ରୁଷୀୟ, ଚାଇନିଜ୍‌ ଭାଷାରେ ଅନୁବାଦ ହେଲା ‘ମନୋଜ ଦାସଙ୍କ କଥା ଓ କାହାଣୀ’

ଏସ୍‌ସିଓ ସମିଟ୍‌‌ରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ମୁତାବକ ଅନୁବାଦ ହେଲା ଦେଶର ୧୦ ଶ୍ରେଷ୍ଠ ସାହିତ୍ୟକୃତି

ଭୁବନେଶ୍ୱର : ରୁଷୀୟ, ଚାଇନିଜ୍‌ ଓ ଇଂରାଜୀ ଭାଷାରେ ଅନୁବାଦ ହୋଇଛି ପ୍ରଥିତଯଶା କଥାକାର ମନୋଜ ଦାସଙ୍କ ପୁସ୍ତକ ‘ମନୋଜ ଦାସଙ୍କ କଥା ଓ କାହାଣୀ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜୁନ୍‌ରେ ବିଶ‌କେକ୍‌ରେ ଅନୁଷ୍ଠିତ ସାଂଘାଇ କୋ-ଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ସମିଟ୍‌ରେ ୧୦ଜଣ ଭାରତୀୟ ସାହିତ୍ୟିକଙ୍କର ଭାରତୀୟ ଭାଷାର ଶ୍ରେଷ୍ଠ ସାହିତ୍ୟକୃତିକୁ ଏସ୍‌ସିଓ ଭାଷାରେ ଅନୁବାଦ କରିବାକୁ କହିଥିବା ବେଳେ ଏଥିରେ ସ୍ଥାନିତ ହୋଇ ଅନୁବାଦ ହୋଇଛି ମନୋଜ ଦାସଙ୍କ ପୁସ୍ତକ। କେନ୍ଦ୍ର ସାହିତ୍ୟ ଅକାଦେମି ଚୟନ କରିଥିବା ୧୦ ଭାରତୀୟ ଶ୍ରେଷ୍ଠ ସାହିତ୍ୟ କୃତି ମଧ୍ୟରୁ ଏକମାତ୍ର ଓଡ଼ିଆ ସାହିତ୍ୟକୃତି ଭାବେ ‘ମନୋଜ ଦାସଙ୍କ କଥା ଓ କାହାଣୀ’ ପୁସ୍ତକ ସ୍ଥାନିତ ହୋଇଛି। ପୁସ୍ତକକୁ ଚାଇନିଜ୍‌ ଭାଷାରେ ଅନୁବାଦ କରିଛନ୍ତି ୟୁ ବେ‌ଇବେଇ ଏବଂ ରୁଷିଆ ଭାଷାରେ ଅନୁବାଦ କରିଛନ୍ତି ଚରଣଜିତ୍‌ ସିଂହ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତ ନଭେମ୍ବର ୧୦ ତାରିଖରେ ଏସ୍‌ସିଓ ମୁଖ୍ୟଙ୍କ ସହ ଏକ ଭର୍ଚୁଆଲ ମିଟ୍‌ରେ କଥା ହେବା ବେଳେ ୧୦ଟି ବହିର ଅନୁବାଦ ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ ଏସ୍‌ସିଓ ସମିଟ୍‌ରେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ‌ଆଞ୍ଚଳିକ ଭାଷାର ଏହି ଶ୍ରେଷ୍ଠ ଭାରତୀୟ ସାହିତ୍ୟକୃତି ଋଷିଆ ଓ ଚାଇନିଜ୍‌ ଭାଷାରେ ଅନୁବାଦ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଅତୀତ ସୁଦୂରପ୍ରସାରୀ ହେବ।

ମନୋଜ ଦାସଙ୍କ ବହି ବ୍ୟତୀତ ଚାଇନିଜ୍‌ ଓ ରୁଷିଆ ଭାଷାରେ ଅନୁବାଦ ହୋଇଥିବା ଅନ୍ୟ ସାହିତ୍ୟକୃତିଗୁଡ଼ିକ ହେଉଛି, ସୟିଦ ଅବଦୁଲ ମଲିକଙ୍କ ଆସାମୀ ଭାଷାର ପୁସ୍ତକ ‘ସୂରୁଜମୁଖୀର୍‌ ସ୍ବପ୍ନ’, ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କ ବଙ୍ଗଳା ପୁସ୍ତକ ‘ଆରୋଗ୍ୟ ନିକେତନ’, ଜାଭେରଚାନ୍ଦ ମେଘାନିଙ୍କ ଗୁଜରାଟୀ ଭାଷାର ପୁସ୍ତକ ‘ଭେଭିଶାଲ’, ନିର୍ମଳା ବର୍ମାଙ୍କ ହିନ୍ଦୀ ପୁସ୍ତକ ‘କବେ ଔର କାଲା ପାନି’, ଏସ୍‌.ଏଲ୍‌ ଭ୍ୟାରାପ୍ପାଙ୍କ କନ୍ନଡ଼ ଭାଷାର ପୁସ୍ତକ ‘ପର୍ବ’, ଗୁରୁଦିଆଲ ସିଂଙ୍କ ପଞ୍ଜାବୀ ଭାଷାର ପୁସ୍ତକ ‘ମାର୍‌ହି ଦା ଦିଭା’, ଜୟକଣ୍ଠନଙ୍କ ତାମିଲ୍‌ ଭାଷାର ପୁସ୍ତକ ‘ସିଲା ନେରାଙ୍ଗଲିଲ ସିଲା ମଣିଥରଗଲ’, ରଚକୋଣ୍ଡା ବିଶ୍ବନାଥ ଶାସ୍ତ୍ରୀଙ୍କ ଲିଖିତ ତେଲୁଗୁ ଭାଷାର ପୁସ୍ତକ ‘ଇଲ୍ଲୁ’, ରାଜିନ୍ଦର ସିଂ ବେଦିଙ୍କ ଊର୍ଦୁ ଭାଷାର ପୁସ୍ତକ ‘ଏକ ଚଦର ମୈଲି ସି। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ କେନ୍ଦ୍ର ସରକାର ଓ କେନ୍ଦ୍ର ସାହିତ୍ୟ ଅକାଦେମିକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର