାର୍ଟକ୍ଲାସ୍‌ରେ ‘ବ୍ଲେଣ୍ଡେଡ୍ ଲର୍ଣ୍ଣିଂ’ର ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟର ପାସ୍ହାର ଯେପରି ଶତ ପ୍ରତିଶତ ରହିବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ‘ଏ-୧’ ଗ୍ରେଡ୍ରେ କୃତକାର୍ଯ୍ୟ ହେବେ ତାହାଉପରେ ଗୁରୁତ୍ୱ ଦେବାକୁ ପ୍ରମୁଖ ସଚିବ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ କରିବା ଆମ ଲକ୍ଷ୍ୟ । ଆଗାମୀଦିନରେ ନିରନ୍ତର ଭାବରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ପାଠ୍ୟଖସଡ଼ା ଅନୁଯାୟୀ ସ୍ମାର୍ଟବୋର୍ଡରେ ପାଠ ପଢାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଶ୍ରେଣୀଗୃହରେ ନୂତନ ଜ୍ଞାନକୌଶଳ ଆପଣାଇବାକୁ ଭୟ ନକରି ଏହା ସହ ଧୀରେ ଧୀରେ ଅଭ୍ୟସ୍ତ ହେବାକୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସମସ୍ତ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ତରଫରୁ ‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟକୁ ଖୁବ୍‌ଶୀଘ୍ର ଇ-କଣ୍ଟେଣ୍ଟ୍ ପ୍ରଦାନ କରାଯିବ ଏବଂ ଶିକ୍ଷକମାନେ ନିଜେ ଯେପରି କଣ୍ଟେଣ୍ଟ୍ ପ୍ରସ୍ତୁତ କରିପାରିବେ ସେଥିଲାଗି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ଶିକ୍ଷକମାନେ ପିଲାମାନଙ୍କ ସକ୍ରିୟ ସହଭାଗିତାରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ଶିକ୍ଷାଦାନ କରିବାକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଷୟର ପ୍ରଶିକ୍ଷକମାନେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ସମ୍ବନ୍ଧିତ ଖବର