୧୨ ଦିନରେ ଭଦ୍ରକ ଗଳାପୋଲ ନିର୍ମାଣ ଦାବି, ମନ୍ତ୍ରୀଙ୍କୁ ଘଣ୍ଟାଏ ଅଟକାଇଲେ ଆନ୍ଦୋଳନକାରୀ

ଭଦ୍ରକ/ରାଣୀତାଲ : ଭଦ୍ରକର ରାଣୀତାଲରେ ଗଳାପୋଲ ନିର୍ମାଣ ଦାବି ନେଇ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୧୨ ଦିନରେ ପହଞ୍ଚିଛି। ଆଜି ବି ଆନ୍ଦୋଳନ ଜୋର୍‌ ଧରିଥିଲା। ଆନ୍ଦୋଳନକାରୀମ‌ାନେ ରାସ୍ତାରୋକ କରିଥିଲେ। ଏହି ସମୟରେ ବାଲେଶ୍ବରରୁ ଭୁବନେଶ୍ବର ଫେରୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଘଣ୍ଟାଏ କାଳ ଅଟକାଇ ପୋଲ ନିର୍ମାଣ ପାଇଁ ଦାବି ଜଣାଇଥିଲେ।

ରାଣୀତାଲ ବିକାଶ ମଞ୍ଚ, ରାଣୀତାଲ ବଜାର କମିଟି, ରାଣୀତାଲ ସାହିତ୍ୟ ସ˚ସ୍କୃତି ପରିଷଦ, ସାହିତ୍ୟଘର ଓ ଏପିଜେ ଅବଦୁଲ କଲାମ ଟ୍ରଷ୍ଟର କର୍ମକର୍ତ୍ତାମାନେ ଗତ ୧୨ ଦିନ ହେଲା ରାଣୀତାଲରେ ୧୬ ନମ୍ବର ଜାତୀୟ ରାଜପଥ ସ˚ପ୍ରସାରଣ କାମକୁ ବନ୍ଦ କରି ଆନ୍ଦୋଳନ କରୁଛନ୍ତି। ଭଦ୍ରକ ଓ ଧାମନଗର ବିଧାୟକ ଆନ୍ଦୋଳନକୁ ସମର୍ଥନ କରିଥିବାବେଳେ ଜିଲ୍ଲା ପ୍ରଶାସନ କିମ୍ବା ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଏହି ଦାବିକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଆଜି ଏକ ଦୁର୍ଘଟଣା ଘଟଣାକୁ ନେଇ ଆନ୍ଦୋଳନକାରୀ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହି ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବାଲେଶ୍ବରରୁ ଫେରୁଥିବାବେଳେ ତାଙ୍କୁ ମଧ୍ୟ ଆନ୍ଦୋଳନକାରୀ ଅଟକାଇଥିଲେ। ଏବଂ ଆନ୍ଦୋଳନସ୍ଥଳକୁ ନେଇ ଯାଇଥିଲେ। ସେଠାରେ ମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲେ। ଦୀର୍ଘ ୧୨ଦିନ ଧରି ଏଠାରେ ଆନ୍ଦୋଳନ ଚାଲୁଥିଲେ ମଧ୍ୟ ଜିଲ୍ଲାପାଳ ଏହାକୁ ଅଣଦେଖା କରୁଥିବା ରାଣୀତାଲବାସୀ ଅଭିଯୋଗ କରିବା ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ତେବେ ମନ୍ତ୍ରୀ ଶ୍ରବେହେରା ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦାବି ଯଥାର୍ଥ ଥିବା ଉପଲବ୍ଧି କରିଥିଲେ। ଆସନ୍ତା ୯ ତାରିଖରେ ଆଲୋଚନା ପାଇଁ ରାଣୀତାଲ ବିକାଶ ମଞ୍ଚକୁ ଭୁବନେଶ୍ବର ଆସିବା ପାଇଁ କହିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ବେହେରା ଭୁବନେଶ୍ବର ଫେରି ଆସିଥିଲେ।

ସମ୍ବନ୍ଧିତ ଖବର