ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ବୃକକ୍(କିଡ୍ନି) ପ୍ରତିରୋପଣ ଆରମ୍ଭ ହୋଇଛି। ୨୦ ବର୍ଷୀୟ ଛାତ୍ରଙ୍କଠାରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କରାଯାଇଛି। ଉକ୍ତ ଛାତ୍ର ଓ ତାଙ୍କୁ କିଡ୍ନି ଦାନ କରିଥିବା ତାଙ୍କର ୫୦ ବର୍ଷୀୟ ବାପା ଉଭୟ ସୁସ୍ଥ ଅଛନ୍ତି। ଡାକ୍ତରଖାନାରୁ ଉଭୟଙ୍କୁ ଡିସ୍ଚାର୍ଜ କରାଯାଇଛି। ଏଥିସହିତ ଏମ୍ସରେ ଯକୃତ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ.ଆଶୁତୋଷ ବିଶ୍ବାସ।
ରାଜ୍ୟର ଗରିବ ବୃକକ୍ ରୋଗୀଙ୍କୁ ଆଶ୍ବସ୍ତି ମିଳିଛି। କାରଣ କଟକ ଏସ୍ସିବି ପରେ ବର୍ତ୍ତମାନ ସରକାରୀ ଡାକ୍ତରଖାନା ଭାବରେ ଏମ୍ସରେ ବୃକକ୍ ପ୍ରତିରୋପଣ ସମ୍ଭବ ହୋଇପାରିଛି। ପାଣି ଏବଂ ପରିବେଶ ଯୋଗୁଁ ରାଜ୍ୟରେ ବୃକକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କମ ବୟସରେ ଅନେକଙ୍କ ବୃକକ୍ ନଷ୍ଟ ହେଉଥିବା ଦେଖାଯାଉଛି। ଏସ୍ସିବିରେ ଡାକ୍ତର ସଙ୍କଟ ସାଙ୍ଗକୁ ବହୁ ରୋଗୀ ଘରୋଇ ଡାକ୍ତରଖାନାରେ ପ୍ରତିରୋପଣ କରାଇ ପ୍ରାୟ ୭ରୁ୮ ଲକ୍ଷ ଟଙ୍କା ଖର୍ଚ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ସ ପକ୍ଷରୁ ବର୍ଷାଧିକ ସମୟ ହେଲା ବୃକକ୍ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଭିତ୍ତିଭୂମି ଯାଞ୍ଚ ପରେ ଏପ୍ରିଲ୍ ମାସରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଟିମ୍ ଏଥିପାଇଁ ଅନୁମତି ଦେଇଥିଲେ।
ସୂଚନା ଅନୁଯାୟୀ, ୨୦୨୦ ମସିହାରୁ ଏହି ୨୦ ବର୍ଷୀୟ ଇଂଜିନିୟରିଂ ଛାତ୍ର ବୃକକ୍ ରୋଗରେ ପୀଡ଼ିତ ଥିଲେ। ୨୦୨୨ ମସିହାରୁ ତାଙ୍କର ଡାଏଲିସିସ୍ ଆରମ୍ଭ ହୋଇଥିଲା। ମେ’ ମାସରେ ତାଙ୍କ ବୃକକ୍ ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ସେତେବେଳକୁ ଏମ୍ସକୁ ପ୍ରତିରୋପଣ ପାଇଁ ଅନୁମତି ମିଳିଯାଇଥିବାରୁ ତାଙ୍କୁ ଆଉ ଅନ୍ୟ କୌଣସି ଡାକ୍ତରଖାନାକୁ ରେଫର୍ କରାଯାଇନଥିଲା। ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସନ୍ଦୀପ ପଣ୍ଡା, ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଶାନ୍ତ ନାୟକଙ୍କ ନେତୃତ୍ବରେ ଗଠିତ ଟିମ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଡାକ୍ତର ମନୋଜ ଦାସ, ଡା. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡା. ସମ୍ବିତ ତ୍ରିପାଠୀ, ନିଶ୍ଚେତକ ଡାକ୍ତର ଭାସ୍କର ରାଓ, ଡା. ସୌମ୍ୟ ସରକାର, ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପ୍ରମାଣିକଙ୍କ ସହଯୋଗରେ ଏହି କାର୍ଯ୍ୟ ସଫଳତାର ସମ୍ପନ୍ନ ହୋଇଛି।
ଏମ୍ସର ଏହା ପ୍ରଥମ ପ୍ରତିରୋପଣ ହୋଇଥିବାରୁ ପିଜିଆଇଏମ୍ଇଆର ଚଣ୍ଡିଗଡ଼ ପ୍ରଫେସର ଦୀପେଶ ବେଞ୍ଜାମିନ କେନ୍ଓ୍ବାର ପରାମର୍ଶ ପାଇଁ ଉପସ୍ଥିତ ଥିଲେ। ବୃକକ୍ ଦେଇଥିବା ତାଙ୍କ ବାପାଙ୍କୁ ପ୍ରତିରୋପଣର ତୃତୀୟ ଦିନ ପରେ ଏବଂ ୭ ଦିନ ପରେ ପୁଅଙ୍କୁ ଡିସ୍ଚାର୍ଜ କରାଯାଇଛି। ଯୁବକଙ୍କ ପରିସ୍ରା, ରକ୍ତ, କ୍ରିଏଟିନ୍ ସ୍ତର ଠିକ ରହିଛି। ଖୁବ୍ଶୀଘ୍ର ସେ କଲେଜ ଯିବା ସହିତ ସ୍ବାଭାବିକ ଜୀବନ ବଞ୍ଚିପାରିବେ ବୋଲି ଡାକ୍ତରୀ ଦଳ କହିଛନ୍ତି। ଦୁଇ ଦିନ ପରେ ଏମ୍ସରେ ଆଉ ଜଣେ ରୋଗୀଙ୍କ କିଡ୍ନି ପ୍ରତିରୋପଣ ହେବ। ଏଥିସହିତ ଆହୁରି ୧୦ ଜଣ ରୋଗୀ ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ କିଛି ରୋଗୀଙ୍କୁ ଏନ୍ଓସି ମିଳିଛି ଏବଂ କିଛି ପ୍ରତିରୋପଣ ପାଇଁ ଏନ୍ଓସି ପାଇଁ ଆବେଦନ କରିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜି ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଏମ୍ସରେ ଏହି ସେବା ଆରମ୍ଭ ହେବା ରାଜ୍ୟବାସୀଙ୍କୁ ବଡ଼ ଉପହାର ବୋଲି କୁହାଯାଉଛି।