ଟ୍ରାନ୍ସଫର୍ମର ଚୋରି ମାମଲା, ଧରାପଡ଼ିଲେ ୪

କାଳିଆପାଣି: କାଳିଆପାଣି ଥାନା କଲରଙ୍ଗି ଗାଁ ମୁଣ୍ଡରେ ଥିବା ଉଚ୍ଚଶକ୍ତି କ୍ଷମତା ସଂପନ୍ନ ଟ୍ରାନ୍ସଫର୍ମରକୁ ଯୋଜନାବଦ୍ଧ ଅଚଳ କରିବା ପରେ ଏହାକୁ ଖଣ୍ଡଖଣ୍ଡ କାଟି ୨ କ୍ବିଣ୍ଟାଲରୁ ଅଧିକ ଓଜନର ତମ୍ବା ଲୁଟି ନେଇଥିଲେ ଦୁର୍ବୃତ୍ତ। ଘଟଣାର ୨ ମାସ ପରେ ଅର୍ଥାତ୍‌ ଗତ ୪ ତାରିଖ ରାତି ଏହି ଲୁଟେରା ଗ୍ୟାଙ୍ଗ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ସମାନ ଉପାୟରେ ଏକ ୨୫ କେଭି ଟ୍ରାନ୍ସଫର୍ମରକୁ କାଟି ଏହାର ତମ୍ବାକୁ ଟାଙ୍ଗୀରେ ବିକିବା ଯୋଜନା କରୁଥିବା ବେଳେ ଆନନ୍ଦପୁର ପୁଲିସ ହାତରେ ଧରାପଡ଼ିଛନ୍ତି। ଏହି ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁହାଯାଉଥିବା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ପାର୍ବତୀପୁର ଗାଁର ନକୁଳ ମୁଣ୍ଡା(୨୫)କୁ ପ୍ରଥମେ ଗିରଫ କରାଯିବା ପରେ ତାର ପ୍ରମୁଖ ସହ‌ଯୋଗୀ ହେନ୍ତେରାବାଡ଼ି ଗାଁର ରାମଚନ୍ଦ୍ର ଆଲଡ଼ା(୨୨), ଟାଙ୍ଗୀ ଥାନା ବଡ଼ସାହି ଗାଁର ହରି ଚରଣ ସାହୁ ଓ ଲାଦୁରା ଜଙ୍କକୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ଏକ ବାଇକ୍‌, ୬ଟି ତମ୍ବ‌ା ଡଙ୍କି, ବହୁ ପରିମାଣର ରେଞ୍ଚି,‌‌ ପେଚକସ, ପ୍ଲାସ, ଲୁଟ୍‌ ଟ୍ରାନ୍ସଫର୍ମରର କିଛି ଯନ୍ତ୍ରାଂଶ ଜବତ ହୋଇଛି।

ସମସ୍ତ ଅଭିଯୁକ୍ତଙ୍କୁ ଆନନ୍ଦପୁର ଥାନା କେସ ନଂ ୮/୨୩ ରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ‌ବିଚାର ବିଭାଗୀୟ ହାଜତ ପଠା ଯାଇଛି। ଖୁଣ୍ଟୁଣୀ ଇଲାକାର ଜଣେ ପୁଲିସ ଅଧିକାରୀ ଏହି ଲୁଟେରା ଗ୍ୟାଙ୍ଗର ଗତିବିଧି ସଂପର୍କରେ ସୁରାକ୍‌ ପାଇଥିଲେ। ଜେରା ବେଳେ ଅଭିଯୁକ୍ତମାନେ କାଳିଆପାଣିର ଲୁଟ୍‌ ଘଟଣା ସମେତ ରାଜ୍ୟର ବିଭିନ୍ନ ଇଲାକାରୁ ଟ୍ରାନ୍ସଫର୍ମର କାଟି ତମ୍ବା ଓ ମୂଲ୍ୟବାନ ଯନ୍ତ୍ରାଂଶ ଲୁଟ୍ କରିଥିବା ସ୍ବୀକାର କରିଛନ୍ତି। ଲୁଟେରାମାନେ ସ୍ଥାନୀୟ କିଛି ଯୁବକଙ୍କ ସହ ସଂପର୍କ ଯୋଡ଼ି ଫୁଟବଲ୍‌ ଖେଳିବା ବାହାନାରେ ଲୁଟ୍‌ ଯୋଜନା କରୁଥିବା ଜଣାପଡ଼ିଛି। କାଳିଆପାଣି ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରିବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର