ପରିବହନ ବିଭାଗର କ‌େରୋନା ସତର୍କତା: ମୁଖ୍ୟ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଯୋଗାଯିବ ମାସ୍କ, ଆରଟିଓ ଅଫିସରେ ରହି ପାରିବେନି ୫୦ରୁ ଅଧିକ ଆବେଦନକାରୀ

ଭୁବନେଶ୍ବର: କରୋନା ମୁକାବିଲା ଲାଗି ଆଜି କେତେକ ଘୋଷଣା କରିଛି ରାଜ୍ୟ ପରିବହନ ବିଭାଗ। ବସଯାତ୍ରୀଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ବିଭାଗ ପକ୍ଷରୁ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ  ଆଲୋଚନା କରାଯାଇଛି ।  ବୈଠକ ପରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟର ବିଭିନ୍ନ ସହରର ମୁଖ୍ୟ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ମାସ୍କ ଯୋଗାଇଦେବାକୁ ବ୍ୟବସ୍ଥା ହେବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯିବ । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ନାହିଁ ତେଣୁ ଏ ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଅନ୍ୟପକ୍ଷରେ ବସଗୁଡିକରେ ସ୍ୱଚ୍ଛତା ରଖିବାକୁ ବସ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବସଗୁଡ଼ିକ ସିଟ ସଂଖ୍ୟାଠାରୁ ଅଧିକ ଯାତ୍ରୀ ନେଇପାରିବେନି । ବସରେ ଯେପରି ଅଧିକ ଭିଡ ନହୁଏ ତା‘ଉପରେ ଗୁରୁତ୍ୱ ଦିଆଯାଇଛି । ବସଷ୍ଟାଣ୍ଡରେ ବଡ ସମାଗମ ନକରିବାକୁ ପରାମର୍ଶ ଦିଆଯାଇଛି। 

ବିଭିନ୍ନ ଆରଟିଓ ଅଫିସରେ  କରୋନା ଲାଗି କଟକଣା ଜାରି ଲାଗି ନିଷ୍ପତ୍ତି ହୋଇଛି।  ଆରଟିଓ ସେଣ୍ଟରରେ ଭିଡ଼ ରୋକିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି , ଅଫିସରେ ଏକ ସମୟରେ ୫୦ରୁ ଅଧିକ ଆବେଦନକାରୀ ରହିପାରିବେନି । ଯେଉଁ ଆବେଦନକାରୀଙ୍କୁ ଫୋନ୍ ଯିବ ସେମାନେ ଆସି ଉପସ୍ଥିତ ରହିବେ । ଏହାକୁ କଡାକଡି ଲାଗୁ କରିବାକୁ ସବୁ ଆରଟିଓଙ୍କୁ ଚିଠି ଲେଖିବ ପରିବହନ ବିଭାଗ।

ଏଥିସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବସ୍‌ରେ ସିଟ୍‌ ଠାରୁ ଅଧିକ ଲୋକ ଯାଇପାରିବେ ନାହିଁ। କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ଓଭର୍‌ଲୋଡିଂ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବସ୍‌ ଗୁଡ଼ିକୁ ସଫାସୁୁତୁରା ରଖିବାକୁ କୁହାଯାଇଛି। ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ। ଯାତ୍ରୀମାନେ ମଧ୍ୟ ଟିକେ ପରସ୍ପର ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର