ଭୁବନେଶ୍ବର: ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଟ୍ରେନ କିମ୍ବା ଏୟାରଲାଇନ୍ସ ଖୋଲିବନି, ତେବେ ବସରେ ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟକୁ ଅଣାଯିବ । ରାଜ୍ୟ ପାଖରେ ୧୫ ହଜାର ବସ ଅଛି । ସେଗୁଡ଼ିକର ବ୍ୟବହାର କରାଯିବ । ଅନ୍ୟ ପାଖାପାଖି ରାଜ୍ୟଗୁଡ଼ିକରୁ ବି ଅଣାଯିବ । ଯଦି ଅନ୍ୟ ରାଜ୍ୟରୁ ସମ୍ଭବ ହେବ, ସେମାନଙ୍କୁ ପରିବହନ ମୂଲ୍ୟ ଦେଇ ଅଣାଯିବାର ବ୍ୟବସ୍ଥା କରାଯାଇଛି ।

Advertisment

ବସରେ ଆସିବା ସମୟସାପେକ୍ଷ । ଯଦି ସ୍ୱତନ୍ତ୍ର ଟ୍ରେନରେ ଅଣାଯିବାର ବ୍ୟବସ୍ଥା କେନ୍ଦ୍ର ସରକାର କରନ୍ତି, ତେବେ ଭଲ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମତ ରଖିଛନ୍ତି ।
ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗତକାଲି ବଡ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ବସ୍ ଯୋଗେ ରାଜ୍ୟକୁ ନିରାପଦରେ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିବା ନେଇ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ବସ ଯୋଗେ ପ୍ରବାସୀ ଓଡ଼ିଶାଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କ ସହ ରୋଡ ଟ୍ୟାକ୍ସ ଛାଡ଼ କରିବା ନେଇ ସରକାର କଥା ହେବା ସହ ଏଥିପାଇଁ ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।

ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ସହ ସେମାନଙ୍କୁ ୧୪ ଦିନିଆ କ୍ୱାରେନ୍ଟାଇନରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।