ରାଉରକେଲା: ଜାଗା ବିବାଦ ଯୋଗୁ ଅଟକିଥିଲା। ତତ୍କାଳୀନ ପରିବହନ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଟ୍ରାନ୍ସପୋର୍ଟ ନଗର ନିର୍ମାଣକୁ ଗ୍ରୀନ୍ ସିଙ୍ଗନାଲ୍ ମିଳିଲା। ଇତି ମଧ୍ୟରେ ୨ ବର୍ଷ ବିତିଗଲା। କିନ୍ତୁ ଟ୍ରାନ୍ସପୋର୍ଟ ନଗର ପାଇଁ ଇଟା ଖଣ୍ଡିଏ ବି ପଡିଲାନି। କେବେ ନିର୍ମାଣ ହେବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ବି ନାହିଁ। ସ୍ମାର୍ଟସିଟିରେ ଟ୍ରାଫିକ୍ ସମସ୍ୟା ଏଡାଇବାକୁ ଟ୍ରାନ୍ସପୋର୍ଟରନଗରର ଆବଶ୍ୟକତା ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇବା କଥା, ତା’ ଦେଖାଯାଉନି।
ହକି ବିଶ୍ବକପ୍ ପାଇଁ ନିକଟରେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଲା। ପ୍ରସ୍ତାବିତ ବସ୍ ଟର୍ମିନାଲକୁ ଶେଷରେ ସ୍ମାର୍ଟସିଟି ପ୍ରକଳ୍ପରୁ ବାଦ୍ ଦିଆଗଲା। ବସ୍ ଟର୍ମିନାଲ ପରି ରାଉରକେଲା ଟ୍ରାନ୍ସପୋର୍ଟର ନଗର ବାତିଲ ହୋଇ ଯିବନି ତ ? ଏମିତି ପ୍ରଶ୍ନ ଟ୍ରକ, ଟିପ୍ପର, ଟ୍ରେଲର ସଂଘର କର୍ମକର୍ତ୍ତା ନୁହେଁ ବରଂ ସହରବାସୀଙ୍କ ମଧ୍ୟରେ ଉଠିବା ସ୍ବାଭାବିକ। ହକି ବିଶ୍ବକପ୍ ପରେ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତାବିତ ଟ୍ରାନ୍ସପୋର୍ଟ ନଗର ନିର୍ମାଣକୁ ଗୁରୁତ୍ବ ନ ଦେଲେ ଟ୍ରକ, ଟିପ୍ପର ଓ ଟ୍ରେଲର ସଂଘ ପକ୍ଷରୁ ପୂର୍ବପରି ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।ପ୍ରାୟ ୧୨ ଏକର ଜାଗାରେ ଟ୍ରାନ୍ସପୋର୍ଟ ନଗର ନିର୍ମାଣ ହେବାକୁ ପକ୍ରିୟା ଆରମ୍ଭ ହୋଇଥିଲା। ଟ୍ରାନ୍ସପୋର୍ଟ ନଗରରେ ପାଖାପାଖି ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିଲା। ଏହି ପରିସର ଭିତରେ ହୋଟେଲ, ଅତ୍ୟାଧୁନିକ ଗ୍ୟାରେଜ୍, ଖାଇବା ହୋଟେଲ, ଟାୟାର ଦୋକାନ, ମୋବିଲ ଦୋକାନ, ଗାଡି ଯନ୍ତ୍ରପାତି ସରଞ୍ଜାମ ସହ ଅନ୍ୟାନ୍ୟ ଦୋକାନ ରହିବ। ଗୋଟିଏ ଜାଗାରେ ଯେମିତି ଗାଡି ମାଲିକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ, ସେହି ବ୍ୟବସ୍ଥା କରାଯାଉଛି।
ଟ୍ରାନ୍ସପୋର୍ଟ ନଗରରେ ଏକକାଳୀନ ୧ ହଜାରରୁ ଅଧିକ ଟ୍ରକ୍, ଟିପ୍ପର ଓ ଡମ୍ପରର ପାର୍କିଂ ବ୍ୟବସ୍ଥା ରହିବ। ଟ୍ରାନ୍ସପୋର୍ଟ ନଗର ହେବା ପରେ ଟ୍ରାଫିକ୍ ସମସ୍ୟା କମିବ, ଗାଡିଗୁଡିକର ଚୋରିକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ। ବିଶେଷ କରି ଉଭୟ ଗାଡି ଚାଳକ ଓ ମାଲିକମାନେ ଉପକୃତ ହେବେ ବୋଲି କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ରାଉରକେଲା ଓ ଏହାର ଆଖପାଖରେ ଦୈନିକ ୪ ହଜାରରୁ ଅଧିକ ଟ୍ରକ, ଟିପ୍ପର ଓ ଡମ୍ପର ଚଳାଚଳ କରୁଛି। ଏହାଛଡା ରାଜ୍ୟ ଓ ରାଜ୍ୟ ବାହାରୁ ଆହୁରି ଶହ ଶହ ଟ୍ରକ ରାଉରକେଲା ସହରକୁ ଆସୁଛନ୍ତି। ସହର ଭିତରେ ଗାଡି ପାର୍କିଂର ବିକଳ୍ପ ବ୍ୟବସ୍ଥା ନଥିବାରୁ ଦୈନନ୍ଦିନ ଶତାଧିକ ଟ୍ରକ, ଟିପ୍ପର ଓ ଡମ୍ପରଗୁଡ଼ିକ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଗାଡିଗୁଡ଼ିକ ଛିଡା ହେବାରୁ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଛି।
ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ସଂଧ୍ୟା ସମୟରେ ବେଦବ୍ୟାସ ଓ ପାନପୋଷ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସଙ୍ଗୀନ ହୋଇ ପଡୁଛି। ସହର ଭିତରେ ଓ ବାହାରେ ଟ୍ରାଫିକ୍ ସମସ୍ୟା ଏଡାଇବାକୁ ରାଉରକେଲା ଗୁଡ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଆସୋସିଏସନ, ବେଦବ୍ୟାସ ଟ୍ରକ ସଂଘ, ରାଉରକେଲା ଟ୍ରକ୍ ଓ ଟିପ୍ପର ଆସୋସିଏସନ ଟ୍ରାନ୍ସପୋର୍ଟ ନଗର ପ୍ରତିଷ୍ଠା ପାଇଁ ସରକାରଙ୍କ ଓ ଜଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଥିଲେ। ପ୍ରାୟ ୧୦ ବର୍ଷ ତଳେ ବେଦବ୍ୟାସ ରାଜପଥ ପାର୍ଶ୍ବ ବେଲଡିହି ନିକଟରେ ୧୨ ଏକର ଜାଗାରେ ଟ୍ରାନ୍ସପୋର୍ଟ ନଗର ପ୍ରତିଷ୍ଠା କରିବାକୁ ଜିଲ୍ଲା ପ୍ରଶାସନ ରାଜି ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ୨୦୨୦ରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରାଉରକେଲା ଗସ୍ତ ଅବସରରେ ପ୍ରସ୍ତାବିତ ଟ୍ରାନ୍ସପୋର୍ଟନଗର ସ୍ଥଳ ବୁଲି ଦେଖିଥିଲେ ଓ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ଦେଇଥିଲେ। ଜିଲ୍ଲା ପ୍ରଶାସନ ଟ୍ରାନ୍ସପୋର୍ଟ ନଗର ନିଜେ ନିର୍ମାଣ କରିବା ପରିବର୍ତ୍ତେ ଘରୋଇ ସଂସ୍ଥାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଯାଏଁ କିନ୍ତୁ ଏ ଦିଗରେ ସେମିତି କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଟ୍ରାନ୍ସପୋର୍ଟର ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି।