କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣା: ଡ୍ରାଇଭରମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ମତବ୍ୟକ୍ତ କରିବା ସହ ଏନେଇ ପରାମର୍ଶ ବି ଦେଇଛନ୍ତି।
ପରିବହନ ମନ୍ତ୍ରୀ କହିଛନ୍ତି, ଘାଟି ରାସ୍ତାରେ ଯାଆନ୍ତୁ ନାହିଁ। ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ, ଏଥିଲାଗି ପ୍ରତିବନ୍ଧକ ନାହିଁ। କିନ୍ତୁ, ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଳାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହି ଘାଟିରେ ଗାଡ଼ି ନେଇ ପାରିବେ। ଆମର ପରାମର୍ଶ ରହୁଛି, ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ। ଏ ନେଇ ପୁଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ସଚେତନ କରିବେ ରୁଟ ପରିବର୍ତ୍ତନ କରିବାକୁ। ଆଜି ଏ ଦିଗରେ ବୈଠକ ବସିବ। ପଶ୍ଚିମବଙ୍ଗ, ଗୁଜୁରାଟ ପରି ପ୍ଲେନ ରାସ୍ତାରେ ଡ୍ରାଇଭରମାନେ ଗାଡ଼ି ଚଳାଉଥିବାରୁ, ସେମାନଙ୍କର ଓଡ଼ିଶାର ଘାଟିରେ ଗାଡ଼ି ଚଳାଇବାର ଅଭିଜ୍ଞତା ନଥିବା ଆମେ ଅନୁମାନ କରୁଛୁ। ଆମେ ଗତକାଲି ଦୁର୍ଘଟଣାର ରିପୋର୍ଟ ମାଗିଛୁ। ନୂଆ ବ୍ଲାକ ସ୍ପଟ ବି ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ପ୍ରାଥମିକ ରିପୋର୍ଟରୁ ଯାହା ଜଣାପଡ଼ୁଛି, ବ୍ରେକ ଫେଲ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉକ୍ତ ବସଟି ଦାରିଙ୍ଗବାଡିରେ ପହଞ୍ଚିବା ପରେ ଲୋକେ ସେଠାରେ ବୁଲାବୁଲି କରି ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। ତେବେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡ଼ିଥିଲା। ଏହାଫଳରେ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଏବେ ଟ୍ବିଟ କରି ଶୋକ ପ୍ରକାଶ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧିତ ଖବର