ବସରେ ବିଦ୍ୟୁତ ତାର ଲାଗି ୧୧ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୧ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘଟଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ହେବ । ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଆଗକୁ ଯେଭଳି ଏମିତି ଘଟଣା ନ ଘଟେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।

ସେପଟେ ବସରେ ବିଦ୍ୟୁତ ଆଘାତରେ ୧୧ ଜଣଙ୍କ  ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି । ମୃତାହତଙ୍କ ଖବର ଶୁଣି ଗଭୀର ଭାବେ ଦୁଃଖିତ ଥିବା କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ମେଲପତୁରୁ ଗାଁ ନିକଟରେ ୧୧ କେଭି  ବିଦ୍ୟୁତ ତାର ଦୀର୍ଘ ଦିନରୁ ବିପଜ୍ଜନକ ଭାବେ ତଳକୁ ଓହଳି ଥିଲା । ଏହାକୁ ଉପରକୁ ଉଠାଇବାକୁ  ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉ ନ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି କାରଣରୁ ଆଜି ଏପରି ଦୁର୍ଘଟଣା ଘଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତେଣେ ଦୁର୍ଘଟଣାସ୍ଥଳକୁ ‘ସାଉଥ୍-କୋ’ର ଏକ ଉଚ୍ଚସ୍ତରୀୟ ଟିମ୍ ପଠାଯାଇଛି । ବସରେ କେମିତି ଲାଗିଲା କରେଣ୍ଟ, ସେମାନେ ତଦନ୍ତ କରି ରିପୋର୍ଟ ଦେବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓପିଟିସିଏଲ ସିଏମଡି ସୌରଭ ଗର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର