କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ବିଭିନ୍ନ ଖଣିରେ ଫାଷ୍ଟ୍ କମ୍ ଫାଷ୍ଟ୍ ଲୋଡ୍ ଦାବିରେ ଟ୍ରକ୍ ମାଲିକ ସଂଘ ଅଡ଼ି ବସିଥିବାରୁ ୪ ଦିନ ଧରି କ୍ରୋମାଇଟ ପରିବହନ ଠପ୍ ହୋଇଯାଇଛି।
ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମ(ଓଏମ୍ସି) ଦକ୍ଷିଣ କାଳିଆପାଣି ଓ ସୁକ୍ରଙ୍ଗି କ୍ରୋମାଇଟ୍ ଖଣି, ଟାଟାଷ୍ଟିଲ୍ ମାଇନିଂ(ଟିଏସ୍ଏମ୍ଏଲ୍) ସୁକିନ୍ଦା ଓ ସାରୁଆବିଲ-କମର୍ଦ୍ଦା ଦ୍ବୈତ କ୍ରୋମାଇଟ୍ ଖଣି, ବେଦାନ୍ତ-ଫେକର ଓସ୍ତପାଳ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍ ଖଣି ଏବଂ ଇମ୍ଫା ସୁକିନ୍ଦା ଓ ମହାଗିରି ଭୂତଳ କ୍ରୋମାଇଟ୍ ଖଣିରୁ କ୍ରୋମ୍ ପରିବହନ ଠପ୍ ହୋଇରହିଛି।
ଆଜି କୋଇପଶି ଟ୍ରକ୍ ପାର୍କିଂୟାର୍ଡରୁ ପୂର୍ବ ସିରିଆଲ୍ ଆଧାରରେ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିକୁ ୨୪ଟି ଟ୍ରକ୍ ଛଡ଼ା ଯାଇଥିବା ଜାଣି ଏସ୍ଏମ୍ଟିଓଏ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଶେଷରେ, ଓଏମ୍ସି କର୍ତ୍ତୃପକ୍ଷ ଉକ୍ତ ଟ୍ରକଗୁଡ଼ିକୁ ଖଣି ଫାଟକରୁ ପୁଣି ଟ୍ରକ୍ ପାର୍କିଂୟାର୍ଡ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ। ୩ଦିନ ଧରି ପ୍ରସଙ୍ଗକୁ ନେଇ ଏସ୍ଏମ୍ଟିଓଏ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ସନ୍ତୋଷ କୁମାର ମିଶ୍ର ଓ ଯାଜପୁରରୋଡ୍ ଖଣି ଉପନିର୍ଦେଶକ(ଡିଡିଏମ୍) ଇଂ. ବିଭୂତି ଭୂଷଣ ବେହେରାଙ୍କୁ ଭେଟି ଆଲୋଚନା ସତ୍ତ୍ବେ ଆଜି ସନ୍ଧ୍ୟା ସୁଦ୍ଧା ସମାଧାନର ସୂତ୍ର ବାହାରି ପାରିନଥିବା ଜଣାପଡ଼ିଛି।