ସମ୍ବଲପୁର: ‘ଆମର ଭାଷାକୁ ଉନ୍ନତ କରିବା ପାଇଁ ନିଜ ଭାଷାରେ ଲେଖାଯିବା ସହିତ ଦେଶ ବିଦେଶର କ୍ଲାସିକ୍‌ ସାହିତ୍ୟକୁ ଆମ ଭାଷାରେ ଅନୁସୃଜନ କରାଯାଉ। ସ୍ଥାନୀୟ ଗଙ୍ଗାଧର ମଣ୍ଡପଠାରେ ଅନୁଷ୍ଠିତ ‘ଜୁଗାର୍‌ ବଛରିକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉଚ୍ଛବ ଅସ୍ମିତା-୨୩’ରେ ଯୋଗଦେଇ ଝାଡ଼ଖଣ୍ଡ ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହା କହିଛନ୍ତି।

Advertisment

‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜଷ୍ଟିସ୍ ମିଶ୍ର ଉଦ୍‌ଘାଟକ ଭାବରେ ଯୋଗଦେଇଥିଲେ। ସେ କହିଥିଲେ ଯେ ଆମ ଭାଷାର ଉନ୍ନତି ପାଇଁ ନିଷ୍ଠାପର ଉଦ୍ୟମ କରିବା, କିନ୍ତୁ ଅନ୍ୟାଭାଷାକୁ ଅପମାନିତ କରିବା ନାହିଁ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ବଙ୍ଗଳା ଭାଷାଭାଷୀ ଲୋକେ ଯେଭଳି ଓଡ଼ିଆ ଭାଷାକୁ ଉପଭାଷା ଦର୍ଶାଇଥିଲେ, ସେପରି କରିବା ଉଚିତ ନୁହେଁ। ତେବେ ଓଡ଼ିଆ ଭାଷା ପ୍ରତି ସେମାନଙ୍କ ଏଭଳି ଆଚରଣ ହିଁ ଓଡ଼ିଆ ଭାଷାରେ ଲେଖିବା ପାଇଁ ଲେଖକଙ୍କୁ ପ୍ରୋତ୍ସାହିତ କରିଥିଲା ବୋଲି ଜଷ୍ଟିସ ମିଶ୍ର କହିଥିଲେ। ଏହି ପରିପ୍ରେକ୍ଷୀରେ ଆମ ଭାଷାରେ ସାହିତ୍ୟ ସୃଷ୍ଟି କରିବା ସହିତ ଅନ୍ୟଭାଷାର ସାହିତ୍ୟକୁ ଆମ ଭାଷାରେ ଅନୁବାଦ କଲେ ଆମ ଭାଷାର ପରିଚିତି ବ୍ୟାପକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ବିଶିଷ୍ଟ ଚାଷୀନେତା ତଥା ସ୍ତମ୍ଭକାର ଲିଙ୍ଗରାଜ ଓଡ଼ିଆ ଖବର କାଗଜ ‘ସମ୍ବାଦ’ ଜୁଗାର ମାଧ୍ୟମରେ ସମ୍ବଲପୁରୀ ଭାଷା ଆନ୍ଦୋଳନର ଯେଉଁଭଳି ଭାବରେ ପ୍ରତିନିଧିତ୍ବ କରୁଛି, ବାସ୍ତବରେ ତାହା ପ୍ରଶଂସନୀୟ ବୋଲି କହିଥିଲେ। ସେ ତାଙ୍କ ବକ୍ତବ୍ୟରେ ଆହୁରି କହିଥିଲେ, ‘ଏକବିଂଶ ଶତାବ୍ଦୀର ଜଗତୀକରଣ ସମୟରେ ପ୍ରତି ୧୪ ମିନିଟ୍‌ରେ ବିଶ୍ବରୁ ଏକ ଭାଷାର ମୃତ୍ୟୁ ଘଟୁଥିବା ବେଳେ ଆମର ଭାଷାକୁ ମାନ୍ୟତା ଦେବା ପାଇଁ ଚାଲିଥିବା ଆନ୍ଦୋଳନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ୧୯୮୦ ଦଶକ ଯାଏ ସମ୍ବଲପୁରୀ ଭାଷା ସାହିତ୍ୟକୁ ରାଜ୍ୟସ୍ତରୀୟ ପ୍ରକାଶନ ପାଇଁ କୁଣ୍ଠାବୋଧ କରାଯାଉଥିବାବେଳେ ୯୦ ଦଶକ ବେଳକୁ ଏଥିରେ ପରିବର୍ତ୍ତନ ହେଲା ଏବଂ ସମ୍ବଲପୁରୀ ସାହିତ୍ୟକୁ ମାନ୍ୟତା ମିଳିଲା ବୋଲି କହିଥିଲେ। ତେବେ ବର୍ତ୍ତମାନ ମଧ୍ୟ ସମ୍ବଲପୁରୀ-କୋଶଲି ଭାଷା ସମ୍ବିଧାନର ଅଷ୍ଟମସୂଚୀରେ ସାମିଲ୍‌ ନହେବା ଦୁଃଖର ବିଷୟ’।

‘ସମ୍ବାଦ’ର ସମ୍ପାଦକ ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରଖି ‘ଜୁଗାର’ ହେଉଛି ପଶ୍ଚିମ ଓଡ଼ିଶାକୁ ସମଗ୍ର ଓଡ଼ିଶା ସହ ଯୋଡ଼ିବାର ଏକ ଛୋଟ ପ୍ରୟାସ ବୋଲି କହିଥିଲେ। ପ୍ରୋତ୍ସାହନ ଦ୍ବାରା ଯୁବ ପିଢ଼ିଙ୍କ ଭିତରେ ଭାଷା, ସାହିତ୍ୟ ପ୍ରତି ଉତ୍ସାହ ଜାଗ୍ରତ କରିବାକୁ ହେବ। ସେ କହିଥିଲେ ଯେ ବିବିଧତା ଭିତରେ ଏକତାର ନିଦର୍ଶନ ଦେଇଛି ପଶ୍ଚିମ ଓଡ଼ିଶା। ସମ୍ବଲପୁରୀ ଶାଢ଼ି, ରଙ୍ଗବତୀ ଗୀତ, ସରସତିଆ, ଆମ୍ବିଳର ଯେମିତି ତୁଳନା ନାହିଁ, ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ, ଗଙ୍ଗାଧରଙ୍କ କାବ୍ୟ କବିତା ଏବଂ ଭୀମ ଭୋଇଙ୍କ ଉତ୍ସର୍ଗୀକୃତ ଚେତନାର ମଧ୍ୟ ତୁଳନା ନାହିଁ ବୋଲି କହିଥିଲେ। ‘ଜୁଗାର’ ସମ୍ପାଦକ ଅରବିନ୍ଦ ଦାସ ଉତ୍ସବରେ ପ୍ରାରମ୍ଭିକ ବକ୍ତବ୍ୟ ରଖି କହିଥିଲେ ଯେ ଯେଉଁ ମାତୃଭାଷା ଯେତେ ସମୃଦ୍ଧ, ଯେଉଁ ବାଣୀଭଣ୍ଡାର ଯେତିକି ସୁଦୃଢ଼ ସେହି ଅସ୍ମିତା ସେତିକି ପ୍ରସିଦ୍ଧ। ସମ୍ବଲପୁରୀ/କୋଶଲି ଭାଷା ଅଦ୍ୟାବଧି ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‌ ହୋଇନପାରିବା, ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବାର ୧୦ ବର୍ଷ ପରେ ବି ଭାଷା ମାନ୍ୟତା ଦିଗରେ ପାଦେ ବି ନଆଗେଇବା, ଭାଷା ବିବାଦ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ଚିନ୍ତନ କରିବାର ସମୟ ଆସିଛି ବୋଲି ସେ କହିଥିଲେ।
ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ଗବେଷକ ଡ. ଦୋଳଗୋବିନ୍ଦ ବିଶି, ଐତିହାସିକ ଦୀପକ କୁମାର ପଣ୍ଡା ଏବଂ ସଂଗୀତଜ୍ଞ ନବ ମହତ୍ତମଙ୍କୁ ‘ଜୁଗାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏମ୍‌ସ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ, ସମ୍ବଲପୁରର ସହପ୍ରତିଷ୍ଠାତା ଶ୍ରୀମନ୍ତ ପାତ୍ର ଓ ସୁଇଟ୍‌ ଲାଇଫ୍ ଡାଏବେଟିକ୍ସ କେୟାର, ରାଉରକେଲାର ସତ୍ତ୍ବାଧିକାରୀ ପ୍ରଫେସର ଡା. ଅଂଶୁମାନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବ ପ୍ରାରମ୍ଭରୁ ବାଦ୍ୟ ସହିତ ‘ଜୁଗାର ଯାତ୍ରା’ ଅଧିଷ୍ଠାତ୍ରୀ ଦେବୀ ମା’ ସମେଲଶ୍ବରୀଙ୍କ ମନ୍ଦିରରୁ ବାହାରି ସଭାସ୍ଥଳ ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା। ସଭା ଆରମ୍ଭରେ ମା’ ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ସହିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମ୍ବାଦ ସମ୍ବଲପୁର ସଂସ୍କରଣ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରୀତିନନ୍ଦା ମିଶ୍ର ଉଦ୍‌ଘାଟନୀ ସଂଗୀତ ସମଲେଶ୍ବରୀ ଭଜନ ‘ଘଣ୍ଟ ବାଜୁଛେ ତୋର ମନ୍ଦିରେ ମା’..ପରିବେଷଣ କରିଥିଲେ। ଉତ୍ସବରେ ‘ସମ୍ବାଦ’ ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା ଅତିଥିଙ୍କୁ ସଭାମଞ୍ଚକୁ ଆବାହନ କରିଥିବାବେଳେ ଶେଷରେ ଏଜିଏମ୍‌ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ସଭା ଆରମ୍ଭରେ ନୃତ୍ୟ ଅନୁଷ୍ଠାନ ନଟରାଜ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସଭା ପରେ ଓଲିଉଡ଼ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସମେତ ନବ ମହତ୍ତମ, ଉମାକାନ୍ତ ବାରିକ ଓ ପଦ୍ମଶ୍ରୀ ଖଟେଇଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା ।