୨୪ ଘଣ୍ଟିଆ ଧର୍ମଘଟ : ଆଜି ଚାଲିବନି ଟ୍ରକ୍‌, ବସ୍‌

ଭୁବନେଶ୍ୱର : ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ରୋଡ୍‌ ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌। ଏହାକୁ ସମର୍ଥନ ଜଣାଇ ରାଜ୍ୟରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌ ରାଜ୍ୟବ୍ୟାପୀ ୨୪ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଆସନ୍ତାକାଲି ସକାଳ ୬ଟାରୁ ରାଜ୍ୟରେ ସମସ୍ତ ବାଣିଜ୍ୟିକ ପରିବହନ ବନ୍ଦ ରହିବ।

ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌ର ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ମୋଟର ଭେଇକିଲ ଆଇନ ୧୯୮୮(ସଂଶୋଧନ) ବିଲ୍‌ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସଂପୂର୍ଣ୍ଣଭାବେ କର୍ପୋରେଟ୍‌ ଓ ବିଦେଶୀ କମ୍ପାନି ହାତରେ ଟେକି ଦେବାକୁ ସ୍ଥିର କରିଛନ୍ତି। ଏହି ବିଲ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥାର ସଂପୂର୍ଣ୍ଣ ବିଲୋପ ହେବ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଏମ୍‌ଭିଆଇ ଅଫିସ ଉଠିଯିବ। କେବଳ ଗାଡ଼ି କମ୍ପାନିମାନଙ୍କ ଗ୍ୟାରେଜ୍‌, ଯନ୍ତ୍ରପାତି ଦୋକାନ ଓ ଡ୍ରାଇଭିଂ ସ୍କୁଲ ରହିବ। ସମସ୍ତ ବେସରକାରୀ ଗ୍ୟାରେଜ୍‌ ବନ୍ଦ ହୋଇଯିବ। ଏହାଫଳରେ ଦେଶରେ ହଜାର ହଜାର ଗ୍ୟାରେଜ୍‌ରେ କାମ କରୁଥିବା ଶ୍ରମିକମାନେ ନିଜର କର୍ମସଂସ୍ଥାନ ହରାଇବେ। ଛୋଟ ଛୋଟ ମାଲିକମାନେ କମ୍ପାନି ଗ୍ୟାରେଜର ବିଲ ଦେଇପାରିବେ ନାହିଁ।

ଗାଡ଼ି ନମ୍ବର ଓ ଡ୍ରାଇଭିଂ ଲାଇସେନ୍‌ସ ସବୁ କେନ୍ଦ୍ର ସରକାରଙ୍କ ହାତରେ ରହିବ। ସରକାର ଯାହାକୁ ଚାହିଁବେ ଏହାର ଦାୟିତ୍ୱ ଦେଇପାରିବେ। ଅଟୋ ରିକ୍ସା ଓ ଟ୍ୟାକ୍ସି ସବୁ ହଟିଯିବ। ସାମାନ୍ୟ ଭୁଲ କଲେ ଜରିମାନା ସହିତ ଆଉ ଥରେ ଭୁଲ ହେଲେ ଦୁଇଗୁଣ ଜରିମାନା ଦେବାକୁ ହେବ। ସେହିପରି ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କଲେ ବୀମା ରାଶି ପରିମାଣ ସର୍ବାଧିକ ୧୦ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ଘରୋଇ ବୀମା କମ୍ପାନିମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ଏପରି କରାଯାଇଛି। ସାମାନ୍ୟ ଦୁର୍ଘଟଣା ଘଟିଲେ ଡ୍ରାଇଭର/ମାଲିକଙ୍କୁ କ୍ଷତିପୂରଣ ଦେବାକୁ ହେବ। ଏହି ବିଲ୍‌ରେ କେନ୍ଦ୍ର ସରକାର ୬୮ଟି ସଂଶୋଧନ ଓ ୨୮ଟି ନୂତନ ଧାରା ସାମିଲ କରିଛନ୍ତି। ତେଣୁ ଏହି ଜଘନ୍ୟ ବିଲକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଅନୁଷ୍ଠିତ ହେବ।

ରାଜ୍ୟରେ ଥିବା ଟ୍ରକ୍‌, ବସ୍‌ ଓ ଟ୍ୟାଙ୍କର ମାଲିକ ସଂଘ ସହିତ ଆଲୋଚନା ହୋଇଥିବା ବେଳେ ସେମାନେ ଏହାକୁ ସମର୍ଥନ ଜଣାଇଛନ୍ତି। ରାଜ୍ୟରେ ୧୨ହଜାର ବସ୍‌, ଦେଢ଼ ଲକ୍ଷ ଟ୍ରକ୍‌ ଓ ୫ ହଜାର ଟ୍ୟାଙ୍କର ଚଳାଚଳ ବନ୍ଦ ରହିବ ବୋଲି ଶ୍ରୀ ପତି ସୂଚନା ଦେଇଛନ୍ତି। ଏହାବ୍ୟତୀତ ଟ୍ୟାକ୍ସି ଚଳାଚଳ ବି ବନ୍ଦ ରହିବ।

ସମ୍ବନ୍ଧିତ ଖବର