ଭୁବନେଶ୍ବର : ଶ୍ରୀରାଧା କେବଳ ଚରିତ୍ରଟିଏ ନୁହଁନ୍ତି, ମୋ ପାଇଁ ଏକ ପ୍ରେରଣା। ‘ଶ୍ରୀରାଧା’ ଲେଖିଲା ବେଳେ ମୁଁ ଅନୁଭବ କରୁଥିଲି, ମୁଁ ଜଣେ କବି ନୁହେଁ, ଜଣେ ଷ୍ଟେନୋଗ୍ରାଫର। ଜଣେ କିଏ ଡାକି ଦେଉଛି, ମୋତେ କହୁଛି ତୁ ଲେଖ। ସେତେବେଳେ ମୁଁ ଫୁଲବାଣୀରେ ଜିଲ୍ଲାପାଳ ଥିଲି। ‘ଶ୍ରୀରାଧା’ ରଚନା କରିବା ପାଇଁ ମୋତେ ଛଅ ବର୍ଷ ଲାଗିଥିଲା। ସୁତରାଂ ଯଦି କବି ଭାବେ ଯେ ସେ କବିତା ଲେଖୁଛି, ତାହା ଭୁଲ୍ କଥା। କବିତା ଯଦି କହିବ ତୁ ମୋତେ ଲେଖେ, ତାହା ହେଲେ ତାହା କବିତା ହିଁ ହେବ। ସେ ଏକ ଦିବ୍ୟ ପ୍ରେରଣା, ସେ କେଉଁଠାରୁ ଆସେ ତାହା ଭଗବାନ ଜାଣନ୍ତି। ସେ ପ୍ରେରଣା ବ୍ୟତିରେକେ କବିତା ହୋଇପାରିବ ନାହିଁ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକଙ୍କ ଲିଖିତ ହିନ୍ଦୀ କାବ୍ୟଗ୍ରନ୍ଥ ‘ଶୁନୋ ରାଧିକା’ର ଓଡ଼ିଆ ଅନୁବାଦ ‘ଶୁଣ ରାଧିକା’ ଉନ୍ମୋଚନ କରି ‘ଶ୍ରୀରାଧା’ର କବି ପଦ୍ମଭୂଷଣ ରମାକାନ୍ତ ରଥ ଏହା ପ୍ରକାଶ କରିଛନ୍ତି।
ଶନିବାର ଅପରାହ୍ଣରେ କବି ଶ୍ରୀ ରଥଙ୍କ ବାସଭବନରେ ଓଡ଼ିଶା ବୁକ୍ ଏମ୍ପୋରିୟମ୍ ଦ୍ବାରା ପ୍ରକାଶିତ ଓ ଡକ୍ଟର ସଂଘମିତ୍ରା ଭଞ୍ଜଙ୍କ ଦ୍ବାରା ଅନୂଦିତ ଏହି କାବ୍ୟ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ରୂପେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ ଯେ ‘ଶ୍ରୀରାଧା’ର କବି ରମାକାନ୍ତ ରଥଙ୍କ ଦ୍ବାରା ‘ଶୁଣ ରାଧିକା’ ଉନ୍ମୋଚନ ହେବା ନିଶ୍ଚିତ ରୂପେ ଉଲ୍ଲେଖଯୋଗ୍ୟ ଘଟଣା। ଅନୁବାଦ କାର୍ଯ୍ୟ ହେଉଛି ଅନ୍ୟର ପିଲାକୁ ଯତ୍ନର ସହିତ ବଢ଼ାଇବା ଭଳି ଗୁରୁଦାୟିତ୍ବ। ସର୍ବଭାରତୀୟ କ୍ଷେତ୍ରରେ ରାଧିକାଙ୍କୁ ନେଇ ଯେତେ କାବ୍ୟକବିତା ରଚନା କରାଯାଇଛି ‘ଶ୍ରୀରାଧା’ ସେଥି ମଧ୍ୟରୁ ସର୍ବଶ୍ରେଷ୍ଠ। ବିଶିଷ୍ଟ ଅନୁବାଦକ ଓ ପ୍ରାବନ୍ଧିକ ଅସିତ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାରେ ‘ଶୁନୋ ରାଧିକା’ ଉନ୍ମୋଚନ ହେବା ପରି ଓଡ଼ିଆ ଭାଷାର କାବ୍ୟକବିତା ହିନ୍ଦୀ ଭାଷାରେ ଅନୂଦିତ ହେବା ଆବଶ୍ୟକ ବୋଲି କହିଥିଲେ। ବିଶିଷ୍ଟ ଅନୁଦାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକ ଅନୂଦିତ କାବ୍ୟର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ଏହା ଉଚ୍ଚକୋଟୀର ଚିନ୍ତନକୁ ଓଡ଼ିଆ ପାଠକ ନିକଟରେ ପହଞ୍ଚାଇ ପାରିଛି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ଏପରି ଅନୁବାଦ ଓଡ଼ିଆ ଅନୁବାଦ ସାହିତ୍ୟକୁ ସମୃଦ୍ଧ କରିବ ବୋଲି କହିଥିଲେ। ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରି କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ କହିଥିଲେ ଯେ ମାଧବ କୌଶିକଙ୍କ ଏହି ଚର୍ଚ୍ଚିତ କାବ୍ୟଗ୍ରନ୍ଥ ଓଡ଼ିଆ ଭାଷାରେ ଅନୂଦିତ ହେବା ନିଶ୍ଚିତ ରୂପେ ଉଲ୍ଲେଖଯୋଗ୍ୟ ସାରସ୍ବତ କର୍ମ। ଡକ୍ଟର ସଂଘମିତ୍ରା ଭଞ୍ଜ ଅନୁବାଦ ସଂପର୍କରେ ନିଜର ବକ୍ତବ୍ୟ ରଖିଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏବଂ ଧନ୍ୟନାଦ ଅର୍ପଣ କରିଥିଲେ ଓଡ଼ିଶା ବୁକ୍ ଏମ୍ପୋରିୟମ୍ର ସ୍ବତ୍ବାଧିକାରୀ ଶିବାଶିଷ କର।